ସ୍ୱାମୀ ଚକ୍ରପାଣିଙ୍କ ଦାବି । ଚନ୍ଦ୍ରକୁ ଘୋଷଣା କରାଯାଉ ହିନ୍ଦୁ ରାଷ୍ଟ୍ର, ଶିବଶକ୍ତି ପଏଣ୍ଟ ହେବ ରାଜଧାନୀ

289

କନକ ବ୍ୟୁରୋ : ଭାରତର ଚନ୍ଦ୍ର ଅଭିଯାନ ଅଗଷ୍ଟ ୨୩ ତାରିଖରେ ସଫଳ ହୋଇଛି । ଭାରତ ବିଶ୍ୱ ଇତିହାସରେ ପ୍ରଥମଥର ପାଇଁ ଚନ୍ଦ୍ର ଅଭିଯାନ ସଫଳ କରି ଚନ୍ଦ୍ରଯାନ-୩କୁ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରାଇବାରେ ସଫଳ ହୋଇଛି । ଏହାକୁ ନେଇ ସାରା ଦେତ୍ସବ ପାଳନ କରୁଛି । ଏହି କ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଦିନ ଇସ୍ରୋରେ ପହଂଚି ଚନ୍ଦ୍ରଯାନ ୩ ଅବତରଣ ହୋଇଥିବା ସ୍ଥାନକୁ ଶିବଶକ୍ତି ପଏଣ୍ଟ ବୋଲି ନାମକରଣ କରିଥିଲେ । ଏହାକୁ ନେଇ ରାଜନୀତି ମଧ୍ୟ ଜୋର ଧରିଛି ।

ଏତିକି ବେଳେ ହିନ୍ଦୁ ମହାସଭାର ଅଧ୍ୟକ୍ଷ ସ୍ୱାମୀ ଚକ୍ରପାଣି ଏକ ଅଜବ ଦାବି କରିଛନ୍ତି । ନ୍ୟୁଜ୍ ଏଜେନ୍ସି ଏଏନଆଇ ମୁତାବକ ରବିବାର ଦିନ ସ୍ୱାମୀ ଚକ୍ରପାଣି ଦାବି କରିଛନ୍ତି କି ଚନ୍ଦ୍ରକୁ ହିନ୍ଦୁରାଷ୍ଟ୍ର ଭାବେ ଘୋଷଣା କରାଯାଉ ଓ ଶିବଶକ୍ତି ପଏଣ୍ଟକୁ ହିନ୍ଦୁରାଷ୍ଟ୍ରର ରାଜଧାନୀ ଭାବେ ମଧ୍ୟ ଘୋଷଣା କରାଯାଉ । ଏନେଇ ସେ କେନ୍ଦ୍ର ସରକାରଙ୍କୁ ଏକ ଚିଠି ମଧ୍ୟ ଲେଖିଛନ୍ତି । କେବଳ ସେତିକି ନୁହେଁ ସ୍ୱାମୀ ଚକ୍ରପାଣି କହିଛନ୍ତି କି, ଆଗାମୀ ଦିନରେ ସେ ଶିବଶକ୍ତି ପଏଣ୍ଟରେ ଭଗବାନ ଶିବ, ମାତା ପାର୍ବତୀ ଓ ଦେବତା ଗଣେଷଙ୍କର ଏକ ଭବ୍ୟ ମନ୍ଦିର ନିର୍ମାଣ କରିବେ ।

ସୂଚନା ଥାଉକି ଜୁଲାଇ ୧୪ ତାରିଖରେ ଚନ୍ଦ୍ରଯାନ-୩ ଲଂଚ କରାଯାଇଥିଲା । ଏହାପରେ ଅଗଷ୍ଟ ୨୩ ତାରିଖରେ ଚନ୍ଦ୍ରଯାନ-୩ ଚନ୍ଦ୍ରପୃଷ୍ଟର ଦକ୍ଷିଣ ମେରୁରେ ସଫଳତାର ସହ ଅବତରଣ କରିଥିଲା । ଚନ୍ଦ୍ରର ଦକ୍ଷିଣ ମେରୁରେ ଭାରତ ବିଶ୍ୱର ପ୍ରଥମଦେଶ ଭାବେ ପ୍ରଥମେ ପାଦ ଥାପିଛି ।