ଆଇଏଏସ୍ ପରୀକ୍ଷାରେ କେମିତି ପାଇବେ ସଫଳତା? ଆଇପିଏସ୍ ପ୍ରତୀକ ସିଂହଙ୍କ ସ୍ଲିପ୍ ଥିଓରୀ । କହିଲେ, ଏକାଗ୍ରତା ବୃଦ୍ଧି ପାଇଁ ଭଲ ନିଦ ଜରୁରୀ

548

କନକ ବ୍ୟୁରୋ: ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତତ ହେଉଛନ୍ତି କି ? ପାଠପଢାରେ ବ୍ୟସ୍ତ ରହି ନିଦ ହଜାଇ ଦେଇଛନ୍ତି କି ? ଯଦି ଏଭଳି କରୁଛନ୍ତି ତେବେ ହୋଇଯାନ୍ତୁ ସାବଧାନ । କାରଣ ମସ୍ତିଷ୍କକୁ ସୁସ୍ଥ ରଖିବାକୁ ହେଲେ ଭଲ ନିଦ ହେବାର ବହୁ ଆବଶ୍ୟକତା ଥିବା ବିଶେଷଜ୍ଞ କହିଛନ୍ତି । ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ଟୁଇଟ କରି ଏନେଇ ନିଜର ମତ ରଖିଛନ୍ତି । ଆଉ ମନେ ପକାଇଛନ୍ତି ପୁରୁଣା ଦିନର କଥା ।

କେତେ ଘଣ୍ଟା ପଢୁଥିଲେ ? ସିଭିଲ ସର୍ଭିସ ପାଇଁ ପ୍ରସ୍ତୁତି କଲାବେଳେ କେତେ ସମୟ ଶୋଉଥିଲେ? ସିିଭିଲ ସର୍ଭିସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ପରୀକ୍ଷାର୍ଥୀଙ୍କୁ ଏମିତି ଅନେକ ପ୍ରଶ୍ନ ପଚରାଯାଏ । କିଏ କହେ ୪ ଘଣ୍ଟା ଶୁଏ ତ ପୁଣି କିଏ କହେ ୫ ଘଣ୍ଟା ଶୁଏ । ଏଭଳି ପ୍ରତିକ୍ରିୟା ଦେଖି ଅନେକ ଭାବନିଅନ୍ତି ଯେ, ଏମାନେ ନିଜ ଲକ୍ଷ୍ୟ ହାସଲ କରିବା ପାଇଁ ଶୋଇବା ସମୟକୁ କମାଇ ଦିଅନ୍ତିି । ଆଉ ସଫଳ ହେବା ପାଇଁ ସମସ୍ତେ ସେହି ରାସ୍ତା ବାଛିନିଅନ୍ତି । ହେଲେ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଦିନେ ଏଭଳି ଭ୍ରାନ୍ତ ଧାରଣାରେ ଥିଲେ ବର୍ତ୍ତମାନର ଭୁବନେଶ୍ୱର ଡିସିପି ପ୍ରତୀକ ସିଂ । ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବାବେଳେ ସେ ବି ଅନ୍ୟ ଆଶାୟୀଙ୍କ ଭଳି ଭାବୁଥିଲେ । ତେବେ ପରବର୍ତୀ ସମୟରେ ବିଭିନ୍ନ ଗବେଷଣାରୁ ସେ ଜାଣିବାକୁ ପାଇଲେ ଯେ, ଆବଶ୍ୟକ ନିଦ ବି ଜରୁରୀ । ଏନେଇ ଟ୍ୱିଟ କରି ଆଶାୟୀଙ୍କୁ ସଚେତନ କରାଇଛନ୍ତି ପ୍ରତୀକ ସିଂ । କେବଳ ପାଠ ପଢା ନୁହଁ ପାଠ ପଢା ସାଙ୍ଗକୁ ଅନୁଶାସିତ ଜୀବନ ଚର୍ଯ୍ୟା ପ୍ରତି ଗୁରୁତ୍ୱ ଦେବାକୁ ସେ ପରାମର୍ଶ ଦେଇଛନ୍ତି ।

ଶୃଙ୍ଖଳିତ ଜୀବନ ଜୀଇଁବା କେତେ ଆବଶ୍ୟକ ସେ କଥା ଭଲ ଭାବେ ବୁଝିସାରିଥିଲେ ପ୍ରତୀକ ସିଂ । ସେ ସିନା ବୁଝିଗଲେ , କିନ୍ତୁ ସିଭିଲ ସର୍ଭିସ ବା ବିଭିନ୍ନ ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀ ଏବେ ବି ଏନେଇ ଅନ୍ଧାରରେ ଅଛନ୍ତି । ଅନେକ କୁହନ୍ତି ସିଭିଲ ସର୍ଭିସ ପାଇଁ ରାତି ଦିନ ଏକ କରିଦେଉଛୁ , ଅନ୍ୟପଟେ ଅନେକଙ୍କ କହିବା କଥା ନିଜର କ୍ଷମତା ଅନୁଯାୟୀ ପାଠ ପଢିବା କଥା । ସୁସ୍ଥ ରହିବାକୁ ହେଲେ ଖାଦ୍ୟ ଯେତିକି ଜରୁରୀ ଶରୀର ଓ ମସ୍ତିଷ୍କକୁ ସେତିକି ବିଶ୍ରାମର ଆବଶ୍ୟକତା ରହିଛି । ଆଉ ଏଥିପାଇଁ ୬ରୁ ୭ ଘଣ୍ଟା ଶୋଇବା ନିହାତି ଦରକାର ବୋଲି ପରାମର୍ଶ ଦେଇଛନ୍ତି ମାନସିକ ରୋଗ ବିଶେଷଜ୍ଞ ।

ପାଠପଢା ହେଉ ଅବା କର୍ମକ୍ଷେତ୍ର ମଣିଷ ମେସିନ ଭଳି ଏତେ ବ୍ୟସ୍ତ ହୋଇଗଲାଣି ଯେ, ନିଜ ପାଇଁ ସମୟ ବାହାର କରିବାକୁ ଅସମର୍ଥ ହୋଇଯାଉଛି । ସଫଳତା ପାଇବା ଆଶାରେ ଅନେକ ନିଦକୁ ବି ଜଳାଞ୍ଜଳୀ ଦେଉଛନ୍ତି । ଏହି ସମୟରେ ପ୍ରତୀକ ସିଂଙ୍କର ଏହି ଟୁଇଟ ଚିନ୍ତା କରିବାକୁ ବାଧ୍ୟ କରୁଛି ଯେ, ସୁସ୍ଥ ମଣିଷ ଭଲ ଚିନ୍ତା କରିପାରିବେ ।