ଅନାସ୍ଥା ପ୍ରସ୍ତାବ ଉପରେ ସଂସଦରେ ବୟାନ ରଖିଲେ ଗୃହମନ୍ତ୍ରୀ । କହିଲେ, ମୋଦୀଙ୍କ ନେତୃତ୍ୱାଧୀନ ସରକାର ଉପରେ ରହିଛି ଲୋକଙ୍କର ଅତୁଟ ବିଶ୍ୱାସ

111

କନକ ବ୍ୟୁରୋ : ମଣିପୁର ପ୍ରସଙ୍ଗରେ ବିରୋଧୀମେଣ୍ଟ କେନ୍ଦ୍ର ସରକାରଙ୍କ ବିରୋଧରେ ଆଣିଥିବା ଅନାସ୍ଥା ପ୍ରସ୍ତାବ ଉପରେ ଆଜି ସଂସଦରେ ବୟାନ ରଖିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । ଏହି କ୍ରମରେ ଗୃହମନ୍ତ୍ରୀ କଂଗ୍ରେସ ସମେତ ତମାମ୍ ବିରୋଧୀଦଳଙ୍କ ଉପରେ ବର୍ଷିଛନ୍ତି । ଗୃହମନ୍ତ୍ରୀ କହିଛନ୍ତି କି ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଜନତାଙ୍କୁ ଭ୍ରମିତ କରିବା ଉର୍ଦ୍ଦେଶ୍ୟରେ ଅଣାଯାଇଛି । ଏହି ଅବିଶ୍ୱାସ ପ୍ରସ୍ତାବରେ ନାହିଁ ସରକାରଙ୍କ ବିରୋଧରେ ମୁଦ୍ଦା । ଏହା ସହ ବିରୋଧୀ ଆଣିଥିବା ଅନାସ୍ଥା ପ୍ରସ୍ତାବରେ ପ୍ରଜାଙ୍କ ଇଚ୍ଛାର ପ୍ରତିବିମ୍ବ ନାହିଁ । ସ୍ୱାଧୀନତା ପରେ ପ୍ରଥମଥର ପାଇଁ ମୋଦୀଙ୍କ ଉପରେ ଜନତା ସର୍ବାଧୀକ ବିଶ୍ୱାସ କରିଛନ୍ତି । କଂଗ୍ରେସର ୩୫ ବର୍ଷ ଶାସନ ପରେ ଦେଶକୁ ପୂର୍ଣ୍ଣବହୁମତ ସରକାର ଦେଇଛନ୍ତି ଦେଶର ଭୋଟର । ସ୍ୱାଧୀନତା ପରେ ସବୁଠାରୁ ଲୋକପ୍ରିୟ ପ୍ରଧାନମନ୍ତ୍ରୀ ହେଉଛନ୍ତି ମୋଦୀ । ଲୋକଙ୍କ ପାଇଁ ପ୍ରଧାନମନ୍ତ୍ରୀ ବିନା ଛୁଟିରେ ଦୈନିକ ୧୭ ଘଣ୍ଟା କାମ କରୁଛନ୍ତି ।
କଂଗ୍ରେସ ୩୫ ବର୍ଷ ଶାସନ କରିଛି ହେଲେ କେବଳ ୨-୪ଟି ନିର୍ଣ୍ଣୟ ଏଭଳି କରିଛନ୍ତି ଯାହା ଲୋକଙ୍କ ମନେ ରହିଛି । ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୯ବର୍ଷର ଶାସନକାଳରେ ୫୦ରୁ ଅଧିକ ଏଭଳି ନିର୍ଣ୍ଣୟ ନିଆଯାଇଛି ଯାହାକୁ ଲୋକେ ମନେ ରଖିବେ ବୋଲି ଶାହା କହିଛନ୍ତି ।

