ସମ୍ଭାବ୍ୟ ବାତ୍ୟା : ଲଘୁଚାପ କ୍ଷେତ୍ର ସୃଷ୍ଟି ହେଲା ପରେ ଜଣାପଡିବ ଗତିପଥ ଓ ତୀବ୍ରତା;  ୬ ତାରିଖରେ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ, ଆଇଏମଡି ଡିଜିଙ୍କ ସୂଚନା 

706

କନକ ବ୍ୟୁରୋ : ସମ୍ଭାବ୍ୟ ବାତ୍ୟାକୁ ନେଇ ପୂର୍ବ ଆକଳନରେ କାୟମ ରହିଛି ଆଇଏମଡି । ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ଏନେଇ ସୂଚନା ଦେଇ କହିଛନ୍ତି ଲଘୁଚାପ କ୍ଷେତ୍ର ସୃଷ୍ଟି ହେଲା ପରେ ଜଣାପଡିବ ଗତିପଥ ଓ ତୀବ୍ରତା ।  ଦକ୍ଷିଣ ପୂର୍ବ ବଙ୍ଗୋପସାଗର ନିକଟସ୍ଥ ଅଞ୍ଚଳରେ ୬ ତାରିଖରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା । ଏହାର ପ୍ରଭାବରେ ୭ ତାରିଖ ପାଖାପାଖି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ । ଏହାପରେ ଧିରେ ଧିରେ ୮ତାରିଖ ବେଳକୁ ଏହା ଘନିଭୂତ ହୋଇ ଅବପାତରେ ପରିଣତ ହୋଇପାରେ । ତା’ ପରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରୁ ଧିରେ ଧିରେ ଉତର ଆଡକୁ କେନ୍ଦ୍ରୀୟ ବଙ୍ଗୋପସାଗର ଦିଗରେ ଗତି କରିବାର ସମ୍ଭାବନା ରହିଛି  , ଏବଂ ଏହା ବାତ୍ୟାରେ ପରିଣତ ହୋଇପାରେ ।

ଲଘୁଚାପ କ୍ଷେତ୍ର ସୃଷ୍ଟି ହେଲା ପରେ ଏହାର ଗତିପଥ କେଉଁ ଆଡେ ରହିବ ତୀବ୍ରତା କେତେ ରହିବ ଓ ଏହା କେଉଁ ଉପକୂଳ ଆଡକୁ ମୁହାଁଇବ ସେ ନେଇ ସ୍ପଷ୍ଟତା ଆସିବ । ପୂର୍ବରୁ ଯାହା କହିଥିଲୁ ସେହି ତଥ୍ୟରେ ବଜାୟ ରହିଛୁ । ଏପ୍ରିଲ, ମେ’, ଜୁନ୍ ଓ ଅକ୍ଟୋବର, ନଭେମ୍ବର, ଡିସେମ୍ବରରେ ବାତ୍ୟା ସୃଷ୍ଟି ହୋଇଥାଏ । ବଙ୍ଗୋପସାଗର ଓ ଆରବ ସାଗରରେ ପାଖାପାଖି ୫ଟି ବାତ୍ୟା ସୃଷ୍ଟି ହୋଇଥାଏ । ବଙ୍ଗୋପସାଗରରେ ଅଧିକ  ଓ ଆରବ ସାଗରରେ କମ୍ ହୋଇଥାଏ । ଖରାଦିନରେ ଗୋଟିଏରୁ ଦୁଇଟି ବାତ୍ୟା ସୃଷ୍ଟି ହୋଇଥାଏ । ମେ’ ମାସରେ ଅଧିକ ବାତ୍ୟା ସୃଷ୍ଟି ହେବାର ସମ୍ଭାବନା ଥାଏ ।

ଏହା କିଛି ନୂଆ କଥା ନୁହଁ, ଆଗରୁ ମଧ୍ୟ ଖରାଦିନରେ ବାତ୍ୟା ସୃଷ୍ଟି ହୋଇଛି । ନିକଟ ଭବିଷ୍ୟତକୁ ଦେଖିଲେ ଖରାଦିନିଆ ବାତ୍ୟା ଓଡ଼ିଶାକୁ ପ୍ରଭାବିତ କରିଛି । କିନ୍ତୁ ତାର ଅର୍ଥ ନୁହଁ ସବୁ ବାତ୍ୟା ଓଡ଼ିଶାକୁ ପ୍ରଭାବିତ କରିବ । ବାତ୍ୟା କେଉଁ ଆଡକୁ ଯିବ, ବର୍ତମାନ ଯାଏଁ ଏଭଳି କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ ।  ବାତ୍ୟା ସୃଷ୍ଟି ହେଲା ପରେ ଜଣାପଡିବ । ପ୍ରଥମେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେଉ, ତା ପରେ ସ୍ପଷ୍ଟତା ଆସିବ ଯେ ଏହା କେଉଁ ଆଡକୁ ଯିବ । ଏବଂ କ’ଣ ପ୍ରଭାବ ପକାଇବ, କେଉଁ ଅଞ୍ଚଳ ଉପରେ ରହିବ ଜଣାପଡିବ ।