ଆସ୍ଥା ଭୋଟର ସମ୍ମୁଖୀନ ହେବ ମହାରାଷ୍ଟ୍ରରେ ନବଗଠିତ ସରକାର : ଏକନାଥ ସିନ୍ଦେ କହିଲେ, ତାଙ୍କ ପାଖରେ ଅଛି ୧୭୦ ବିଧାୟକଙ୍କ ସମର୍ଥନ

176

କନକ ବ୍ୟୁରୋ : ଆସନ୍ତା ୪ ତାରିଖରେ ଆସ୍ଥା ଭୋଟର ସମ୍ମୁଖୀନ ହେବ ମହାରାଷ୍ଟ୍ରର ନୂଆ ସରକାର । ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ନବଗଠିତ ଶିବସେନା ଓ ବିଜେପି ସରକାର ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବେ । ରାଜ୍ୟପାଳ ଜୁଲାଇ ୩ ଓ ୪ ତାରିଖ ଦୁଇ ଦିନ ସ୍ୱତନ୍ତ୍ର ଅଧିବେଶନ ଡାକିଛନ୍ତି । ନୂଆ ମୁଖ୍ୟମନ୍ତ୍ରୀ ଏକାନଥ ସିନ୍ଦେ କହିଛନ୍ତି ତାଙ୍କ ପାଖରେ ୧୭୦ ବିଧାୟକଙ୍କ ସମର୍ଥନ ରହିଛି । ଏହାରି ମଧ୍ୟରେ ବିଜେପି ବିଧାୟକ ରାହୁଲ ନର୍ବେକର ବିଧାନସଭା ବାଚସ୍ପତି ପଦ ପାଇଁ ଆବେଦନ କରିଛନ୍ତି ।

ଆବଶ୍ୟକ ପଡ଼ିଲେ ଜୁଲାଇ ୩ ତାରିଖରେ ଏହି ପଦ ପାଇଁ ନିର୍ବାଚନ ହେବ । ଗତବର୍ଷ ଫେବ୍ରୁଆରୀରେ କଂଗ୍ରେସର ନାନା ପାଟୋଲେ ଇସ୍ତଫା ଦେବା ପରେ ପରଠାରୁ ଏହି ପଦବୀ ଖାଲି ପଡ଼ିଛି । ଏସବୁ ଭିତରେ ଗୋଆରେ ଥିବା ବିଦ୍ରୋହୀ ବିଧାୟକ ଆଜି ମୁମ୍ବାଇ ଫେରିବେ ବୋଲି ଜଣାପଡ଼ିଛି । ଅନ୍ୟପଟେ ଶିବ ସେନାର ବିଦ୍ରୋହୀ ନେତା ଏକନାଥ ସିନ୍ଦେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେବା ପରେ ଦଳର ମୁଖ୍ୟ ଉଦ୍ଧବ ଠାକରେ ତାଙ୍କୁ ଦଳରୁ ବିଦା କରିଛନ୍ତି । ଦଳୀୟ ସଂଗଠନରେ ଶିବସେନା ନେତା ପଦରୁ ତାଙ୍କୁ ବିଦା କରାଯାଇଛି । ଦଳ ପକ୍ଷରୁ ଏନେଇ ଚିଠି ଜାରି କରାଯାଇଛି ।