ଆଜି ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ : ଆସନ୍ତାକାଲି ସୁଦ୍ଧା ନେଇପାରେ ଲଘୁଚାପର ରୂପ

826

କନକ ବ୍ୟୁରୋ : କାଳବୈଶାଖୀ ପ୍ରଭାବରେ ରାଜ୍ୟରେ ଦୁଇ ସପ୍ତାହ ହେଲା ମେଘୁଆ ପାଗ ସହ ବର୍ଷା ଲାଗିରହିଛି । ତେବେ ଆଜି ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭବନା ରହିଛି । ଆସନ୍ତାକାଲି ସୁଦ୍ଧା ଏହି ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଲଘୁଚାପ ସୃଷ୍ଟି ହେବା ପରେ ଏହାର ତିବ୍ରତା କେତେ ରହିବ ଓ ସାମ୍ଭବ୍ୟ ବାତ୍ୟାର ଗତିପଥ ତ୍ରୀବତା ନେଇ ସୂଚନା ମିଳିପାରିବ ।

ତେବେ ୱିଣ୍ଡି ଡଟ୍ କମ୍ ପ୍ରଦର୍ଶିତ କରିଥିବା ଜିଏଫଏସ ମଡେଲର ଚିତ୍ର ଅନୁସାରେ ୯ ତାରିଖରୁ ୧୨ ତାରିଖ ସଂଧ୍ୟା ୬ଟା ପର୍ଯ୍ୟନ୍ତ ବାତ୍ୟା ସୃଷ୍ଟି ହେବ । ୧୦ ଓ ୧୧ ତାରିଖରେ ଉପକୂଳ ଆଡ଼କୁ ଗତି କରିବ ବାତ୍ୟା । ଆଉ ଏହା ସ୍ଥଳ ଭାଗରେ ମାଡ଼ ହେବ । ପ୍ରାୟ ସମସ୍ତ ମଡେଲ୍ ଅତି ଭୀଷଣ ସାମୁଦ୍ରିକ ଝଡ଼ ହୋଇପାରେ ବୋଲି ଆକଳନ କରୁଛି । ଯଦିଓ ମଡେଲର ଆକଳନ ବାରମ୍ବାର ବଦଳିଥାଏ, କିନ୍ତୁ ବର୍ତମାନର ଚିତ୍ର ଦର୍ଶାଉଛି ମିଆଁମାର ମୁହାଁ ହୋଇପାରେ ବାତ୍ୟା । କିନ୍ତୁ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ତୀବ୍ରତା ଓ ଗତିପଥ ନେଇ ସ୍ପଷ୍ଟ ଚିତ୍ର ଆସିବ ବୋଲି କହିଛି ଭାରତୀୟ ପାଣିପାଗ ବିଭାଗ ।

ମେ’ ମାସରେ ବାତ୍ୟା ବାରମ୍ବାର ଆସୁଥିବାରୁ ଓଡ଼ିଶାବାସୀଙ୍କ ମନରେ ଛନକା ପଶିଛି । ସମୁଦ୍ର ଭିତରର ସ୍ଥିତି ଏବେ ଯାହା ରହିଛି, ତାହା ବାତ୍ୟା ପାଇଁ ଅନୁକୂଳ ରହିଛି । ଆଇଏମଡି ପକ୍ଷରୁ ପୂର୍ବାନୁମାନ କରାଯାଇଛି, ୭ ତାରିଖରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ଏହା ଅଧିକ ଘନୀଭୂତ ହୋଇ ଅବପାତ ଏବଂ ୯ ତାରିଖ ସୁଦ୍ଧା ବାତ୍ୟାର ରୂପ ନେଇପାରେ ।