ବିବାଦ ଭିତରେ ଦିଲ୍ଲୀ ସରକାରଙ୍କ ମନ୍ତ୍ରୀ,  ହିନ୍ଦୁ ଧର୍ମକୁ କଲେ ଅପମାନ!

86

କନକ ବ୍ୟୁରୋ: ଆମ ଆଦମୀ ପାର୍ଟିର  ନେତା ତଥା ଦିଲ୍ଲୀ ସରକାରଙ୍କ ସମାଜ କଲ୍ୟାଣ ମନ୍ତ୍ରୀ ରାଜେନ୍ଦ୍ର ପାଲ ଗୌତମ କହିଛନ୍ତି, ସେ କୌଣସି ହିନ୍ଦୁ ଦେବାଦେବୀଙ୍କୁ ମାନିବେନି କିମ୍ବା ପୂଜା କରିବେନି । କେବଳ ସେତିକି ନୁହେଁ ମନ୍ତ୍ରୀ ମହୋଦୟ ଏକଥା ମଧ୍ୟ କହୁଛନ୍ତି କି ପ୍ରଭୁ ଶ୍ରୀରାମ ଓ କୃଷ୍ଣଙ୍କୁ ସେ ଇଶ୍ୱର ବୋଲି ମାନିବେନି, ଶ୍ରାଦ୍ଧ କିମ୍ବା ପିଣ୍ଡଦାନ ମଧ୍ୟ ଦେବେନି । ଏନେଇ ସେ ବିଦ୍ଧିବଧ ଭାବେ ଶପଥ ମଧ୍ୟ ନେଉଛନ୍ତି କେଜ୍ରିୱାଲଙ୍କ ମନ୍ତ୍ରୀ । କେଜ୍ରିୱାଲ ସରକାରଙ୍କ ମନ୍ତ୍ରୀଙ୍କ ଶପଥ ନେଇଥିବା ସମୟର ଏହି ଭାଇରାଲ ଭିଡିଓକୁ ନେଇ ଚର୍ଚ୍ଚା ହେଉଛି । ସୂଚନା ଅନୁସାରେ ଏହି ଘଟଣା ଅକ୍ଟୋବର ୫ ତାରିଖ, ଦିଲ୍ଲୀର । କରୋଲବାଗର ବୁଦ୍ଧିଷ୍ଟ ସୋସାଇଟି ଅଫ୍ ଇଣ୍ଡିଆ ଓ ଜୟଭୀମ ମିଶନ ପକ୍ଷରୁ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଯେଉଁଠି ମନ୍ତ୍ରୀଙ୍କ ସମେତ ମୋଟ ୧୦ହଜାର ବ୍ୟକ୍ତି ବୌଦ୍ଧ ଧର୍ମ ଗ୍ରହଣ କରିଥିଲେ । ଧର୍ମଗ୍ରହଣ ସମୟରେ ମନ୍ତ୍ରୀ ଏଭଳି ଶପଥ ନେଇଥିବା କୁହାଯାଉଛି । ଭିଡିଓ ଭାଇରାଲ ହେବା ପରେ ଆପକୁ ଘେରିଛି ବିଜେପି ।

ଭିଡିଓ ଭାଇରାଲ ହେବା ପରେ ଆପ୍ ମନ୍ତ୍ରୀଙ୍କ ବିରୋଧରେ ଜୋରଦାରରେ ସ୍ୱର ଉତୋଳନ ହେଲାଣି । ହିନ୍ଦୁ ଧର୍ମ ବିରୋଧୀ ବୟାନ ପାଇଁ ଆପଠୁ କ୍ଷମା ଦାବି କରିଛି ବିଜେପି । ଏଥିସହ ମନ୍ତ୍ରୀଙ୍କୁ ଦଳରୁ ବହିଷ୍କାର କରିବାକୁ ଦାବି କରିଛି ବିଜେପି । ଦଳ କହିଛି ନିର୍ବାଚନ ସମୟରେ ଆପ୍ ଜନତାଙ୍କ ନିକଟରେ ଭୋଟ ପାଇଁ କେବଳ ପହଁଚେ ଆପ ଓ ପରେ ସେମାନଙ୍କ ମନୋଭାବନାକୁ ଆଘାତ ଦିଏ, ନୀଚ ରାଜନୀତି କରେ ।

ଘଟଣାକୁ ନେଇ ବିବାଦ ଜୋର ଧରିବା ପରେ ରାଜେନ୍ଦ୍ର ପାଲ ଗୌତମଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଦିଲ୍ଲୀ ମନ୍ତ୍ରୀ କହିଛନ୍ତି ବିଜେପି ଗୋଟେ ଦେଶଦ୍ରୋହୀ  ଦଳ । ଅଯଥାରେ ବିବାଦ ସୃୃଷ୍ଟି କରୁଛି । ବୌଦ୍ଧ ଧର୍ମର୍ ପ୍ରତି ତାଙ୍କର ଆସ୍ଥା ଓ ବିଶ୍ୱ।।ସ ରହିଛି । ଏହାକୁ ନେଇ ରାଜନୀତି କରି ଆପ ବିରୋଧରେ ଷଡଯନ୍ତ୍ର କରୁଛି ବିଜେପି ।