ମହାତ୍ମା ଗାନ୍ଧୀ ଆଜିର ଦିନରେ ଭାରତ ଛାଡ ଡାକରା ଦେଇଥିଲେ । ହେଲେ ବିଗତ ୯ବର୍ଷରେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏକ ନୂଆ ରାଜନୀତି ଯୁଗର ଶୁଭାରମ୍ଭ ହୋଇଛି । ଗତ ୩୦ ବର୍ଷ ମଧ୍ୟରେ ଦେଶରେ ଭ୍ରଷ୍ଟାଚାର ଓ ପରିବାରବାଦର ବିଜୟ ହେଉଥିଲା କିନ୍ତୁ ୨୦୧୪ ପରେ ଏହା ଉପରେ ପୂର୍ଣ୍ଣଛେଦ ପଡିଛି । ମୋଦୀ ସରକାର ପରିବାର ବାଦ, ଭ୍ରଷ୍ଟାଚାର ଓ ତୃଷ୍ଟିକରଣ ରାଜନୀତିକୁ କବର ଦେଇ ପଲିଟିକ୍ସ ଅଫ୍ ପରଫରମାନ୍ସକୁ ଆଗକୁ ବଢାଇଛନ୍ତି ।

ଏହି କ୍ରମରେ ଗୃହମନ୍ତ୍ରୀ ଅମିତ୍ ଶାହା ୩ଟି ଅବିଶ୍ୱାସ ପ୍ରସ୍ତାବ ଉପରେ ଆଲୋଚନା କରିଥିଲେ । ଦୁଇଟି ଅବିଶ୍ୱାସ ପ୍ରସ୍ତାବ କଂଗ୍ରେସ ସରକାର ବିରୋଧରେ ଓ ଗୋଟିଏ ଏନଡିଏ ସରକାର ବିରୋଧରେ । ୧୯୯୩ ଜୁଲାଇ ମାସରେ ନେତୃତ୍ୱରେ କଂଗ୍ରେସର ସରକାର ଥିଲା । ହେଲେ କଂଗ୍ରେସର କେବଳ ଗୋଟିଏ ନୀତି ଥିଲା ସରକାରକୁ ଜେଣତେଣ ପ୍ରକାର ରକ୍ଷା କରିବା । ନା ଥିଲା ଦଳର ସିଦ୍ଧାନ୍ତ ନା ଥିଲା ଭୋଟରଙ୍କ ଦ୍ୱାରା ନିର୍ବାଚିତ ଲୋକପ୍ରତିନିଧୀଙ୍କ ପ୍ରତି ସମ୍ମାନ । କୌଣସି ପ୍ରକାର ନରସିଂହ୍ମା ରାଓଙ୍କ ସରକାର ବଞ୍ଚିଯାଇଥିଲା ଓ ଏହାପରେ ଅନେକ ନେତାଙ୍କୁ କଂଗ୍ରେସ ଷଡଯନ୍ତ୍ର କରି ଜେଲକୁ ପଠାଇ ଦେଇଥିଲା ।

୨୦୦୮ରେ ମନମୋହନ ସିଂଙ୍କ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିଥିଲେ ବି କଂଗ୍ରେସ ବିରୋଧୀଦଳର ସାଂସଦଙ୍କୁ କୋଟି କୋଟି ଟଙ୍କାରେ କିଣି ଅବିଶ୍ୱାସ ପ୍ରସ୍ତାବ ପାସ୍ କରିଥିଲା । ୧୯୮୯ରେ ଅଟଳ ବିହାରୀ ବାଜପେୟୀଙ୍କ ସରକାର ଥିବା ବେଳେ କଂଗ୍ରେସ ଏହା ଉପରେ ଅନାସ୍ଥା ପ୍ରସ୍ତାବ ଆଣିଥିଲା । ହେଲେ ବିଜେପି କଂଗ୍ରେସ ଭଳି ସାଂସଦ କିଣି ସରକାର ବଞ୍ଚାଇବାକୁ ଚେଷ୍ଟା କରିନଥିଲା । ତେଣୁ ବାଜପେୟୀଙ୍କ ସରକାର ଭାଙ୍ଗିଯାଇଥିଲା ବୋଲି ଅମିତ୍ ଶାହା ସଂସଦରେ କହିଛନ୍ତି ।