ଇନ୍ଦୀରା ଗାନ୍ଧୀ ବିମାନବନ୍ଦରରେ ପୋଲିସ ସାଜିଲା ଲୁଟେରା, ଚେକିଂବେଳେ ଲୁଟିନେଲା ୫୦ ଲକ୍ଷ ଟଙ୍କାର ସୁନା

236

କନକ ବ୍ୟୁରୋ : ଦିଲ୍ଲୀ ଇନ୍ଦୀରା ଗାନ୍ଧୀ ବିମାନବନ୍ଦରରେ ନିୟୋଜିତ ଥିବା ୨ଜଣ କନେଷ୍ଟବଳଙ୍କୁ ଛଟେଇ କରାଯାଇଛି । ଛଟେଇର କାରଣ ଜାଣିଲେ ଆପଣ ବି ଚକିତ ହୋଇଯିବେ । କାରଣ ସେ ବିମାନବନ୍ଦରରେ ନିଯୁକ୍ତ ପୋଲିସ ହୁଅନ୍ତୁ କି ସାଧାରଣ ଥାନାରେ ନିଯୁକ୍ତ ପୋଲିସ । ଏମାନଙ୍କର କାମ ହେଉଛି ଚୋରୀ ଧରିବା ଓ ଲୋକଙ୍କୁ ସୁରକ୍ଷା ଦେବା । ହେଲେ ଏହି କନେଷ୍ଟବଳ ୨ଜଣ ବିମାନବନ୍ଦରରେ ଯାତ୍ରୀଙ୍କୁ ଚେକ୍ କରୁଥିବା ବେଳେ ସେମାନେ ଆଣିଥିବା ଚୋରା ସୁନାରୁ ୫୦ ଲକ୍ଷ ଟଙ୍କାର ସୁନା ଚୋରି କରିନେଇଛନ୍ତି ।

ସୂଚନା ମୁତାବକ ଛଟେଇ ହୋଇଥିବା କନେଷ୍ଟବଳ ୨ଜଣ ଦିଲ୍ଲୀ ବିମାନବନ୍ଦରରେ ସ୍ପେଶାଲ ଅପରେଶନ ସ୍କ୍ୱାର୍ଡରେ ନିୟୋଜିତ ଥିଲେ । ଏହି ଦୁଇଜଣଙ୍କ ଉପରେ ୫୦ଲକ୍ଷ ସୁନାଚୋରୀର ଅଭିଯୋଗ ଆସିବା ପରେ ଅଡୁଆରେ ପଡିଛନ୍ତି ଉପରିସ୍ଥ କର୍ମଚାରୀ । ତଥ୍ୟ ମୁତାବକ ମସ୍କଟ ଓ କତାରରୁ କିଛି ଲୋକ ଦିଲ୍ଲୀ ବିମାନବନ୍ଦରରେ ଉହ୍ଲାଇଥିଲେ । ସେମାନେ ନିଜ ମାଲିକର ସୁନା ନେଇ ଭାରତ ଆସିଥିଲେ । ବିମାନବନ୍ଦରରେ ପୋଲିସ ଯାଂଚ କରିବା ବାହାନାରେ ସେମାନଙ୍କ ନିଟକରେ ଥିବା ସମସ୍ତ ସୁନା ଚୋରାଇ ନେଇଥିଲେ ।

 

ଏହାପରେ ପୀଡିତମାନେ ଏନେଇ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ଉପରିସ୍ଥ ଅଧିକାରୀମାନେ ତୁରନ୍ତ ତଦନ୍ତ କରି ଅଭିଯୁକ୍ତ ୨ କନେଷ୍ଟବଳଙ୍କୁ ଛଟେଇ କରିଛନ୍ତି । ଏବେ ସେମାନଙ୍କୁ ପଚରା ଉଚରା ଚାଲିଛି । ଏହି ସୁନା ଚୋରିରେ କେବଳ ଏହି ୨ ଜଣ ସଂପୃକ୍ତ ଅଛନ୍ତି କି ଏମାନଙ୍କ ପଛରେ ଆଉକିଏ ରହିଛି ତାହା ତଦନ୍ତ ପରେ ସ୍ପଷ୍ଟ ହେବ ।