ସମ୍ବଲପୁରରେ ଜୋରଦାର ଲଢ଼େଇ । ରେଙ୍ଗାଲୀ ଓ ଚିପିଲିମାରେ ପ୍ରଚାର କଲେ ପ୍ରଣବ । ବୁର୍ଲାରେ ବିଜେପି ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଚାର ।

81

କନକ ବ୍ୟୁରୋ: ସମ୍ବଲପୁର ସଂସଦୀୟ କ୍ଷେତ୍ର ଉପରେ ରହିଛି ସାରା ରାଜ୍ୟର ନଜର । କାରଣ ଏଠି ଲଢ଼େଇ କେବଳ ରାଜନୈତିକ ହେଉନି ବରଂ ସମ୍ମାନର ଲଢ଼େଇ ପାଲଟିଯାଇଛି । ଆଉ ଏହାରି ଭିତରେ ସମ୍ବଲପୁରର ରେଙ୍ଗାଲି ନିର୍ବାଚନ ମଣ୍ଡଳୀରେ ବୁଲି ବୁଲି ଭୋଟ୍ ମାଗିଛନ୍ତି ପ୍ରଣବ ପ୍ରକାଶ ଦାସ । ତାଲବ ଗାଁରେ ସମଲେଶ୍ୱରୀ ମନ୍ଦିରରେ ଠାକୁରାଣୀଙ୍କ ଦର୍ଶନ କରିବା ପରେ ଚାଷୀଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି । ରେଙ୍ଗାଲୀ ବିଧାୟକ ପ୍ରାର୍ଥୀ ସୁଦର୍ଶନ ହରିପାଲଙ୍କ ସହ ଯାଇ ପ୍ରଚାର କରିଛନ୍ତି ପ୍ରଣବ । ବୀରସୁରେନ୍ଦ୍ର ସାଏଙ୍କ ଜନ୍ମମାଟି ଖିଣ୍ଡା ଯାଇ ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ କରିବା ପରେ ତାଙ୍କ ଦାୟଦଙ୍କ ସହ ଆଲୋଚନା କରିଛନ୍ତି ।

  • ସମ୍ବଲପୁରରେ ହାଇଭୋଲଟେଜ ଲଢ଼େଇ
  • ମଇଦାନରେ ଧର୍ମେନ୍ଦ୍ର ବନାମ ପ୍ରଣବ

ସେପଟେ ସମ୍ବଲପୁର ସଂସଦୀୟ କ୍ଷେତ୍ରର ବିଭିନ୍ନ ଅଞ୍ଚଳରେ ପ୍ରଚାର କରୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର । କେତେବେଳେ ବଡ଼ ବଡ଼ ରାଲି କରୁଛନ୍ତି ତ’ ଆଉ କେତେବେଳେ ସିଧାସଳଖ ଯାଇ ଲୋକଙ୍କ ସହ ଆଲୋଚନା କରୁଛନ୍ତି । ବିଭିନ୍ନ ବର୍ଗର ଲୋକଙ୍କ ପାଖକୁ ଯାଇ ସେମାନଙ୍କ ମୌଳିକ ସମସ୍ୟା ସମ୍ପର୍କରେ ଆଲୋଚନା କରୁଛନ୍ତ । ବିଭିନ୍ନ ସ୍ଥାନରେ ସମାବେଶ କରି ମୋଦୀ ଗ୍ୟାରେଣ୍ଟିର କଥା କହୁଛନ୍ତି କେନ୍ଦ୍ରମନ୍ତ୍ରୀ ।

  • ସମ୍ବଲପୁରରେ ଲଢ଼େଇ
  • ରାଜଧାନୀରେ ବୟାନବାଜି

ରାଜନୀତିର ପ୍ରଚାର ପ୍ରତିଯୋଗିତା ଭିତରେ ଏନଏଚ-୫୫କୁ ପ୍ରସଙ୍ଗ କରି ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ୍ କରିଛି ବିଜେଡି । ସାଂସଦ ସସ୍ମିତ ପାତ୍ର କହିଛନ୍ତି, ଲକ୍ଷ୍ମୀ ବସ୍ ଯୋଜନାର ସୁଫଳ ପାଉଛନ୍ତି ରାଜ୍ୟବାସୀ । ହେଲେ ଏହି ଯୋଜନାର ସୁଫଳ ଏନଏଚ-୫୫ରେ ମିଳୁନି । ସେପଟେ ବିଜେପି ଜବାବ ରଖି କହିଛି, ଦୁଇ ଲକ୍ଷରୁ ଅଧିକ ଭୋଟରେ ହାରିବ ବିଜେଡି । ସେଥିପାଇଁ ବିଳିବିଳାଇ ହେଉଛି ବିଜେଡି । ହେଲେ ରାଜନୀତିର ଏହି ବୟାନବାଜି ଭିତରେ ସମ୍ବଲପୁର ଲଢ଼େଇର ରାଜନୈତିକ ଉଷ୍ମତା ଗ୍ରୀଷ୍ମ ପ୍ରବାହର ଉଷ୍ମତାଠୁ ବଳିଯାଇଛି ।