ଅସହାୟ ଅବସ୍ଥାରେ ମା-ଝିଅ: ମାଟିରେ ମିଶିଲାଣି ଚାଳ ଛପର ଘର, ଶୀତ ରାତିରେ ଖୋଲା ଆକାଶ ତଳେ ବିତୁଛି ଜୀବନ

141

କନକ ବ୍ୟୁରୋ: ଆଖିରେ ଆଖିଏ ଲୁହ, ମନରେ ଅସରନ୍ତି କୋହ । ଦୁଃଖ ଶୁଣିବାକୁ କେହି ନାହିଁ । କାନ୍ଦି କାନ୍ଦି ମନର କଥା କହିବାବେଳକୁ କୋହ ସମ୍ଭାଳି ପାରୁନାହାନ୍ତି । ବୋଝ ଉପରେ ଲଳିତା ବିଡା ପରି ଦାରିଦ୍ର୍ୟ ସହ ରୋଗ ସେମାନଙ୍କୁ ଯମ ପରି ଜଗିଛି । ମୁଣ୍ଡ ଗୁଞ୍ଜିଥିବା ଚାଳଛପର ଘରଟି ଭାଙ୍ଗି ମାଟିରେ ମିଶିଯିବା ପରେ ବାସହାର ହୋଇ ଶୀତ କାକରରେ ବିତୁଛି ବୁଢି ମା’ ଆଉ ରୋଗିଣା ଝିଅର ଜୀବନ । ରୋଷେଇ ବାସଠାରୁ ଆରମ୍ଭକରି ଘରର ସମସ୍ତ ଆସବାବପତ୍ର ବିକ୍ଷିପ୍ତ ହୋଇ ପଡିଛି । ନା ଘର ସଜାଡିବାକୁ ସାମର୍ଥ୍ୟ ଅଛି ନା ରୋଗ ଭଲ କରିବାକୁ ଅଛି ସମ୍ବଳ ।

କେନ୍ଦ୍ରାପଡା ଜିଲ୍ଲା କଳାଗଡ ଗ୍ରାମରେ ରୁହନ୍ତି ୮୫ ବର୍ଷିୟା ବୃଦ୍ଧା ସତୀ ମଲ୍ଲିକ ଏବଂ ତାଙ୍କର ଝିଅ ନର୍ମଦା ମଲ୍ଲିକ । ସ୍ୱାମୀ ଧନେଶ୍ୱୟ ମଲ୍ଲିକ ଆରପାରିକୁ ଚାଲିଯିବା ପରେ ବେସାହାରା ହୋଇପଡିଛନ୍ତି ବୃଦ୍ଧା ନିର୍ମଳା ତାଙ୍କର ଝିଅ । ମୁଣ୍ଡ ଗୁଞ୍ଜିଥିବା ଚାଳିଆ ଘରଟି ଭାଙ୍ଗି ମାଟିରେ ମିଶିଯିବା ପରେ ବାସହାରା ହୋଇ ଖୋଲା ଆକାଶ ତଳେ ଶୀତ କାରରେ ବିତୁଛି ଜୀବନ । ରୋଷେଇବାସଠାରୁ ଆରମ୍ଭ କରି ଖାଇବା ପିଇବା ପର୍ଯ୍ୟନ୍ତ ସବୁ ସେଇ ଭଙ୍ଗା ଘରେ ହିଁ ହେଉଛି ।

ବୃଦ୍ଧା ନିର୍ମଳା ବୟସର ଅପରାହ୍ନରେ ବିଭିନ୍ନ ରୋଗ ଗ୍ରସ୍ତ ହୋଇ ନିଜର ଶ୍ରବଣ ଶକ୍ତି ଏବଂ ଦୃଷ୍ଟି ଶକ୍ତି ହରେଇ ବସିଥିବା ବେଳେ ଝିଅର ପେଟରେ ହୋଇଛି ଟ୍ୟୁମର୍ । ଅର୍ଥାଭାବରୁ ଝିଅର ଚିକିତ୍ସା ହୋଇପାରୁ ନଥିବା ପ୍ରକାଶ କରିଛନ୍ତି ସତୀ ଏବଂ ନିଜେ ଝିଅ ନର୍ମଦା । ଏ ଶୀତ ଦିନରେ ଯନ୍ତ୍ରଣା ଦ୍ୱିଗୁଣ ହୋଇଯାଉଛି । ଛପର ନଥିବାରୁ କାକରରେ ଖୋଲା ଆକାଶ ତଳେ ଜୀବନ ବିତାଉଛନ୍ତି ମା-ଝିଅ ।

