ମୁଣ୍ଡୁଳିରେ ପହଁଞ୍ଚିବ ହୀରାକୁଦ ଡ୍ୟାମ ଛାଡିଥିବା ପାଣି । ପ୍ରବାହିତ ହେବ ୫ଲକ୍ଷ କ୍ୟୁସେକ୍ ବନ୍ୟାଜଳ । ତଳିଆ ଅଂଚଳବାସୀଙ୍କ ଭିତରେ ଛନକା

ଅନୁଗୁଳ, କେନ୍ଦ୍ରାପଡ଼ା ଓ କଟକରେ ସ୍ଥିତି ସାଂଘାତିକ୍ ; ପାଣି ଘେରରେ ବୁଡି ରହିଛି ଗାଁ

380

କନକ ବ୍ୟୁରୋ: ଆଜି ମୁଣ୍ଡୁଳିରେ ପହଁଞ୍ଚିବ ହୀରାକୁଦ ଡ୍ୟାମ ଛାଡିଥିବା ବନ୍ୟା ପାଣି । ଜଳ ସମ୍ପଦ ବିଭାଗର ସୂଚନା ଅନୁଯାୟୀ ମୁଣୁଳି ନିକଟରେ ପାୟ ୫ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହେବ । ହୀରାକୁଦ ଡ୍ୟାମରୁ ୨୦ଟି ଗେଟ୍ ଦେଇ ଗତକାଲି ଛଡାଯାଇଥିବା ପାଣି ଆଜି ସନ୍ଧ୍ୟାବେଳକୁ ମୁଣ୍ଡୁଳିରେ ପହଁଞ୍ଚିବ । ତେଣୁ ମହାନଦୀ ଆହୁରି ଫୁଲିବା ସମ୍ଭାବନା ରହିଛି । ଫଳରେ ତଳିଆ ଅଂଚଳ ପାଇଁ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି ।

ଅନ୍ୟପଟେ ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୦ ଦଶମିକ୍ ଆଠ ସାତ ଫୁଟ ରହିଛି । ଏବଂ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୧ଲକ୍ଷ ୫୧ ହଜାର ୫୫୦ କ୍ୟୁସେକ ଜଳ ପ୍ରବେଶ କରୁଥିବାବେଳେ ନିଷ୍କାସିତ ହେଉଛି ୩ଲକ୍ଷ ୧୫ହଜାର କ୍ୟୁସେକ୍ ଜଳ । ଏବେ ମୋଟ ୨୦ଟି ଗେଟ୍ ଦେଇ ଜଳଭଣ୍ଡାରରୁ ବନ୍ୟାଜଳ ନିଷ୍କାସିତ ହେଉଛି । ଯଦି ଆଉ ଗେଟ୍ ଖୋଲାଯାଏ ତେବେ ସ୍ଥିତି ବିଗିଡିବାର ସମ୍ଭାବନା ରହିଛି ।

ସେପଟେ, ମହନଦୀ ଫୁଲିବା ଯୋଗୁଁ ଉପକୂଳ ଓଡ଼ିଶାରେ ସୃଷ୍ଟି ହୋଇଛି ବନ୍ୟା ସ୍ଥିତି । ବିଶେଷ କରି ଲଗାଣବର୍ଷା ଯୋଗୁଁ ମହାନଦୀ କୂଳରେ ଥିବା ଅନେକ ଗାଁରେ ଏବେ ବନ୍ୟା ସ୍ଥିତି ଦେଖାଦେଇଛି । ବିଶେଷ କରି ଅନୁଗୁଳ, କେନ୍ଦ୍ରାପଡ଼ା ଏବଂ କଟକ ଜିଲ୍ଲାର ବିଭିନ୍ନ ସ୍ଥାନରେ ବନ୍ୟାସ୍ଥିତି ଉପୁଜିଛି । ଆଉ ଆଗକୁ ପୁଣି ମାଡ଼ି ଆସୁଛି ହୀରାକୁଦ ବନ୍ଧର ବନ୍ୟାଜଳ ।  ସେହିଭଳି ମହାନଦୀରେ ବନ୍ୟା ଜଳ ଆସିବାରୁ ବାଙ୍କୀରେ ସ୍ଥିତି ଗମ୍ଭୀର ହୋଇଛି । ବାଙ୍କିର ବିଭିନ୍ନ ଗାଁରେ ବନ୍ୟା ପାଣି ପ୍ରବେଶ କରିଛି । ପ୍ରାୟ ୨୦ଟି ପଂଚାୟତ ପାଣି ଘେରରେ ରହିଛି । ଆଜି ପାଣି ଆହୁରି ବଢ଼ିବାର ସମ୍ଭାବନା ଥିବାରୁ ଏହା ଆହୁରି ସଂଗିନ ସ୍ଥିତି ସୃଷ୍ଟି କରିବାର ଆଶଙ୍କା କରି ଲୋକମାନେ ଛାନିଆ ହୋଇପଡିଛନ୍ତି । କୁସପଙ୍ଗି-ବାଙ୍କୀ ଆପ୍ରୋଚ ରୋଡ ଧୋଇଯାଇଛି । ସେହିପରି ରାସ୍ତା ଉପରେ ବନ୍ୟା ଜଳ ପ୍ରଭାବିତ ହେଉଥିବାରୁ ବୈଦେଶ୍ୱର-ବାଙ୍କୀ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ପ୍ରଶାସନ ତରଫରୁ ୨୦ ହଜାର ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି । ସମସ୍ତଙ୍କୁ ସେଠାରେ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଥିବା ସୂଚନା ମିଳିଛି ।