କିପରି ହୁଏ ଏଟିଏମ୍ ଲୁଟ୍ ? ଡେମୋ ଦେଖାଇଲେ ଲୁଟେରା

268

କନକ ବ୍ୟୁରୋ : କିପରି ହୁଏ ଏଟିଏମ୍ ଲୁଟ୍ । ଡେମୋ ଦେଖାଇଲେ ଲୁଟେରା । ଗଂଜାମ ପୋଲିସ୍ ହାତରେ ଧରା ପଡିଥିବା ଦୁଇ ଜଣ ଆନ୍ତଃ ରାଜ୍ୟ ଲୁଟେରା ନିଜ କାରନାମା ପୋଲିସ ଆଗରେ ଦେଖାଇଛନ୍ତି । ଏହି ଦୁଇ ଲୁଟେରାଙ୍କୁ ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ପାଲୁର ଛକରୁ ଗିରଫ କରିଥିଲା ରମ୍ଭା ପୋଲିସ । ଆଉ ଗିରଫ ହେବା ପରେ କିପରି ଲୁଟ କରୁଥିଲେ ଏଟିଏମ୍ କାର୍ଡ ତାହାର ଡେମୋ ଦେଖାଇଛନ୍ତି ଦୁଇ ଅଭିଯୁକ୍ତ ।

ପୋଲିସ ଦୁହିଁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଦୁଇ ଲୁଟେରା ହେଲେ, ଚମାଖଣ୍ଡି ଥାନା ସିତାରାମପୁର ଗାଁର ହରିହର ରେଡି ଓ ଲକ୍ଷ୍ମୀପୁର ଗାଁର ରଘୁନାଥ ରେଡି । ସେମାନଙ୍କ ଠାରୁ ୧୨ଟି ଏଟିଏମ୍ କାର୍ଡ ସହ ୯୨ ହଜାର ଟଙ୍କା ଜବତ କରିଛି ପୋଲିସ । ଏହି ଦୁଇଜଣ ଆନ୍ତଃ ରାଜ୍ୟ ଲୁଟେରା । ସେମାନେ ଦୀର୍ଘ ସମୟ ଧରି କୌଣସି ଏଟିଏମ୍ ପାଖରେ ଜଗି ରହନ୍ତି । କୌଣସି ବରିଷ୍ଠ ନାଗରିକ ଏଟିଏମକୁ ଟଙ୍କା ଉଠାଇବାକୁ ଗଲେ, ସେମାନଙ୍କୁ ସାହାଯ୍ୟ କରିବା କରିବା ଉଦ୍ଦେଶ୍ୟରେ ଭିତରକୁ ଯାଆନ୍ତି । ଆଉ ସୁଯୋଗ ଦେଖି ଏଟିଏମ୍ କାର୍ଡ ବଦଳାଇ ଦେଇଥାନ୍ତି । ଆଉ ସମୟ ଦେଖି ଟଙ୍କା ଲୁଟି ନେଇଥାନ୍ତି ।

ମଙ୍ଗଳବାର ଦୁଇ ଲୁଟେରା ପାଲୁର ଛକରେ ଥିବା ଏଟିଏମ୍ ନିକଟରୁ ଏଭଳି ଏଟିଏମ୍ କାର୍ଡ ବଦଳ କରି ଫେରାର ହେଉଥିବାବେଳେ ସ୍ଥାନୀୟ ଲୋକେ ଦୁଇ ଜଣଙ୍କୁ କାବୁ କରି ପୋଲିସକୁ ହସ୍ତାନ୍ତର କରିଥିଲେ । ତେବେ ଏହି ଦୁଇଜଣଙ୍କ ନାଁରେ ରମ୍ଭା ଥାନାରେ ଦୁଇଟି ମାମଲା ରହିଛି । ଏହାଛଡା ଅନ୍ୟ ଜିଲ୍ଲାର ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।