ମହାରାଷ୍ଟ୍ରରେ ହନୁମାନ ଚାଳିଶା ପାଠ କରିବାକୁ ନେଇ ତେଜିଲା ରାଜନୀତି । ଅମରାବତୀ ସାଂସଦ ନବନୀତ ରାଣା ଓ ସ୍ୱାମୀ ରବି ରାଣାଙ୍କୁ ଉଠାଇ ନେଲା ପୋଲିସ

121

କନକ ବ୍ୟୁରୋ: ମହାରାଷ୍ଟ୍ରରେ ଲାଉଡ୍ ସ୍ପିକରରେ ହନୁମାନ ଚାଳିଶା ପାଠ କରିବା ବିବାଦ ଦିନକୁ ଦିନ ତେଜିବାରେ ଲାଗିଛି । ଅମରାବତୀର ନିର୍ଦ୍ଦଳୀୟ ସାଂସଦ ନବନୀତ ରାଣା ଏବଂ ତାଙ୍କ ବିଧାୟକ ସ୍ୱାମୀ ରବି ରାଣା ଶନିବାର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବାସଭବନ ବାହାରେ ହନୁମାନ ଚାଳିଶା ପାଠ କରିବେ ବୋଲି ଘୋଷଣା କରିଥିଲେ । ରାଣେ ଦମ୍ପତିଙ୍କ ଘୋଷଣାକୁ ନେଇ ରାଜ୍ୟ ରାଜନୀତିରେ ଅନେକ ହଙ୍ଗାମା ବି ହେଲା । ତାଙ୍କ ବାସଭବନ ବାହାରେ ଶିବସେନା କର୍ମୀଙ୍କ ଆନ୍ଦୋଳନ ବି ଦେଖିବାକୁ ମିଳିଲା । ଶେଷରେ ନିଜ କଥାରୁ ଓହରିଲେ ରାଣା ଦମ୍ପତି ।

ମହାରାଷ୍ଟରେ ହନୁମାନ ଚାଳିଶା ଓ ଲାଉଡସ୍ପିକର ବିବାଦ ପୁଣିଥରେ ମୁଣ୍ଡ ଟେକିଛି । ଆଉ ଏହି ବିବାଦ ଅମରାବତି ସାଂସଦ ନବନୀତ ରାଣା ଓ ତାଙ୍କ ସ୍ୱାମୀ ବିଧାୟକ ରବି ରାଣାଙ୍କ ଏକ ବୟାନ ପରେ ଜୋର ଧରିଛି । ଉଭୟ ରାଣା ଦମ୍ପତି ମୁଖ୍ୟମନ୍ତ୍ରୀଙ୍କ ଘର ସାମ୍ନାରେ ହନୁମାନ ଚାଳିଶା ପାଠ କରିବାକୁ କରିଥିଲେ ଘୋଷଣା । କହିଥିଲେ, ନିଜେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ବି ତାଙ୍କୁ ହନୁମାନ ଚାଳିଶା ପାଠ କରିବାରେ ରୋକି ପାରିବେ ନାହିଁ ।

ରାଣା ଦମ୍ପତିଙ୍କ ଏହି ଘୋଷଣା ତାଙ୍କୁ ସମସ୍ୟା ଘେରରେ ପକାଇଦେଇଛି । କାରଣ ସେମାନଙ୍କୁ ଶିବସେନା କର୍ମୀଙ୍କ ଆକ୍ରୋଷର ସାମ୍ନା କରିବାକୁ ପଡିଛି । ଶନିବାର ନବନୀତ ଓ ରବି ରାଣାଙ୍କ ବାସଭବନକୁ ଘେରି ଘର ଆଗରେ ଧାରଣାରେ ବସିଛନ୍ତି ଶିବସେନା କର୍ମୀ । ଏପରିକି ତାଙ୍କ ବାସଭବନକୁ ଧସେଇ ପସିବାକୁ ଶିବସେନା କର୍ମୀ ଉଦ୍ୟମ ବି କରିଛନ୍ତି । ଏହି ଭିତରେ ପୋଲିସ ଓ ଶିବସେନା କର୍ମୀ ମୁହାଁମୁହିଁ ହୋଇଥିବା ଦେଖିବାକୁ ମିଳିଛି । ଘଟଣାକୁ ନେଇ ରାଜ୍ୟ ରାଜନୀତିରେ ବେସ୍ ହଙ୍ଗମା ବି ଦେଖିବାକୁ ମିଳିଛି । ବିଜେପି ରାଣା ଦମ୍ପତିଙ୍କ ଉଦ୍ୟମକୁ ସ୍ୱାଗତ କରିଥିବାବେଳେ ସେମାନଙ୍କ ନିନ୍ଦା କରିଛି ଶିବସେନା ।

ଲାଉଡ୍ ସ୍ପିକରରେ ହନୁମାନ ଚାଳିଶା ପାଠ କରିବା ବିବାଦକୁ ନେଇ ମହାରାଷ୍ଟ୍ରରେ ରାଜନୀତି ତେଜିବାରେ ଲାଗିଛି । ଲାଉଡ୍ ସ୍ପିକରରେ ହନୁମାନ ଚାଳିଶା ପାଠ କରିବାକୁ ଶିବସେନା ପକ୍ଷରୁ ବିରୋଧ କରାଯାଉଥିବାବେଳେ, ଏହାକୁ ନେଇ ଏମଏନଏସ ଓ ବିଜେପି ଭଳି ଦଳ ରାଜନୈତିକ ପ୍ରସଙ୍ଗ କରିବାରେ ଲାଗିଛନ୍ତି । ଏପରି ସମୟରେ ସ୍ୱାଧୀନ ଦଳର ରାଜନେତା ଲୋକଲୋଚନକୁ ଆସିବା ପାଇଁ ଏଭଳି ଉଦ୍ୟମ କରିଥିବା କହୁଛନ୍ତି ଶିବସେନା କର୍ମୀ । ସେପଟେ ବିବାଦ ତେଜିବା ପରେ ନିଜ କଥାରୁ ଓହରି ଯାଇଛନ୍ତି ନବନୀତ ଓ ରବି ରାଣା । ଉଭୟ ପତୀ-ପତ୍ନୀ କହିଛନ୍ତି ସେମାନଙ୍କ ଉଦ୍ଦେଶ୍ୟ ପୂରଣ ହୋଇଛି ।

ନିଜ କଥାରୁ ଓହରି ସାରିଥିଲେ ବି ନବନୀତ ଓ ରବି ରାଣାଙ୍କ ଘର ସମ୍ମୁଖରେ ଶିବସେନା କର୍ମୀଙ୍କ ଆନ୍ଦୋଳନ ଥମିନାହିଁ । ସେପଟେ ନବନୀତି ରାଣା ଓ ରବି ରାଣାଙ୍କୁ ତାଙ୍କରି ବାସଭବନରୁ ଉଠାଇ ନେଇଛି ମହାରାଷ୍ଟ୍ର ପୋଲିସ । ବିବାଦ କାରଣରୁ ଶନିବାର ଅପରାହ୍ନରେ ରାଣା ଦମ୍ପତିଙ୍କୁ ପୋଲିସ ଉଠାଇ ନେଇଥିବା ଦେଖିବାକୁ ମିଳିଛି ।