୪୨ ବର୍ଷରେ ମହେନ୍ଦ୍ର ସିଂ ଧୋନି : ଜନ୍ମଦିନ ପାଇଁ ଫ୍ୟାନ୍ ଜଣାଇଲେ ଶୁଭେଚ୍ଛା

237

କନକ ବ୍ୟୁରୋ : ଗତ ଦୁଇ- ତିନି ଦଶନ୍ଧି ଧରି ଭାରତୀୟ କ୍ରିକେଟରେ ଏପ୍ରିଲ ୨୪ ତାରିଖକୁ ସବୁଠାରୁ ସ୍ମରଣୀୟ ତାରିଖ କୁହାଯାଏ । ଏହି ଦିନ କ୍ରିକେଟ୍ ଭଗବାନ ନାମରେ ପରିଚିତ ମହାନ୍ ବ୍ୟାଟର ସଚିନ ତେନ୍ଦୁଲକରଙ୍କ ଜନ୍ମଦିନ ପାଳନ କରାଯାଇଥାଏ । କିନ୍ତୁ ଆଜି ତାରିଖ ମଧ୍ୟ ଭାରତୀୟ କ୍ରିକେଟ୍ ପାଇଁ ବହୁତ ଖାସ । ଜୁଲାଇ ୭ ତାରିଖ ଅର୍ଥାତ୍ ଆଜି ହେଉଛି ଦୁନିଆର ଅନ୍ୟତମ ଶ୍ରେଷ୍ଠ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ଜନ୍ମଦିନ ।

ଭାରତକୁ ତିନୋଟି ଆଇସିସି ଟ୍ରଫି ଜିତାଇଇଥିବା ଧୋନି ଆଜି ନିଜର ୪୨ତମ ଜନ୍ମଦିନ ମନାଉଛନ୍ତି । ତାଙ୍କ ନେତୃତ୍ୱରେ ଭାରତ ସେସବୁ ସଫଳତା ହାସଲ କରିଛି, ଯାହା ଦୁନିଆର କୌଣସି ଅଧିନାୟକ ତାହା କରିପାରିନାହାନ୍ତି । ଧୋନିଙ୍କ ନେତୃତ୍ୱରେ ଭାରତ ୨୦୦୭ରେ ଟି-ଟ୍ୱେଂଟି ବିଶ୍ୱକପ୍, ୨୦୧୧ରେ ଦିନିକିଆ ବିଶ୍ୱକପ୍ ଓ ୨୦୧୩ରେ ଚାମ୍ପିୟନ୍ସ ଟ୍ରଫିର ଟାଇଟଲ୍ ଜିତିଥିଲା । ୨୦୦୪ରେ ଝାଡ଼ଖଣ୍ଡର ଏହି ୱିକେଟକିପର ବ୍ୟାଟର ଭାରତ ପାଇଁ ନିଜର ପ୍ରଥମ ମ୍ୟାଚ୍ ଖେଳିଥିଲେ । ୨୦୦୭ରେ ତାଙ୍କୁ ପ୍ରଥମଥର ଭାରତୀୟ କ୍ରିକେଟ ଦଳର ଅଧିନାୟକ କରାଯାଇଥିଲା ।

ତା’ପରେ ଧୋନି ଗୋଟିଏ ପରେ ଗୋଟିଏ ଇତିହାସ ରଚିଚାଲିଲେ । ଧୋନିଙ୍କ ନେତୃତ୍ୱରେ ଭାରତ ୬୦ ଟେଷ୍ଟରୁ ୨୭ଟି ଜିତିଛି । ସେହିପରି ୨୦୦ ଦିନିକିଆରେ ଧୋନି ୧୧୦ଟି ମ୍ୟାଚ୍ ଜିତିଥିବା ବେଳେ ୭୧ ଟି-୨୦ ମ୍ୟାଚରେ ୪୧ଟି ବିଜୟ ହାସଲ କରିଛନ୍ତି । କେବଳ ସେତିକି ନୁହେଁ, ଆଇପିଏଲରେ ମଧ୍ୟ ଧୋନି ସବୁଠାରୁ ସଫଳ ଅଧିନାୟକ ଭାବେ ୫ଟି ଟ୍ରଫି ଜିତି ରୋହିତ ଶର୍ମାଙ୍କ ରେକର୍ଡ ସମକକ୍ଷ ହୋଇଛନ୍ତି । ଯେତେ ବୟସ ବଢ଼ୁଛି, ଧୋନିଙ୍କ ପ୍ରତି ଫ୍ୟାନଙ୍କ ଭଲପାଇବା ସେତେ ବଢ଼ୁଛି । ୨୦୨୪ ଆଇପିଏଲରେ ମଧ୍ୟ ଧୋନି ପୁଣିଥରେ ଖେଳିପାରନ୍ତି ବୋଲି ଜଣାପଡ଼ିଛି ।