ଗୁଜରାଟ ପାଇଁ କଂଗ୍ରେସର ନିର୍ବାଚନୀ ଇସ୍ତାହାର । ଭୋଟ ପାଇଁ ଦଳ ଦେଲା ମାଳମାଳ ପ୍ରତିଶ୍ରୁତି

98

କନକ ବ୍ୟୁରୋ : ଆଗକୁ ଗୁଜରାଟ ବିଧାନସଭା ନିର୍ବାଚନ । ଭୋଟ ପାଇଁ ବିଭିନ୍ନ ରାଜନୈତିକ ଦଳ ଭିନ୍ନ ଭିନ୍ନ ପ୍ରତିଶ୍ରୁତିର ବର୍ଷା କରୁଛନ୍ତି । ଗୋଟେପଟେ ହିମାଚଳପ୍ରଦେଶ ନିର୍ବାଚନ ପାଇଁ ଭୋଟ ପଡୁଥିବାବେଳେ ଅନ୍ୟପଟେ ଗୁଜରାଟ ପାଇଁ ନିର୍ବାଚନୀ ଇସ୍ତାହାର ଜାରି କରିଛି କଂଗ୍ରେସ । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ‘ଜନ ଘୋଷଣା ପତ୍ର’ ଜାରି କରିଛନ୍ତି । ସବୁଠୁ ରୋଚକ କଥା ହେଉଛି ଯଦି ଗୁଜରାଟରେ କଂଗ୍ରେସ ସରକାର ଗଠନ କରିବ ତେବେ ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନାମରେ ଥିବା ଷ୍ଟାଡିୟମର ନାଁ ପରିବର୍ତନ କରିବା ନେଇ ଘୋଷଣା ପତ୍ରରେ ଉଲ୍ଲେଖ କରିଛି ଦଳ ।

ଗୁଜରାଟ ପାଇଁ କଂଗ୍ରେସର ପ୍ରତିଶ୍ରୁତି:
• ୧୦ଲକ୍ଷ ଯୁବକଯୁବତୀଙ୍କୁ ରୋଜଗାର ଦିଆଯିବ
• ରାଜ୍ୟର ମହିଳାମାନଙ୍କୁ ମିଳିବ ୫୦% ସଂରକ୍ଷଣ
• ଛାତ୍ରୀମାନଙ୍କୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷା ଦିଆଯିବ
• ୩ହଜାର ଇଂରାଜୀ ବିଦ୍ୟାଳୟ ଖୋଲାଯିବ
• ପ୍ରତ୍ୟେକ ମାସ ୩ହଜାର ଟଙ୍କା ବେକାରୀ ଭତ୍ତା ମିଳିବ
• ମହିଳା, କୃଷକଙ୍କ ଉପରେ ଅଧିକ ଫୋକସ କରିଛି ଦଳ
• କୃଷକମାନଙ୍କ ଋଣ ଛାଡ୍ କରାଯିବ
• ୩ଶହ ୟୁନିଟ ପର୍ଯ୍ୟନ୍ତ ମିଳିବ ମାଗଣା ବିଜୁଳି
• ନରେନ୍ଦ୍ର ମୋଦି ଷ୍ଟାଡିୟମ ନାଁ ବଦଳିବ
• ପ୍ରତ୍ୟେକ ଗୁଜରାଟବାସୀଙ୍କୁ ମିଳିବ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ସ୍ୱାସ୍ଥ୍ୟ ଚିକିତ୍ସା ସେବା
• ପ୍ରଥମ କ୍ୟାବିନେଟ ବୈଠକରେ ସମସ୍ତ ପ୍ରତିଶ୍ରୁତି ଉପରେ ବାଜିବ ମୋହର

କଂଗ୍ରେସ କହିଛି ୬ଲକ୍ଷ ଲୋକଙ୍କ ମତାମତ ଗ୍ରହଣ କରି ଏହି ପ୍ରତିଜ୍ଞାପତ୍ର ପ୍ରସ୍ତୁତ କରାଯାଇଛି ଓ ଗୁଜରାଟରେ ସରକାର ଗଠନ କଲେ ପ୍ରତ୍ୟେକ ପ୍ରତିଶ୍ରୁତି ପୂରଣ କରାଯିବ । ୧୨୫÷ାସନ ସହ ଏଥରକ ନିର୍ବାଚନ ଦଳ ଜିତିବ ବୋଲି ଦୃଢୋକ୍ତି ସହ କହିଛି ।

ଡିସେମ୍ବର ୧ ଓ ୫ ତାରିଖରେ ୨ଟି ପର୍ଯ୍ୟାୟରେ ପଡିବ ଭୋଟ । ଡିସେମ୍ବର ୫ରେ ଉଭୟ ହିମାଚଳ ଓ ଗୁଜରାଟର ଫଳାଫଳ ଏକା ସହ ପ୍ରକାଶ ପାଇବ । ଦୀର୍ଘ ୨୭ବର୍ଷ ହେବ କଂଗ୍ରେସ ହାତରେ ଗୁଜରାଟର ଶାସନ ଡୋରି ନାହିଁ । ଏପଟେ ଆମ୍ ଆଦମୀ ପାର୍ଟିିର୍ ମଧ୍ୟ ଗୁଜରାଟରେ ଖାତା ଖୋଲିବା ପାଇଁ ପ୍ରାଣପ୍ରଣେ ଉଦ୍ୟମ କରୁଛି । ତେଣୁ ଏଠାରେ ବିଜେପି, ଆପ ଓ କଂଗ୍ରେସ ମଧ୍ୟରେ ଜୋରଦାର ତ୍ରୀମୁଖୀ ଲଢେଇର ବେଶ ସମ୍ଭାବନା ରହିଛି ।