ହସ୍ପିଟାଲରେ ଭର୍ତ୍ତି ନହୋଇ ମଧ୍ୟ ମେଡିକାଲ ବୀମା ଦାବି କରିପାରିବେ ରୋଗୀ : ଉପଭୋକ୍ତା ଫୋରମର ବଡ ନିଷ୍ପତ୍ତି ।

300

କନକ ବ୍ୟୁରୋ: ହସ୍ପିଟାଲରେ ଭର୍ତ୍ତି ନହୋଇ ମଧ୍ୟ ମେଡିକାଲ ବୀମା ଦାବି କରିପାରିବେ ରୋଗୀ । ଉପଭୋକ୍ତା ଫୋରମ ଶୁଣାଇଛି ଏପରି ବଡ ନିଷ୍ପତ୍ତି । ବଦୋଦରାରେ ଜଣେ ବ୍ୟକ୍ତି ହସ୍ପିିଟାଲ ବିରୋଧରେ ଉପଭୋକ୍ତା ଫୋରମର ଦ୍ୱାରସ୍ଥ ହେବା ପରେ ଏଭଳି ନିଷ୍ପତ୍ତି ଶୁଣାଯାଇଛି ।

କଥା ହେଉଛି ବଦୋଦାରାର ବ୍ୟକ୍ତି ରମେଶ ଚନ୍ଦ୍ର ଯୋଶୀଙ୍କ ପତ୍ନୀଙ୍କୁ ୨୦୧୬ରେ ଡର୍ମେଟମାୟୋସାଇଟିସ୍ ନାମକ ସମସ୍ୟା ହୋଇଥିଲା । ଏଥିପାଇଁ ତାଙ୍କୁ ଅହମଦାବାଦର ଲାଇଫକେୟାର ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ ଆଣ୍ଡ୍ ରିସର୍ଚ୍ଚ ସେଣ୍ଟରରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସା ପରେ ପରଦିନ ପାଖାପାଖି ଅପରାହ୍ନରେ ତାଙ୍କୁ ଡିସଚାର୍ଜ କରିଦିଆଗଲା ।

ଗଣମାଧ୍ୟମର ରିପୋର୍ଟ ମୁତାବକ, ଏଥିପାଇଁ ରମେଶ ଚନ୍ଦ୍ର ଇନସ୍ୟୁରାନ୍ସ କମ୍ପାନୀଠାରୁ ୪୪, ୪୬୮ ଟଙ୍କା କ୍ଲେମ କରିଥିଲେ । ହେଲେ ଏହାକୁ ବୀମା କମ୍ପାନୀ ଅଗ୍ରାହ୍ୟ କରିଦେଇଥିଲା । ହସ୍ପିଟାଲରେ ରୋଗୀ ୨୪ ଘଣ୍ଟାରୁ କମ୍ ସମୟ ରହିଲେ ବୀମା ଦାବି କରିପାରିବେ ନାହିଁ ବୋଲି କାରଣ ଦର୍ଶାଇ ବୀମା ଟଙ୍କା ଦେବାକୁ ମନା କରିଦେଲେ । ଏହା ବିରୋଧରେ ରମେଶ ଚନ୍ଦ୍ର ଉପଭୋକ୍ତା ଫୋରମର ଦ୍ୱାରସ୍ଥ ହେବା ସହ ସବୁ ଦସ୍ତାବିଜ୍ ଦାଖଲ କରିଥିଲେ । ଶେଷରେ ନିଷ୍ପତ୍ତି ରମେଶ ଚନ୍ଦ୍ରଙ୍କ ସପକ୍ଷରେ ଯାଇଛି ।

ଉପଭୋକ୍ତା ଫୋରମର କହିବା ଅନୁସାରେ ପୂର୍ବାପେକ୍ଷା ଆଜିକାଲି ଚିିକିତ୍ସା ପ୍ରଣାଳୀ ଉନ୍ନତ ମାନର ହେଲାଣି । ଏଥିପାଇଁ ପୂର୍ବାପେକ୍ଷା ରୋଗୀଙ୍କୁ ହସ୍ପିଟାଲରେ ବେଶୀ ସମୟ ରହିବାକୁ ପଡୁନାହିଁ । ତେଣୁ ଏଭଳି କ୍ଷେତ୍ରରେ ବୀମା କମ୍ପାନୀର ଯୁକ୍ତି ଅସଙ୍ଗତ । ରମେଶ ଚନ୍ଦ୍ରଙ୍କୁ ତାଙ୍କ ପ୍ରାପ୍ୟ ଦେବାକୁ ନିର୍ଦ୍ଦେଶ ଦେଇଛି ଉପଭୋକ୍ତା ଫୋରମ୍ । କେବଳ ଏତିକି ନୁହେଁ , ମେଡିକାଲ ଇନସ୍ୟୁରାନ୍ସ ଦାବୀ କରିବାକୁ ହସ୍ପିଟାଲରେ ଭର୍ତ୍ତି ହେବା ଜରୁରୀ ନୁହେଁ ବୋଲି କହିଛି ଉପଭୋକ୍ତା ଫୋରମ୍ ।