ହରିଆଣା ନୁହ ହିଂସାକୁ ନେଇ ମୁଖ୍ୟମନ୍ତ୍ରୀ ଖଟ୍ଟରଙ୍କ ବୟାନ । କହିଲେ ପ୍ରତିବ୍ୟକ୍ତିଙ୍କୁ ନା ପୋଲିସ ନା ସେନା କେହି ବି ସୁରକ୍ଷା ଦେଇପାରିବେ ନାହିଁ

257

କନକ ବ୍ୟୁରୋ : ନୁହ ହିଂସା ଭିତରେ ପ୍ରତିକ୍ରିୟା ରଖିଛନ୍ତି ହରିଆଣା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର । ସେ କହିଛନ୍ତି କି ପ୍ରତିବ୍ୟକ୍ତିଙ୍କୁ ସୁରକ୍ଷା ଦେବା ସମ୍ଭବ ନୁହେଁ । ଏଥିପାଇଁ ଆମକୁ ସ୍ଥିତି ବଦଳାଇବାକୁ ପଡିବ । ପ୍ରତିବ୍ୟକ୍ତିକୁ ନା ପୋଲିସ ନା ସେନା କେହି ବି ସୁରକ୍ଷା ଦେଇପାରିବେ ନାହିଁ । ଏଥିପାଇଁ ସାମାଜିକ ସଦଭାବ ଠିକ କରିବାକୁ ପଡିବ ବୋଲି ସେ କହିଛନ୍ତି ।

ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଆପଣ ଯେକୌଣସି ଦେଶକୁ ଯାଆନ୍ତୁ ନା କାହିଁକି ପୋଲିସ ପ୍ରତ୍ୟେକ ବ୍ୟକ୍ତିଙ୍କୁ ସୁରକ୍ଷା ଦେଇପାରିବ ନାହିଁ । କିନ୍ତୁ ଏଥିପାଇଁ ଏଭଳି ବାତାବରଣ ସୃଷ୍ଟି କରିବାକୁ ପଡିବ । ଏନେଇ ରାଜ୍ୟରେ କେନ୍ଦ୍ରୀୟ ରିଜର୍ଭ ପୋଲିସର ୨୦ଟି ଟିମ୍ ନିୟୋଜିତ କରାଯାଇଛି । ସେମାନଙ୍କ ମଧ୍ୟରୁ ନୁଂହରେ ୧୪ଟି ଟିମ୍, ପଲବଲରେ ୩ଟି ଟିମ୍, ଗୁରୁଗ୍ରାମରେ ୨ଟି ଓ ଫରିଦାବାଦରେ ଗୋଟିଏ ଟିମ୍ ନିୟୋଜିତ କରାଯାଇଛି ।

ସେପଟେ ମୋନୁ ମାନେସରଙ୍କ ଗିରଫ ସଂପର୍କରେ ଖଟ୍ଟର କହିଛନ୍ତି ଏନେଇ ତାଙ୍କ ପାଖରେ କୌଣସି ସୂଚନା ନାହିଁ । ଆମେ ରାଜସ୍ଥଶନ ସରକାରଙ୍କୁ ସାହାଯ୍ୟ ମାଗିଛୁ, କାରଣ ଏହାପୂର୍ବରୁ ମାନେସରଙ୍କ ନାମରେ ରାଜସ୍ଥାନ ସରକାର ମାମଲା ରୁଜୁ କରିଥିଲା । ରାଜସ୍ଥାନ ସରକାରଙ୍କୁ ସମସ୍ତ ପ୍ରକାର ସହାୟତା କରିବାକୁ ଆମେ ପ୍ରସ୍ତୁତ ଅଛୁ । ଏହି ମାମଲାରେ ରାଜସ୍ଥାନ ପୋଲିସ କାର୍ଯ୍ୟାନୁଷ୍ଠାନ ନେବାକୁ ତାଙ୍କୁ ସ୍ୱାଧୀନତା ଦିଆଯାଇଛି ।
ସୂଚନା ଥାଉକି ହରିଆଣାର ନୁହ ହିଂସାରେ ଏପର୍ଯ୍ୟନ୍ତ ଦୁଇଜଣ ହୋମଗାର୍ଡଙ୍କ ସମେତ ୬ଜଣଙ୍କର ମୃତ୍ୟୁ ହୋଇଛି । ମାମଲାରେ ସଂପୃକ୍ତ ଥିବା ସନ୍ଦ୍ରେେ ୧୧୬ଜଣଙ୍କୁ ଗିରଫ କରାଯାଇଛି ।