ଖରା କରୁଛି କଲବଲ । ଭାରତୀୟ ପାଣିପାଗ ବିଭାଗର ସତର୍କବାଣୀ, ଉତ୍ତର ଭାରତରେ ଦିନ ତାପମାତ୍ରା ଛୁଇଁପାରେ ୫୦ ଡିଗ୍ରୀ

149

କନକ ବ୍ୟୁରୋ: ଖରାରେ ସିଝୁଛି ସାରା ଭାରତ  । ତାପମାତ୍ରା ଏବେ ରେକର୍ଡ଼ ଉପରେ ରେକର୍ଡ କରିଚାଲିଛି  । ସାରା ଦେଶରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଜାରି ରହିଛି  । ଏପରିକି ଉତ୍ତର ଭାରତରେ ତାପମାତ୍ରା ୫୦ ଡିଗ୍ରୀ ଛୁଇଁପାରେ ବୋଲି ସତର୍କବାଣୀ ଶୁଣାଇଛି ଆଇଏମଡି  । ଉତ୍ତରପ୍ରଦେଶ, ଦିଲ୍ଲୀ, ବିହାର, ହରିଆଣା, ରାଜସ୍ଥାନ ପରି ରାଜ୍ୟରେ ପାରଦ ଏବେ ୪୫ ଡିଗ୍ରୀରୁ ଅଧିକ ରହୁଛି । ଏହି ତାପମାତ୍ରା ଆହୁରି ଆଗକୁ ବଢ଼ିବାର ସମ୍ଭାବନା ରହିଛି  । ଏନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଯେ, ତାପମାତ୍ରା ୫୦ ଡିଗ୍ରୀ ଛୁଇଁପାରେ  । ବିଶେଷକରି ଉତ୍ତର ଭାରତରେ ସର୍ବୋଚ୍ଚ ତାପମାତ୍ରା ୫୦ ଡିଗ୍ରୀ ସେଲସିୟସ ପାର କରିପାରେ ବୋଲି ଆକଳନ କରାଯାଉଛି  । ମେ ୨ ତାରିଖ ଯାଏଁ ତାତିରୁ ନିସ୍ତାର ନଥିବା ପାଣିପାଗ ବିଭାଗ କହିଛି ।

  • ଆକାଶରୁ ବର୍ଷୁଛି ନିଆଁ, ଜଳୁଛି ବୌଦ୍ଧ
  • ୪୫ ଡିଗ୍ରୀ ତଳକୁ ଖସୁନି ତାପମାତ୍ରା

ଗାଡ଼ି ବନେଟ ଉପରେ ଅଣ୍ଡା ପକାଇଲେ ସିଧା ଓମଲେଟ ହୋଇଯାଇଛି  । ରୁଟି ବି ସେକି ହୋଇଯାଉଛି  । ବୌଦ୍ଧ ଜିଲ୍ଲାରୁ ଆସିଛି ଏମିତି କିଛି ଚିତ୍ର । ତାପମାତ୍ରା ଏବେ ରେକର୍ଡ଼ ପରେ ରେକର୍ଡ କରୁଛି  । ଆଉ ଏବେ ସବୁଠୁ ଚର୍ଚ୍ଚାରେ ରହିଛି ବୌଦ୍ଧ  । କାରଣ ଲଗାତର ଭାବେ ତିନି ଦିନ ହେଲା ଏଠାରେ ତାପାମାତ୍ରା ୪୫ ଡିଗ୍ରୀ ରେକର୍ଡ କରାଯାଇଛି । ତାପମାତ୍ରା କମିବାର ନାଁ ନେଉ ନାହିଁ  । ଅସହ୍ୟ ଖରା ଏବେ ଜନଜୀବନକୁ ଅସ୍ତବ୍ୟବସ୍ତ କରି ପକାଇଛି  ।

ଖାଲି ବୌଦ୍ଧ ନୁହେଁ ବଲାଙ୍ଗୀର, ସୋନପର. ବରଗଡ଼ରେ ବି ହିଟୱେଭ ଜାରି ରହିଛି । ବିଶେଷ କରି ଉତ୍ତର ଆଭ୍ୟନ୍ତରୀଣ ଓ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ଅଧିକ ରହିଛି । ସେପଟେ କେନ୍ଦୁଝରର ହାଟଡିହି ଓ ଆନନ୍ଦପୁର ସମେତ ଗଜପତିର ମହେନ୍ଦ୍ରଗିରିରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ରେକର୍ଡ କରାଯାଇଛି । ରବିବାରଠାରୁ ୫ଦିନ ଯାଏଁ କାଳବୈଶାଖୀ ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସୁନ୍ଦରଗଡ, କେନ୍ଦୁଝର, ଦେବଗଡ, ଅନୁଗୁଳ, ଝାରସୁଗୁଡା, ସମ୍ବଲପୁର, ବରଗଡ, ସୋନପୁର, ବୌଦ୍ଧ ଓ ବଲାଙ୍ଗୀରରେ ହିଟ୍ ୱେଭ ଜାରି ରହିବ । ଏହି ସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । କିନ୍ତୁ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦୁଝରରେ ଘଡଘଡି ସହ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି । କୋରାପୁଟ, ରାୟଗଡା, ଗଜପତି, ଅନୁଗୁଳ, ଢେଙ୍କାନାଳ, ଯାଜପୁର ଓ କେନ୍ଦ୍ରାପଡାରେ ମଧ୍ୟ କାଳବୈଶାଖୀ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର ।