କନକ ବ୍ୟୁରୋ : ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସରିବ ପ୍ରଚାର କାର୍ଯ୍ୟ। ଏହି ପର୍ଯ୍ୟାୟରେ ୬ଟି ଲୋକସଭା ସମେତ ୪୧ ଟି ବିଧାନସଭା ପାଇଁ ଆସନ୍ତା ୨୯ ତାରିଖରେ ମତଦାନ ଅନୁଷ୍ଠିତ ହେବ। ଶନିବାର ସନ୍ଧ୍ୟା ୬ଟାରେ ପ୍ରଚାର କାର୍ଯ୍ୟ ସରିବା ପରେ ଭୋଟଗ୍ରହଣ ସନ୍ଧ୍ୟା ପର୍ଯ୍ୟନ୍ତ ୪୮ ଘଣ୍ଟାର ନିରବ ଅବଧି ଲାଗୁ ହେବ। ଏହି ସମୟ ଭିତରେ କୌଣସି ବି ରାଜନେତା ନିର୍ବାଚନ ଅନୁଷ୍ଠିତ ହେଉଥିବା ଅଞ୍ଚଳରେ ପ୍ରଚାର କାର୍ଯ୍ୟ କରିପାରିବେନି କି ରାଜ୍ୟ ସ୍ତରରେ ସାମ୍ବାଦିକ ସମ୍ମିଳନୀ କରି ଗଣମାଧ୍ୟମରେ ନିଜର ବିବୃତି ପ୍ରଚାର ଓ ପ୍ରସାର କରିବାକୁ ନିର୍ବାଚନ କମିସନ ବାରଣ କରିଛନ୍ତି। ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ମୋଟ ୫୨ ଜଣ ପ୍ରାର୍ଥୀ ଲୋକସଭା ରଣାଙ୍ଗନରେ ନିଜ ନିଜର ଭାଗ୍ୟ ପରୀକ୍ଷା କରିବେ। ମୋଟ ୧୦ ହଜାର ୭୯୨ ବୁଥରେ ୯୫ ଲକ୍ଷ ୧୪ ହଜାର ୮୮୩ ଜଣ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ। ଏ ନେଇ କମିସନଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୁ଼ଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି।
/kanak/media/post_attachments/wp-content/uploads/2019/04/Election1_EPS-750x430-1.jpg)
ଯାଜପୁର ଲୋକସଭା ଆସନ ସମେତ ବିଞ୍ଝାରପୁର (ଏସସି), ବରୀ, ବଡ଼ଚଣା, ଧର୍ମଶାଳା, ଯାଜପୁର, କୋରେଇ ଓ ସୁକିନ୍ଦା ବିଧାନସଭା ପାଇଁ ପ୍ରଚାର କାର୍ଯ୍ୟ ସମ୍ପନ୍ନ ହେବା ସହ କେନ୍ଦ୍ରାପଡ଼ ଲୋକସଭା ସମେତ ସାଲେପୁର, ମାହାଙ୍ଗା, କେନ୍ଦ୍ରାପଡ଼ା (ଏସସି), ଆଳି, ରାଜନଗର ଓ ମହାକାଳପଡ଼ା ବିଧାନସଭା ପାଇଁ ପ୍ରଚାର ସରିବ। ଜଗତସିଂହପୁର ଲୋକସଭା ଆସନ ଅଧୀନରେ ଆସୁଥିବା ପାରାଦୀପ, ତିର୍ତ୍ତୋଲ (ଏସସି), ବାଲିକୁଦା-ଏରସମା, ଜଗତସିଂହପୁର, କାକଟପୁର (ଏସସି) ଓ ନିମାପଡ଼ା ବିଧାନସଭା ଆସନ ପାଇଁ ପ୍ରଚାର କାର୍ଯ୍ୟ ସମ୍ପନ୍ନ କରିବାକୁ ନିର୍ବାଚନ କମିସନ ସମୟ ଧାର୍ଯ୍ୟ କରିଛନ୍ତି।
ଚତୁର୍ଥ ପର୍ଯ୍ୟାୟରେ ସବୁ ବିଧାନସଭା ନିର୍ବାଚନମଣ୍ଡଳୀରେ ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ଅନୁଷ୍ଠିତ ହେବ। ପ୍ରତିଦ୍ବନ୍ଦ୍ବୀତା କରୁଥିବା ବିଧାନସଭା ପାର୍ଥୀଙ୍କ ଭିତରୁ ୩୧୧ଜଣ ପୁରୁଷ ପ୍ରାର୍ଥୀ ଥିବାବେଳେ ୩୪ ଜଣ ମହିଳା ଓ ଜଣେ ତୃତୀୟ ଲିଙ୍ଗ ପ୍ରାର୍ଥୀ ଅଛନ୍ତି। ଏହି ପର୍ଯ୍ୟାୟରେ ମତାଧିକାର ସାବ୍ୟସ୍ତ କରିବାକୁ ଥିବା ମୋଟ ଭୋଟରଙ୍କ ଭିତରୁ ୪୯ ଲକ୍ଷ ୮ ହଜାର ୫୭୫ ଜଣ ପୁରୁଷ ଭୋଟର ଥିବାବେଳେ ୪୬ ଲକ୍ଷ ୫ ହଜାର ୬୯୪ ଜଣ ମହିଳା ଭୋଟର ଓ ୬୧୫ ଜଣ ତୃତୀୟ ଲିଙ୍ଗ ଭୋଟର ଅଛନ୍ତି।