ଚହଳ ପକାଇଲା ‘କାଳିଆ’, ସାରା ରାଜ୍ୟରେ ବଢୁଛି ଚାହିଦା! ଆବେଦନକାରୀଙ୍କ ସଂଖ୍ୟା ୬୦ ଲକ୍ଷରେ ପହଞ୍ଚିଲା, ୨୫ରେ ଆସିବ ପ୍ରଥମ ପର୍ଯ୍ୟାୟ ଟଙ୍କା

342

କନକ ବ୍ୟୁରୋ : କାଳିଆ ଯୋଜନାରେ ବର୍ତମାନ ସୁଦ୍ଧା ଆବେଦନକାରୀଙ୍କ ସଂଖ୍ୟା ୬୦ ଲକ୍ଷରେ ପହଞ୍ଚିଛି । ବର୍ତମାନ ଆବଦେନକାରୀଙ୍କ ଅନୁଧ୍ୟାନ କରାଯାଉଛି । ବ୍ଲକ ଅନୁଯାୟୀ ଏହି ଯାଞ୍ଚ ପ୍ରକ୍ରିୟା ଚାଲିଛି । ୨୧ ଓ ୨୨ ତାରିଖରେ ପ୍ରଥମ ପର୍ଯ୍ୟାୟ ଚୂଡାନ୍ତ ତାଲିକା ପ୍ରକାଶ ପାଇବ । ଏବଂ ୨୫ ତାରିଖରେ ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କା ଯିବ ବୋଲି ସମବାୟ ସଚିବ ସୂଚନା ଦେଇଛନ୍ତି । ଗୁରୁତୂପୂର୍ଣ୍ଣ କଥା ହେଲା ୬୦ଲକ୍ଷ ଆବେଦନକାରୀଙ୍କ ମଧ୍ୟରେ ୧ ଲକ୍ଷ ଆବେଦନକାରୀ ରେଡ କାର୍ଡରେ ଅନ୍ତର୍ଭୁକ୍ତ ହୋଇଛନ୍ତି । ଅର୍ଥାତ ଏହି ହିତାଧିକାରୀମାନେ କାଳିଆ ଯୋଜନାରେ ସାମିଲ ହେବା ପାଇଁ ଯୋଗ୍ୟ ନୁହନ୍ତି ।

ରାଜ୍ୟରେ ଏବେ କାଳିଆ ଯୋଜନାକୁ ନେଇ ଜୋର ଧରିଛି ଚର୍ଚ୍ଚା । ଆବେଦନକାରୀ ସଂଖ୍ୟା ବଢି ବଢି ଚାଲିଛି । ସମବାୟ ସଚିବଙ୍କ ସୂଚନା ଅନୁସାରେ ଆଜି ଯାଏଁ ୬୦ଲକ୍ଷ ଆବେଦନକାରୀ କାଳିଆ ଯୋଜନାରେ ଆବେଦନ କରିସାରିଛନ୍ତି । ଆଗକୁ ଏହି ସଂଖ୍ୟା ଆହୁରି ବଢିବାର ସମ୍ଭାବନା ରହିଛି । ଆସନ୍ତା ୨୧ ଏବଂ ୨୨ତାରିଖରେ ଚୂଡାନ୍ତ ତାଲିକା ପ୍ରକାଶ ପାଇବ । ୨୫ ତାରିଖରେ ପ୍ରଥମ ପର୍ଯ୍ୟାୟରେ ଟଙ୍କା ମିଳିବ ବୋଲି ସମବାୟ ସଚିବ ସୂଚନା ଦେଇଛନ୍ତି ।

ତେବେ ବଡ କଥା ହେଉଛି ପ୍ରଥମ ପର୍ଯ୍ୟାୟରେ ଆବେଦନ କରିଥିବା ୬୦ଲକ୍ଷ ଆବେଦନକାରୀଙ୍କ ମଧ୍ୟରେ ଲକ୍ଷେରୁ ଅଧିକ ହିତାଧିକାରୀଙ୍କ ନାଁରେ ଆସିଛି ରେଡ ଫର୍ମ । ଅର୍ଥାତ ଏହି ହିତାଧିକାରୀମାନେ କାଳିଆ ଯୋଜନାରେ ସାମିଲ ହେବା ପାଇଁ ଯୋଗ୍ୟ ନୁହନ୍ତି ବୋଲି ନିଜେ ଆବେଦନ କରିଛନ୍ତି କିମ୍ବା ଆଉ କିଏ ଆବେଦନ କରିଛି । ତେଣୁ ଯାଞ୍ଚ ସମୟରେ ଏଗୁଡିକ ମଧ୍ୟରୁ କିଛି ନାକଚ ହେବାର ଆଶଙ୍କା ମଧ୍ୟ ରହିଛି ।

ପ୍ରଥମ ପର୍ଯ୍ୟାୟରେ ଆବେଦନ ସମୟରେ ଯେଉଁମାନେ ଆବଶ୍ୟକ କାଗଜପତ୍ର ଦେଇପାରିନାହାନ୍ତି, ସେହି ହିତାଧିକାରୀମାନେ ଦ୍ୱିତୀୟ ପର୍ଯ୍ୟାୟରେ କାଗଜପତ୍ର ଦେଇପାରିବେ । ଏଥିସହ ବାକି ରହିଯାଇଥିବା ହିତାଧିକାରୀମାନେ ଦ୍ୱିତୀୟ ଏବଂ ତୃତୀୟ ପର୍ଯ୍ୟାୟରେ ଏହି ଯୋଜନାରେ ସାମିଲ ହେବା ପାଇଁ ଆବେଦନ କରିପାରିବେ । । ଦ୍ୱିତୀୟ ପର୍ଯ୍ୟାୟ ରେଜିଷ୍ଟ୍ରେସନ ଜାନୁଆରୀ ୨୫ରୁ ଆରମ୍ଭ ହୋଇ ଫେବ୍ରୁଆରୀ ୫ତାରିଖ ଯାଏଁ ଚାଲିବ । ଏହି ୧୦ହଜାର କୋଟି ଟଙ୍କାର ଯୋଜନା ହେଉଛି ରାଜ୍ୟ ସରକାରଙ୍କ ସବୁଠୁ ବଡ ଯୋଜନା ।