ଓଡିଶା ଜଗରନଟ୍ସ ଟିମକୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ : ୨ କୋଟି ଟଙ୍କାର ପୁରସ୍କାର ପ୍ରଦାନ

67

କନକ ବ୍ୟୁରୋ : ଅଲଟିମେଟ ଖୋ ଖୋ ଲିଗରେ ଚାମ୍ପିୟନ ଓଡିଶା ଜଗରନଟସ ଟିମକୁ ସମ୍ବର୍ଦ୍ଧିତ କରିଛନ୍ତି ରାଜ୍ୟ ସରକାର । କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଓଡିଶା ଜଗରନଟସ ଟିମ ସଦସ୍ୟଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଛନ୍ତି । ଏଥିସହ କଳିଙ୍ଗ ଷ୍ଟାଡିୟମରେ ଏକ ଖୋ ଖୋ ଏକ୍ସେଲେନ୍ସ ସେଣ୍ଟର କରିବା ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ପ୍ରଥମ ପେସାଦାର ଖୋ ଖୋ ଲିଗ୍ ‘ଅଲ୍ଟିମେଟ୍ ଖୋ ଖୋ’ର ପ୍ରଥମ ବିଜେତା ହେବା ପରେ ‘ଓଡ଼ିଶା ଜଗରନଟ୍ସ’ ଦଳର ଖେଳାଳି, ପ୍ରଶିକ୍ଷକ ତଥା ପରିଚାଳକଙ୍କ ପାଇଁ କଳିଙ୍ଗ ଷ୍ଟାଡିୟମ୍ ଭାରୋତ୍ତୋଳନ ହଲ୍‌ରେ ସମ୍ବର୍ଦ୍ଧନା ଉତ୍ସବ ଆୟୋଜିତ ହୋଇଥିଲା ।

ଏଥିରେ ଅନ୍ୟତମ ଅତିଥି ଭାବେ ଯୋଗଦେଇ ଭାରତୀୟ ଖୋ ଖୋ ମହାସଂଘର ସଭାପତି ସୁଧାଂଶୁ ମିତ୍ତଲ ଦେଶୀ ତଥା ପାରମ୍ପରିକ ଖେଳ ଖୋ ଖୋ ପାଇଁ ଦେଶର ପ୍ରଥମ ଏଚ୍‌ପିସି ଏବଂ ଉତ୍ସର୍ଗୀକୃତ ଖୋ ଖୋ ଷ୍ଟାଡିୟମ୍ ଓଡ଼ିଶାରେ ନିର୍ମାଣ କରିବାକୁ ମଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ । ମୁଖ୍ୟମନ୍ତ୍ରୀ ଏହାର ଉତ୍ତର ରଖି ଓଡ଼ିଶା ସରକାର ନିଶ୍ଚିତ ଭାବେ ଏହି ଦୁଇ ଅନୁରୋଧକୁ ରକ୍ଷା କରିବାକୁ ଚେଷ୍ଟା କରିବେ ବୋଲି ଘୋଷଣା କରିଥିଲେ। ପ୍ରଥମ ରାଜ୍ୟ ଭାବେ ଏକ ପେସାଦାର ଖୋ ଖୋ ଦଳ କିଣି ଇତିହାସ ରଚିଥିବା ଓଡ଼ିଶାର ଭୌଗୋଳିକ ସ୍ଥିତି ଖୋ ଖୋ ଖେଳ ପାଇଁ ପୂରା ପ୍ରକୃଷ୍ଟ ବୋଲି ମିତ୍ତଲ କହିଥିଲେ । ସେହିଭଳି ଖୋ ଖୋର ଉନ୍ନତି ଲାଗି ରାଜ୍ୟ ସରକାର ଦେଉଥିବା ଅଭୂତପୂର୍ବ ସମର୍ଥନ ଓ ସହଯୋଗ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ସମ୍ବର୍ଦ୍ଧନା ଉତ୍ସବରେ ଓଡ଼ିଶା ସରକାରଙ୍କ ପକ୍ଷରୁ ବିଜେତା ଓଡ଼ିଶା ଜଗରନଟ୍ସ ଦଳକୁ ୨ କୋଟି ଟଙ୍କାର ଆର୍ଥିକ ପୁରସ୍କାର ପ୍ରଦାନ କରାଯାଇଥିଲା । ‘‘ଅଲ୍ଟିମେଟ୍‌ ‌ଖୋ ଖୋର ବିଜେତା ହୋଇ ଆପଣମାନେ ଇତିହାସ ରଚିଛନ୍ତି । ଆପଣମାନଙ୍କ ଏହି ସଫଳତା ଦୀର୍ଘଦିନ ଧରି ଚର୍ଚ୍ଚିତ ହେବା ସହ ଏହା ଜନସାଧରଣଙ୍କ ମନରେ ଲିପିବଦ୍ଧ ହୋଇ ରହିବ । ଯୁବ ଓ ଉଦୀୟମାନ ଖେଳାଳିଙ୍କୁ ଖୋ ଖୋକୁ ପେସା କରିବା ଲାଗି ଅନୁପ୍ରେରିତ କରିବ। ଓଡ଼ିଶା ଜଗରନଟ୍ସର ଏହି ସଫଳତା ନେଇ ଆମେ ସମସ୍ତେ ବେଶ୍ ଗର୍ବିତ’’ ବୋଲି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅବସରରେ କହିଥିଲେ । ଏହି ଅବସରରେ ମୁଖ୍ୟ ସଚିବ, ଫାଇଭ-ଟି ସଚିବ, କ୍ରୀଡା ସଚିବ, ହକି ଓଡିଶା ପ୍ରମୋସନ କାଉନସିଲ ଚେୟାରମ୍ୟାନ, ଅଲଟିମେଟ ଖୋ ଖୋ ଲିଗର ସିଇଓ ପ୍ରମୁଖ ଉପସ୍ଥିତ ଥିଲେ ।