ସ୍କୁଟିରେ ଆସି କାନ୍ଥ ତାଡି ଚୋରି କରୁଥିଲେ ମୋବାଇଲ: ୫ ଅନ୍ତଃଜିଲ୍ଲା ଲୁଟେରାଙ୍କୁ ଗିରଫ କରିଛି କପ୍ତିପଦା ପୁଲିସ

134

କନକ ବ୍ୟୁରୋ: କାନ୍ଥ କଣା କରି ଚୋରି । ସ୍କୁଟିରେ ଆସି ଦୋକାନ କାନ୍ଥ କଣା କରି ଭିତରେ ପଶୁଥିଲେ । ଦୋକାନ ଭିତରୁ ମୋବାଇଲ ନେଇ ଫେରାର ହୋଇଯାଉଥିଲେ । ଅନେକ ସମୟରେ ଦୋକାନରେ ଲାଗିଥିବା ସିସିଟିଭିକୁ ବି ନେଇ ଯାଉଥିଲେ । ସେମିତି ଏକ ଲୁଟେରା ଗ୍ୟାଙ୍ଗକୁ ଗିରଫ କରିଛି କପ୍ତିପଦା ପୁଲିସ । ୫ ଅନ୍ତଃଜିଲ୍ଲା ଲୁଟେରାଙ୍କୁ ଗିରଫ ହୋଇଥିବା ବେଳେ ସେମାନଙ୍କ ଠାରୁ ୨ଟି ଟାବଲେଟ୍, ୩୬ଟି ମୋବାଇଲ୍, ଗୋଟିଏ ସ୍କୁଟି, ସିସିଟିଭି ଓ ଲୁଟ୍ ବ୍ୟବହୃତ କଟର ଜବତ ହୋଇଛି । ଗତ ୨୫ ତାରିଖରେ ଖୁଂଟା ଅଂଚଳର ଏକ ମୋବାଇଲ ଦୋକାନରୁ ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା । ପୁଲିସ ସେହି ଘଟଣାର ତଦନ୍ତ କରି ମାଷ୍ଟରମାଇଣ୍ଡ ଅମରଜିତ୍ ପ୍ରଧାନ ସମେତ ୫ ଜଣଙ୍କୁ ଗିରଫ କରିଛି । ଏହି ଲୁଟେରା ଗ୍ୟାଙ୍ଗ ସମାନ ଢଙ୍ଗରେ ମୟୂରଭଂଜ ଓ ବାଲେଶ୍ୱରର ବିଭିନ୍ନ ମୋବାଇଲ ଦୋକାନରୁ ଲୁଟ୍ କରିଥିବା କପ୍ତିପଦା ଏସଡିପିଓ ସୂଚନା ଦେଇଛନ୍ତି ।