ହିମାଚଳର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସୁଖବିନ୍ଦରସିଂ ସୁଖୁ, ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ସମେତ ଅନ୍ୟ ନେତା ବି ହେଲେ ସାମିଲ

113

କନକ ବ୍ୟୁରୋ : ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ସୁଖବିନ୍ଦରସିଂ ସୁଖୁ ଶପଥ ନେଇଛନ୍ତି । ତାଙ୍କ ସହ ଉପ ମୁଖ୍ୟମନ୍ତ୍ରୀ ଭାବେ ମୁକେଶ ଅଗ୍ନିହୋତ୍ରୀ ବି ଶପଥ ନେଇଛନ୍ତି । ଏହି ଶପଥ ଗ୍ରହଣ ଉତ୍ସବରେ ରାଜ୍ୟପାଳ ତାଙ୍କ ପଦ ଓ ଗୋପନୀୟତାର ଶପଥ ପାଠ କରାଯାଇଛି । ଏହି ଅବସରରେ କଂଗ୍ରେସ ନେତା ରାହୁଲ ଗାନନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ବି ଉପସ୍ଥିତ ଥିଲେ । ଶିମଲାର ରିଜ ମୈଦାନରେ ଏହି ଶପଥପାଠ ଉତ୍ସବ ଅନୁଷ୍ଠିତ ହୋଇଛି । ସେପଟେ ଏହି କାର୍ଯ୍ୟକ୍ରମରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ , ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ବି ଉପସ୍ଥିତ ଥିଲେ ।

ଶପଥ ଗ୍ରହଣ ପୂର୍ବରୁ ସୁଖବିନ୍ଦରସିଂ ସୁଖୁ ଏକ ନିମନ୍ତ୍ରଣ ପତ୍ର ନେଇ ରାଜ୍ୟ କଂଗ୍ରେସର ଅଧ୍ୟକ୍ଷ ପ୍ରତିଭା ସିଂଙ୍କ ବାସଭବନକୁ ଯାଇଥିଲେ । ଏହାପରେ ସୁଖବିନ୍ଦର ସିଂ କହିଥିଲେ କି ରାଜ୍ୟ କଂଗ୍ରେସର ମୁଖ୍ୟ ହେଉଛନ୍ତି ପ୍ରତିଭା ସିଂ । ତେଣୁ ରାଜ୍ୟର ଦଳ ତାଙ୍କରି ମାର୍ଗଦର୍ଶନରେ କାମ କରିବ ।

ସେପଟେ ସୁଖବିନ୍ଦରଙ୍କ ମା ଏହି ସମାରୋହରେ ଉପସ୍ଥିତ ରହି ଭାବବିହ୍ୱଳ ହୋଇପଡିଥିଲେ । ସେ କହିଥିଲେ ମୋ ପୁଅ ଜଣେ ସେବାମନୋବୃତ୍ତିର ବ୍ୟକ୍ତି, ସେ ପୂର୍ବରୁ ଲୋକଙ୍କ ସେବା କରୁଥିଲେ ଓ ଏବେ ସେହି ସେବାକୁ ତ୍ୱରାନ୍ୱିତ କରିବେ ।

ସୂଚନା ଥାଉକି ଚଳିତ ବିଧାନସଭା ନିର୍ବାଚନରେ ଶାସନରେ ଥିବା ବିଜେପିକୁ ପରାଜିତ କରି କଂଗ୍ରେସ ହିମାଚଳରେ କ୍ଷମତା ଦଖଲ କରିଛି । ରାଜ୍ୟର ମୋଟ ୬୮ ଟି ଆସନ ମଧ୍ୟରୁ କଂଗ୍ରେସ ୪୦ ଟି ଆସନରେ ବିଜୟୀ ହୋଇଥିବା ବେଳେ ବିଜେପି ୨୫ ଟି ଆସନରେ ବିଜୟୀ ହୋଇଥିଲା । ପରାଜୟ ପରେ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ନିଜ ପଦରୁ ଇସ୍ତଫା ଦେଇଥିଲେ ।