ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରସ୍ତୁତ ହେଉଛି ମଇଦାନ: କାହାକୁ ବିଜେଡି କରିବ ପ୍ରାର୍ଥୀ, ତା’ ଉପରେ ନଜର

308

କନକ ବ୍ୟୁରୋ: ଧାମନଗର ଉପନିର୍ବାଚନ ପରେ ସମସ୍ତଙ୍କ ନଜର ଏବେ ପଦ୍ମପୁର ଉପନିର୍ବାଚନ ଉପରେ ରହିଛି । ପଦ୍ମପୁରରେ ବିଜୟୀ ହୋଇ ବିଜୟଧାରାକୁ ବଜାୟ ରଖିବାକୁ ବିଜେପି ଲକ୍ଷ୍ୟ ରଖିଥିବାବେଳେ ଗହ ରକ୍ଷା କରିବା ଲକ୍ଷ୍ୟରେ ରହିଛି ବିଜୁ ଜନତା ଦଳ । ଆଉ କଂଗ୍ରେସ ନିଜ ଭୋଟ ବ୍ୟାଙ୍କକୁ ସୁରକ୍ଷିତ ରଖିବାକୁ ଉଦ୍ୟମ ଚଳାଇଛି । ଏସବୁ ଭିତରେ ଆଜି ବିଜେପି ପକ୍ଷରୁ ପ୍ରଦୀପ ପୂରୋହିତଙ୍କୁ ପ୍ରାର୍ଥୀ ଘୋଷଣା କରାଯାଇଛି । ହେଲେ ବିଜେଡି ଓ କଂଗ୍ରେସ ପକ୍ଷରୁ କାହାକୁ ପ୍ରାର୍ଥୀ କରାଯିବ ସେନେଇ ଜାରି ରହିଛି ଅଙ୍କକଷା ।

ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରଦୀପ ପୁରୋହିତ, ବିଜେପି ପ୍ରାର୍ଥୀ । କଂଗ୍ରେସରୁ ସତ୍ୟଭୂଷଣ ସାହୁଙ୍କ ନାଁ ଦଳ ପକ୍ଷରୁ ଘୋଷଣା କରାଯାଇଛି, ହେଲେ ବିଜେଡିରୁ କିଏ ପ୍ରାର୍ଥୀ ହେବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

ପଦ୍ମପୁର ଉପନିର୍ବାଚନରେ ବିଜେପିରୁ ପ୍ରଦୀପ ପୁରୋହିତ ପ୍ରାର୍ଥୀ ହେବା ନେଇ ପୂର୍ବରୁ ହେଉଥିବା ଚର୍ଚ୍ଚାରେ ଆନୁଷ୍ଠାନିକ ମୋହର ମାରିଛି ଦଳ । ବିଜେପି ପ୍ରଦୀପଙ୍କୁ ପ୍ରାର୍ଥୀ କରିବା ପୂର୍ବରୁ ଚୂଡାନ୍ତ ହୋଇ ସାରିଥିଲେ ବି ଶନିବାର ତାଙ୍କ ନାଁକୁ ବିଧିବଦ୍ଧ ଭାବେ ଦଳ ପକ୍ଷରୁ ଘୋଷଣା କରାଯାଇଛି । ଆଉ ପ୍ରଦୀପ ପୁରୋହିତ ୧୪ତାରିଖ ଦିନ ନାମାଙ୍କନ ଦାଖଲ କରିବେ ବୋଲି ସୂଚନା ମିଳିଛି ।

ସେହିପରି କଂଗ୍ରେସ ପୁରୁଣା ଚେହେରା ସତ୍ୟ ଭୂଷଣ ସାହୁଙ୍କ ଉପରେ ପୁଣି ଥରେ ଭରଷା କରିଛି । ଏବେ ବିଜେଡି ପ୍ରାର୍ଥୀଙ୍କ ନାଁ ଘୋଷଣାକୁ ଅପେକ୍ଷା କରାଯାଇଛି । ବିଜେଡିର ମାନସ ମନ୍ଥନ ଜାରି ରହିଛି । ଆସନ୍ତା ଦିନେ-ଦୁଇଦିନ ମଧ୍ୟରେ ଦଳ ପଦ୍ମପୁର ପାଇଁ ପ୍ରାର୍ଥୀ ଘୋଷଣା କରିବା ସମ୍ଭାବନା ରହିଛି । ତେବେ କାହାକୁ ଦଳ ପ୍ରାର୍ଥୀ କରିବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ କରିନି ।

ବିଜେଡି କାହାକୁ ପ୍ରାର୍ଥୀ କରିବ ଚର୍ଚ୍ଚା ଭିତରେ ୨୦୧୯ରେ ପଦ୍ମପୁର ଆସନରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ିଥିବା ରାଜୁ ଘିବେଲାଙ୍କୁ ବିଜେଡି ଗୁରୁଦାୟିତ୍ୱ ଦେଇଛି । ଦଳର ରାଜ୍ୟ ସମ୍ପାଦକ ଭାବେ ରାଜୁଙ୍କୁ ମିଳିଛି ନୂଆ ଦାୟିତ୍ୱ । ଗତ କିଛି ଦିନ ତଳେ ସେ ବିଜେଡିରେ ସାମିଲ ହୋଇଥିଲେ । ସେ ସମୟରେ ୪ହଜାର ଭୋଟ ପାଇଥିଲେ । ବିଜେପିରୁ ଟିକେଟ ପାଇବା ନେଇ ଆଶାୟୀ ଥିଲେ କିନ୍ତୁ ଟିକେଟ ମିଳିବାରୁ ଦଳ ଛାଡି ସ୍ୱାଧୀନ ଭାବେ ଲଢ଼ିଥିଲେ । ପଦ୍ମପୁର ଲଢ଼େଇରେ ବିଜେଡି ନିଜକୁ ଶକ୍ତିଶାଳୀ କରିବାକୁ ଏଭଳି ପଦକ୍ଷେପ ନେଇଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । .. ହେଲେ, ବିଜେଡି ସୁପ୍ରିମୋ ପଦ୍ମପୁର ଉପନିର୍ବାଚନରେ କାହାକୁ ପ୍ରାର୍ଥୀ କରୁଛନ୍ତି ତା ଉପରେ ସମସ୍ତଙ୍କ ନଜର ରହିଛି ।