ଅସହାୟ ବୃଦ୍ଧା ସତୀଙ୍କର ଚାଳ ଛପର ଘରଟି ଦୀର୍ଘଦିନ ହେବା ଭାଙ୍ଗି ମାଟିରେ ମିଶିଯାଇଛି । ଅର୍ଥାଭାବରୁ ଘରକୁ ମରାମତି କରିପାରି ନାହାନ୍ତି । ଟଙ୍କାଟିଏ ରୋଜଗାର ନଥିବାରୁ କେବଳ ଭତା ଆଉ ୧୦ କିଲୋ ରାସନ ଚାଉଳରେ ଚାଲୁଛି ସଂସାର । ଦୁଇ ପ୍ରାଣୀ କୁଟୁମ୍ବକୁ ୧୦ କିଲୋ ଚାଉଳ ୧୦ ଦିନରେ ସରିଯାଉଛି ଆଉ ଅନ୍ୟ ଦିନରେ ପରର ହାତ ଟେକାକୁ ଅନେଇ ବସନ୍ତି । ଯେଉଁଠି ଦୁଇଓଳା ଦୁଇ ମୁଠା ଖାଇବା ପାଇଁ ମା ଝିଅଙ୍କୁ ପ୍ରତିଦିନ ସଂଘର୍ଷ କରିବାକୁ ପଡୁଛି ସେଠି ରୋଗର ଚିକିତ୍ସା ଏବଂ ଘର ମରାମତି କଥା କିଏ ପଚାରେ । ପକ୍କା ଘର ଖଣ୍ଡିଏ ପାଇଁ ସ୍ଥାନୀୟ ଜନପ୍ରତିନିଧୀ ଏବଂ ଜିଲ୍ଲା ପ୍ରଶାସନକୁ ବାରମ୍ବାର ଜଣାଇଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସରକାରୀ ଘର ଖଣ୍ଡିଏ ପାଇବାର ସ୍ୱପ୍ନ ସ୍ୱପ୍ନରେ ରହିଯାଇଛି । ଘର ନଥିବାରୁ ଜିବନକୁ ପାଣି ଛଡାଇ କିଛିଦିନ ବାହାରେ ମା ଝିଅ ଶୋଇଥିବା ମଧ୍ୟ କରିଥିବାର ପ୍ରକାଶ କରିଛନ୍ତି । ଭଙ୍ଗା ଚାଳ ଛପର ଘର ଭାଙ୍ଗିଯିବା ପରେ ଏବେ ମା ଆଉ ଝିଅ ଅନ୍ୟ ଘରେ ଆଶ୍ରୟ ନେଇଛନ୍ତି ।

ଅସହାୟ ଅବସ୍ଥାରେ ଜୀବନ ଯାପନ କରୁଥିବା ବୃ୍ଦ୍ଧା ସତୀ ଏବଂ ତାଙ୍କର ଝିଅଙ୍କ ଉପରେ କାହାରି ନଜର ପଡୁନି । ସେମାନଙ୍କ ଦୁଃଖ ଦେଖିଲା ପରେ ଆପଣ ବି ବୁଝିପାରିବେ ସେମାନେ ସତରେ ସାହାଯ୍ୟ ର ହକଦାର । ତେଣୁ ଜିଲ୍ଲା ପ୍ରଶାସନ ସେମାନଙ୍କୁ ସାହାଯ୍ୟ କରିବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି ।