କେମିତି ବିକ୍ରି ହୁଏ ଲୁଟ୍ ସୁନା? କନକ କ୍ୟାମେରା ଆଗରେ କଳା କାରବାରର କାହାଣୀ କହିଲେ ବ୍ୟବସାୟୀ

200

କନକ ବ୍ୟୁରୋ: ଡକାୟତି, ଲୁଟ ହେଉ ଅବା ଛିନତାଇ । ସୁନା ଲୁଟିବା ପରେ ଆଖି ପିଛୁଳାକେ ଗାଏବ ହୋଇଯାଆନ୍ତି ଲୁଟେରା । ହେଲେ କୁଆଡ଼େ ଯାଏଁ ଏହି ଲୁଟ ସୁନା ? କାହିଁକି ଲୁଟେରା ମିଳନ୍ତି, ହେଲେ ସୁନା ମିଳେ ନାହିଁ । ପୋଲିସକୁ ଚକମା ଦେଇ ଦୁଇ ପାଦ ଆଗରେ କେମିତି ଥାନ୍ତି ଲୁଟେରା । ଏହି କଳା କାରନାମାର ସତ କାହାଣୀ ଜାଣିବାକୁ ଅନୁସନ୍ଧାନ କରିଥିଲା କନକ ନ୍ୟୁଜ୍ ।

ଚୋରମାନେ ଲୁଟ୍ ସୁନାକୁ ଧରି ଦୋକାନୀ କିମ୍ବା ବଣିଆଙ୍କ ପାଖରେ ପହଂଚିବା ପରେ ଏହାର ମାନ ପରୀକ୍ଷା କରାଯାଏ । ଆଉ ଚୋରି ସୁନାକୁ ଦେଖିବା ପରେ ମନୋପଲି ଆରମ୍ଭ କରିଦିଅନ୍ତି ଦୋକାନୀ । ଏପରିକି ୨୨ କ୍ୟାରେଟର ସୁନାକୁ ନିମ୍ନମାନର ସୁନା କହି ୧୦ ଗ୍ରାମ ଅର୍ଥାତ୍ ଭରିଏ ସୁନା ବାବଦକୁ ମାତ୍ର ୧୫ରୁ ୨୦ ହଜାର ଟଙ୍କା ଲୁଟେରାଙ୍କୁ ଦେଇଥାନ୍ତି । ଏହାପରେ ସୁନାକୁ ତରଳାଇ ୨୪ କ୍ୟାରେଟର ସୁନା ବିସ୍କୁଟରେ ପରିଣତ କରନ୍ତି । ଆଉ ଏହି ସୁନା ବିସ୍କୁଟ ବଦଳରେ ଡିଲରଙ୍କ ଠାରୁ ଗହଣା କିଣିଥାନ୍ତି । ଯେଉଁ ଗହଣା ଆପଣଙ୍କ ବେକରୁ ଲୁଟ ହୋଇଥିବ ତାହା ପୁଣି କେଉଁ ଦୋକାନର କାଂଥରେ ସୋ’ପିସ୍ ପାଲଟି ଯାଇଥିବ ।

ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ପରି ଲୁଟେରାଙ୍କୁ ଖୋଜୁ ଖୋଜୁ ସୁନା କିଣୁଥିବା ଦଲାଲମାନଙ୍କ ବାବଦରେ ଜାଣିବାକୁ ପାଇଥିଲା ପୋଲିସ୍ । ଆଉ ସେମାନଙ୍କ ଭିତରୁ ସୁନା କିଣିଥିବା ଦୋକାନୀ ଓ ବଣିଆଙ୍କୁ ଗିରଫ ମଧ୍ୟ କରାଯାଇଛି ।