ରାଜ୍ୟରେ ବଢୁଛି ତାପମାତ୍ରା । ୪୪ ଡିଗ୍ରୀ ଛୁଇଁଲା ଟିଟିଲାଗଡ

ଦିନ ୧୦ଟାରୁ ପ୍ରବଳ ଖରା। ଘରୁ ବାହାରିବା ମୁସ୍କିଲ୍

101
କନକ ବ୍ୟୁରୋ : ଦିନ ୧୦ଟାରୁ ପ୍ରବଳ ଖରା। ଘରୁ ବାହାରିବା ମୁସ୍କିଲ୍। ଯଦି ବି କେହି କାମରେ ବାହାରୁଛନ୍ତି ତାଙ୍କ ମୁଣ୍ଡ ଉପରେ ଛତା ନ ହେଲେ ଗାମୁଛା। ମଧ୍ୟାହ୍ନ ବେଳକୁ ରାସ୍ତାଘାଟ ଏକ ପ୍ରକାର ଶୂନଶାନ। କେଉଁଠି ପଶୁପକ୍ଷୀ ପାଣି ମୁନ୍ଦାଏ ପାଇଁ ଡହଳବିକଳ ହେଉଛନ୍ତି ତ ଆଉ କେଉଁଠି ଲୋକେ ବିଶ୍ରାମ ପାଇଁ ଗଛ ଖୋଜୁଛନ୍ତି। ଦୁଇ ଦିନ ହେଲା ଏମିତି ଭାବେ ତାତିରେ ଜଳୁଛି ପଶ୍ଚିମ ଓଡ଼ିଶା।ତତଲାଗଡ଼ ଭାବେ ପରିଚିତ ଟିଟିଲାଗଡ଼ ସବୁ ରେକର୍ଡ ଭାଙ୍ଗିଛି। ଚଳିତବର୍ଷ ପ୍ରଥମଥର ଲାଗି ଏଠାରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୪ ଡିଗ୍ରି ଛୁଇଁଛି। ଏଥିସହ ବଲାଙ୍ଗୀର ତାପମାତ୍ରା ବି ୪୩ ଡିଗ୍ରିରେ ପହଞ୍ଚିଛି। ରାଜ୍ୟର ମୋଟ ୧୧ଟି ସହରର ତାପମାତ୍ରା ୪୦ଡିଗ୍ରି ଉପରେ ଥିବା ବେଳେ ଝାରସୁଗୁଡ଼ା, ଭବାନୀପାଟଣା, ମାଲକାନଗିରି, ସୋନପୁର ୪୨ଡିଗ୍ରି ପାର୍ ହୋଇଛି। ମେ’ ୨ତାରିଖ ପର୍ଯ୍ୟନ୍ତ ପଶ୍ଚିମ ଓଡ଼ିଶାର ତାପମାତ୍ରା ଏଭଳି ଲାଗି ରହିବ।
ଚଳିତ ସପ୍ତାହରେ ପଶ୍ଚିମ ଓଡ଼ିଶାରେ ତାପମାତ୍ରା ହୁ’ ହୁ’ ହୋଇ ବଢ଼ୁଥିବାରୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୯ଟି ଜିଲ୍ଲା ଲାଗି ହିଟ ୱେଭ ଜାରି ହୋଇଛି। ଏପ୍ରିଲ ୩୦ ପର୍ଯ୍ୟନ୍ତ  ଝାରସୁଗୁଡ଼ା, ସମ୍ବଲପୁର, କଳାହାଣ୍ଡି, ବଲାଙ୍ଗୀର, ମାଲକାନଗିରି, ବରଗଡ଼, ସୋନପୁର, ନୂଆପଡ଼ା ଓ ବୌଦ୍ଧ ପାଇଁ ସତର୍କ ସୂଚନା ଜାରି କରାଯାଇଛି। ଅନ୍ୟପକ୍ଷରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତ ରୂପ ନେଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଅଧିକ କେନ୍ଦ୍ରୀଭୂତ ହୋଇ ତୀବ୍ର ଅବପାତରେ ପରିଣତ ହେବ। ଏହାର ୧୨ଘଣ୍ଟା ମଧ୍ୟରେ ବାତ୍ୟା(ଫନି)ର ରୂପ ନେଇ ଏପ୍ରିଲ ୩୦ ସନ୍ଧ୍ୟା ସୁଦ୍ଧା ଉତ୍ତର ତାମିଲନାଡ଼ୁ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ଛୁଇଁବ। ଏହାପରେ ବାତ୍ୟା ଦିଗ ପରିବର୍ତନ କରି ଉତ୍ତର ପୂର୍ବକୁ ଗତି କରିବ। ମେ’ ୨ରୁ ୫ ତାରିଖ ମଧ୍ୟରେ ଓଡ଼ିଶା ଉପରେ ଏହାର ପ୍ରଭାବ ପଡ଼ିପାରେ। ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଉପକୂଳର ମତ୍ସ୍ୟଜୀବୀଙ୍କ ଲାଗି ସତର୍କ ସୂଚନା ଜାରି କରାଯାଇଛି।