ଦେଶରେ ପୁଣି ଉପରମୁହାଁ କରୋନା ଗ୍ରାଫ । ଲଗାତାର ୪ ଦିନ ଧରି ୨ ହଜାର ଉପରେ ରହୁଛି ଦୈନିକ ସଂକ୍ରମଣ

128

କନକ ବ୍ୟୁରୋ: ଦେଶରେ ପୁଣିଥରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢିଲାଣି । ଲଗାତାର ୪ର୍ଥ ଦିନ ୨ ହଜାର ଉପରେ ରହିଛି କରୋନା ସଂକ୍ରମଣ । ରାଜଧାନୀ ଦିଲ୍ଲୀ ସମେତ ଦେଶର ଅନ୍ୟ ପ୍ରମୁଖରେ ବି ସଂକ୍ରମଣ ଉପର ମୁହାଁ ରହିଛି । ସଂକ୍ରମଣ ବଢୁଥିବାରୁ ଦେଶର ବିଭିନ୍ନ ସ୍ଥାନରେ ବି କଟକଣା ଲାଗୁ ହେଲାଣି ।

  • ପୁଣି ଉପର ମୁହାଁ କରୋନା ଗ୍ରାଫ
  • ଦିଲ୍ଲୀ, ହରିଆଣାରେ ସର୍ବାଧିକ ମାମଲା ଚିହ୍ନଟ 

ହୁ ହୁ ହୋଇ ବଢୁଛି କରୋନା ସଂକ୍ରମଣ । ଦେଶର ବିଭିନ୍ନ ମେଟ୍ରୋ ସହରଗୁଡିକରେ ଆକ୍ରାନ୍ତ ସଂଖ୍ୟା ଦ୍ରୁତ ବେଗରେ ବଢିବା ଆରମ୍ଭ କରିଛି । ଲଗାତାର ୪ ଦିନ ଧରି ଦେଶରେ ଦୈନିକ ସଂକ୍ରମଣ ୨ହଜାର ଉପରେ ରହୁଛି । ଗତ ୨୪ ଘଣ୍ଟାରେ ଦେଶରେ…

  • ୨,୫୨୭ ନୂତନ ଆକ୍ରମଣ ଚିହ୍ନଟ ହୋଇଛନ୍ତି 
  • ମାରାତ୍ମକ କରୋନା ସଂକ୍ରମଣରେ ୩୩ ଜଣ ମୃତ୍ୟୁବରଣ କରିଛନ୍ତି 
  • ଦେଶରେ ବର୍ତ୍ତମାନ ସକ୍ରିୟ ରୋଗୀ ସଂଖ୍ୟା ୧୫,୦୭୯ରେ ପହଞ୍ଚିଲାଣି
  • ୨୮ ମାର୍ଚ୍ଚ ପରେ ପୁଣିଥରେ ସକ୍ରିୟ ରୋଗୀ ସଂଖ୍ୟା ୧୫ ହଜାର ଅତିକ୍ରମ କରିଛି 

ରାଜଧାନୀ ଦିଲ୍ଲୀ ସମେତ ଦେଶର ପ୍ରମୁଖ ସହରରେ କରୋନା କେସ୍ ଲଗାତାର ବଢି ବଢି ଚାଲିଛି । ଶୁକ୍ରବାର କେବଳ ଦିଲ୍ଲୀରୁ ୧,୦୪୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ସଂକ୍ରମଣ ହାର ୪.୬୪%ରହିଛି । ଶେଷ ଥର ୧୦ ଫେବ୍ରୁଆରୀରେ ଏତେ ସଂଖ୍ୟାରେ ଆକ୍ରାନ୍ତ ଚିହ୍ନଟ ହେଉଥିଲେ । ତେବେ ଦିଲ୍ଲୀ ପରେ ହରିୟାଣାରେ ସର୍ବାଧିକ ମାମଲା ଚିହ୍ନଟ ହୋଇଛି । ହରିୟାଣାରେ ଗତ ୨୪ ଘଣ୍ଟାରେ ୩୮୫ କରୋନା କେସ ଚିହ୍ନଟ ହୋଇଛି । ରାଜ୍ୟରେ ସଂକ୍ରମଣ ହାର ୩.୪୮% ରହିଛି । ସେପଟେ ତାମିଲନାଡୁରେ ବି ସଂକ୍ରମଣ ହୁ ହୁ ବଢିବା ଆରମ୍ଭ କଲାଣି । ଆଇଆଇଟି ମଦ୍ରାସରେ ଗୋଟିଏ ସପ୍ତାହ ୫୫ ଜଣ କରୋନା ସଂକ୍ରମିତ ହୋଇସାରିଲେଣି । ସେହିପରି କେରଳରେ ବି ସଂକ୍ରମଣ ଉପର ମୁହାଁ ରହିଛି । କେରଳରେ ଶୁକ୍ରବାର ୩୧୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି କେରଳ ସରକାର ମାସ୍କ ବ୍ୟବହାରକୁ ବାଧ୍ୟତାମୂଳକ କରିଛନ୍ତି । ମହାରାଷ୍ଟ୍ରରେ ବି ବଢି ବଢି ଚାଲିଛି ସଂକ୍ରମଣ । ଶୁକ୍ରବାର ମହାରାଷ୍ଟ୍ରରେ ୧୨୧ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ସକ୍ରିୟ ରୋଗୀ ସଂଖ୍ୟା ୪୭୪ ରହିଛି ।

ବିଶେଷଜ୍ଞଙ୍କ କହିବା କଥା ଦେଶରେ ଦ୍ରୁତ ବେଗରେ ବଢୁଥିବା ସଂକ୍ରମଣ ପଛରେ ରହିଛି ଓମିକ୍ରନର ନୂଆ ସବ୍ ଭାରିଆଣ୍ଟ । ତେବେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏହି ନୂଆ ପ୍ରଜାତିକୁ ନେଇ କୌଣସି ଘୋଷଣା କରାଯାଇ ନାହିଁ । ବିଶେଷଜ୍ଞଙ୍କ ଅନୁସାରେ ଓମିକ୍ରନର ଏହି ନୂଆ ପ୍ରଜାତି ଓମିକ୍ରନ ପରି ହିଁ ଘାତକ । ଏହା ପୂର୍ବରୁ ସଂକ୍ରମିତ ହୋଇଥିବା ବ୍ୟକ୍ତିଙ୍କୁ ବି ପୁନଃ ଆକ୍ରାନ୍ତ କରିପାରିବ । ତେଣୁ କରୋନା କଟକଣା ପାଳିବାକୁ ସରକାର ପୁନଃ ଚିନ୍ତା କରୁଛନ୍ତି ।