ଘର ଭାଙ୍ଗି ଯିବା ପରେ ବାସହରା ମାଆ-ପୁଅ: ଦିନରେ ମୂଲ ଲାଗି, ରାତିରେ ବସଷ୍ଟାଣ୍ଡରେ ବିତୁଛି ଜୀବନ

168

କନକ ବ୍ୟୁରୋ: କିଟିକିଟି ଅନ୍ଧାର ସାଙ୍ଗକୁ ବର୍ଷା ରାତି । ଶୋଇ ପଡିଛି ସାରା ସହର । ନା ଶୁଭୁଛି ଲୋକଙ୍କ କୋଳାହଳ, ନାଁ ଗାଡି ମଟର ଶବ୍ଦ । ନିସ୍ତବ୍ଧ ସହରରେ ରାତି ପ୍ରାୟ ୧୧ଟାରେ ଆମ ପ୍ରତିନିଧିଙ୍କ ନଜର ପଡିଥିଲା ନବରଙ୍ଗପୁର ଜିଲ୍ଲା ଉମରକୋଟ୍ ବସଷ୍ଟାଂଡ ଚଟାଣରେ ଶୋଇଥିବା ମାଆ-ପୁଅଙ୍କ ଉପରେ । ପାଖକୁ ଯାଇ ଜାଣିବାକୁ ପାଇଲୁ, ରାସ୍ତା କଡ଼ ଚଟ୍ଟାଣରେ ଦୀର୍ଘ ଦିନ ହେବ ଏମିତି ଶୋଉଛନ୍ତି ଜଣେ ବୁଢୀ ମାଆ ଓ ତାଙ୍କ ପୁଅ । ଦିନ ସାରା ମଜୁରୀ ଲାଗି ଯାହା ମିଳିଲା ସେଥିରୁ ହୋଟେଲରୁ କିଣି ଖାଉଛନ୍ତି ଆଉ ଏମିିତି ରାତି କାଟୁଛନ୍ତି । ଆଉ ଯେଉଁଦିନ କାମ ନମିଳେ ସେହିଦିନ ଖାଲି ପେଟରେ ଶୋଇ ଯାଆନ୍ତି ମାଆ-ପୁଅ । ଗୋଟିଏ ପତଳା ଲୁଗା ତଳେ ପକେଇ ଆଉ ଗୋଟିଏ ଘୋଡ଼େଇ ହୋଇ ଶୋଉଛନ୍ତି । ପୁଅ ବଳରାମଙ୍କ ଅବସ୍ଥା ବି ଠିକ୍ ସେହିପରି ।

ଦିନେ ଏମାନଙ୍କର ମଧ୍ୟ ଘର ଥିଲା । ଉମରକୋଟ ପୌର ପରିଷଦ ଅଂଚଳର ୯ ନମ୍ବର ୱାର୍ଡ ସଂତୋଷୀ ନଗରରେ ଘରଟିଏ ଥିଲା । ସେହି ଘରେ ସୁଖ ଦୁଖରେ ଦିନ କଟୁଥିଲା । ହେଲେ କିଛି ମାସ ତଳେ ଅଦିନିଆ ବର୍ଷାରେ ଘରଟି ଭାଙ୍ଗି ଯିବା ପରେ ଏମାନେ ରାସ୍ତାକଡକୁ ଚାଲି ଆସିଛନ୍ତି । ୬୫ ବର୍ଷିୟ ବୃଦ୍ଧା ମାଆ ଶୋଭା ସାହୁ ଓ ତାଙ୍କ ପୁଅ ବଳରାମ ସାହୁଙ୍କ ଠିକଣା ରାସ୍ତାକଡ ପାଲଟିଯାଇଛି । ଶୋଭାଙ୍କ ଆଖିକୁ ଭଲ ଭାବରେ ଦେଖାଯାଉନଥିବା ବେଳେ ଏହିଭଳି ଅବସ୍ଥାରେ ଦୋକାନ ବାହାରେ ଶୋଉଛନ୍ତି । ହେଲେ ଆଜି ଯାଏଁ ଏମାନଙ୍କ ଉପରେ ପ୍ରଶାସନର ନଜର ପଡିନାହିଁ । କି ସରକାରୀ ଯୋଜନାରେ ଘରଟିଏ ମିଳିନାହିଁ । ସେପଟେ ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ମାଆ-ପୁଅଙ୍କ ସମସ୍ୟା ବାବଦରେ ଅବଗତ କରାଇଛନ୍ତି ଆମ ନବରଙ୍ଗପୁର ପ୍ରତିନିଧି । ଗଣମାଧ୍ୟମ ପ୍ରତିନିଧିଙ୍କ ଠାରୁ ଜାଣିବା ପରେ ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି କାର୍ଯ୍ୟନିର୍ବାହୀ ଅଧିକାରୀ ।