ରକ୍ତଦାନ କରିବାକୁ ଆସିଲେ, କିନ୍ତୁ ରକ୍ତ ନଦେଇ ଫଟୋ ଉଠାଇ ଚାଲିଗଲେ । ଢେଙ୍କାନାଳ ବିଜେଡି ଛାତ୍ର ନେତାଙ୍କ ରକ୍ତଦାନ ଶିବିରକୁ ନେଇ ଚର୍ଚ୍ଚା ।

824

କନକ ବ୍ୟୁରୋ: ରକ୍ତଦାନ କରିବା ଭଳି ପୋଜ୍ ଦେଇ ଫଟୋ ଉଠାଇଲେ କିନ୍ତୁ ରକ୍ତ ଦେଲେ ନାହିଁ । ନେତାଙ୍କ ମନ ଜିଣିବା ପାଇଁ ଛାତ୍ର ନେତାଙ୍କ ଏଭଳି କାରନାମା ଏବେ ପଦାରେ ପଡିଛି । ଢେଙ୍କାନାଳରେ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଜନ୍ମଦିନ ଅବସରରେ ଆୟୋଜିତ ରକ୍ତ ଦାନ ଶିବିରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ।

  • ବେଡରେ ଶୋଇଲେ, ବ୍ଲଡ୍ ଦେଲେନି
  • ଫଟୋ ଉଠାଇ ବାହାବା ନେଲେ

ରକ୍ତଦାନ କରିବା ଭଙ୍ଗୀରେ ବ୍ଳଡବ୍ୟାଙ୍କର ବେଡରେ ଶୋଇଛନ୍ତି ବିଜେଡି ଛାତ୍ର ନେତା । ବିଜୁ ଛାତ୍ର ଜନତା ଦଳ ରାଜ୍ୟ ସମ୍ପାଦକ ଶଶୀକାନ୍ତ ମିଶ୍ର, ଢେଙ୍କାନାଳ ଜିଲ୍ଲା ଛାତ୍ର ସମ୍ପାଦକ ଅନିମେଶ ବେହେରା ଓ ଅନ୍ୟ କିଛି ଛାତ୍ର ନେତା ରକ୍ତଦାନ କରୁଥିବା ବେଳେ ତାଙ୍କ ସହ ଅଛନ୍ତି ଅନ୍ୟ କିଛି ଛାତ୍ର । ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଜନ୍ମଦିନ ଅବସରରେ ଜୁନ ୨୮ରେ ଆୟୋଜିତ ହୋଇଥିଲା ଏହି ରକ୍ତଦାନ ଉତ୍ସବ । କିନ୍ତୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ନା ଦେହରେ ଲାଗିଛି ଛୁଞ୍ଚି ନା ଅଛି ରକ୍ତ ସଂଗ୍ରହ ପାଇଁ ବ୍ୟବହାର ହେଉଥିବା ପାଉଚ୍ ।

ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଏହି ଛାତ୍ର ନେତା କେବଳ ଫଟୋ ଉଠାଇ ବାହା ବାଃ ନେବା ପାଇଁ କରିଛନ୍ତି ଏମିତି କାମ । ଆଉ ଏହି ଫଟୋକୁ ସୋସିଆଲ ମିଡିଆରେ ଭାଇରାଲ କରି ପ୍ରଶଂସା ସାଉଁଟିବାକୁ କରିଛନ୍ତି ଉଦ୍ୟମ । ବଡ କଥା ହେଉଛି, ଏହି ଘଟଣା ପ୍ରଘଟ ହେବା ପରେ ଏବେ ସେହି ଦିନ ରକ୍ତଦାନ କରିଥିବା ଜଣେ ଯୁବକଙ୍କୁ ଆଣି ନିଜ କର୍ମକର୍ତ୍ତା ବୋଲି ଦାବି କରିଛନ୍ତି ଏହି ଛାତ୍ର ନେତା । ତେବେ ତାଙ୍କୁ ମିଳିଥିବା ରକ୍ତଦାତା ସାର୍ଟିଫିକେଟରେ ସେ ନ୍ୟାସନାଲ ୟୁଥ୍ ଆସୋସିଏସନ ଆନୁକୂଲ୍ୟରେ ରକ୍ତ ଦେଇଥବା ଉଲ୍ଲେଖ ଅଛି ।

ତେବେ ଗତ କିଛି ବର୍ଷ ଧରି ଜୀବନବିନ୍ଦୁ କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟରେ ସବୁଠାରୁ ଅଧିକ ରକ୍ତ ସଂଗ୍ରହ କରୁଥିବା ବିଜେଡିର ଏହି ଛାତ୍ର ନେତାଙ୍କ ଏମିତି ନକଲି ରକ୍ତଦାନକୁ ନେଇ ଏବେ ସାଧାରଣରେ ଚର୍ଚ୍ଚା ସୃଷ୍ଟି ହୋଇଛି ।