ମେଡିକାଲ କଲେଜରେ ଚାକିରି ନାଁରେ ଠକେଇ। ଖବର ପ୍ରସାରଣ ପରେ ମାମଲା ରୁଜୁ ।

133

କନକ ବ୍ୟୁରୋ: ନୂଆ ନୂଆ ଆରମ୍ଭ ହୋଇଛି ସୁନ୍ଦରଗଡ଼ ଏନଟିପିସି ମେଡିକାଲ୍ କଲେଜ । ପାଠପଢ଼ା ଆରମ୍ଭ ହେଉ ହେଉ ସକ୍ରିୟ ହୋଇଯାଇଛନ୍ତି ଦଲାଲ । ମେଡିକାଲ କଲେଜ ଡିନଙ୍କ ନକଲି ଦସ୍ତଖତ, ଷ୍ଟାମ୍ପ ଓ ରାଜ୍ୟ ସରକାରଙ୍କ ଲୋଗୋ ବ୍ୟବହାର କରାଯାଇ ପ୍ରସ୍ତୁତ କରାଯାଇଛି ଜାଲି ନିଯୁକ୍ତିପତ୍ର । ଏହା ଜରିଆରେ ଚାକିରି ଆଶାୟୀ ଯୁବକ/ଯୁବତୀଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଛନ୍ତି ଦଲାଲ । ଅଭିଯୋଗ ହୋଇଛି ଏହି ଠକେଇ କାରବାର ମୁଖ୍ୟ କାର୍ପଟଦାର ପାଲଟିଛନ୍ତି କିଛି ଅସାଧୁ କର୍ମଚାରୀ ।
ଆଟେଣ୍ଡାଂଟ୍ ପାଇଁ ୪୦ ହଜାର! ଡାଟା ଏଣ୍ଟ୍ର ଅପରେଟର ପାଇଁ ୧ ଲକ୍ଷ! ସୁପରଭାଇଜର ପାଇଁ ୮୦ ହଜାରରୁ ଦେଢ଼ ଲକ୍ଷ! ଏହି ଭଳି ଭାବେ ପଦବୀକୁ ନେଇ ଦର କଷୁଛନ୍ତି ଦଳାଲ । ଗାଁ ଗାଁରେ

ଏହି କାରବାର ପାଇଁ ବୁଲୁଛନ୍ତି ଏଜେଣ୍ଟ । ଗାଁର କିଛି ଶିକ୍ଷକଙ୍କୁ ମଧ୍ୟ ଏଜେଣ୍ଟ ଭାବେ ନିଯୁକ୍ତ କରାଯାଇ ଚାଲିଛି ରାକେଟ୍ । ଠକେଇର ଶିକାର ହୋଇଥିବା ଯୁବକ/ଯୁବତୀଙ୍କ ତାଲିକାରେ ବଢ଼ିବାରେ ଲାଗିଛି । କନକ ନ୍ୟୁଜରେ ଏହି ଖବର ପ୍ରସାରଣ ପରେ ଥାନାରେ ମାମଲା ରୁଜୁ ହୋଇଛି । ଜଣେ ଠକାମୀର ଶିକାର ହୋଇଥିବା ଜୟନ୍ତ ଚାନ୍ଦଙ୍କ ଅଭିଯୋଗ କ୍ରମେ ମକଦ୍ଦମା ରୁଜୁ କରିଛି ସୁନ୍ଦରଗଡ଼ ଟାଉନଥାନା ପୋଲିସ ।

ସାମନାକୁ ଆସିଛି ଠକେଇରେ ସମ୍ପୃକ୍ତ ୨ ଜଣ ଅଭିଯୁକ୍ତଙ୍କ ଫଟୋ । ସିନ୍ଦୁର ଚିତା ଲଗାଇ ଥିବା ଏହି ବ୍ୟକ୍ତି ହେଉଛନ୍ତି ଚୈତ୍ୟନ ତନ୍ତୀ, ସୁନ୍ଦରଗଡ଼ ସରକାରୀ ଡାକ୍ତରଖାନାରେ ଆଟେଣ୍ଡାଣ୍ଟ ଭାବେ କାର୍ଯ୍ୟ କରନ୍ତି । ସେହିପରି ଅ୍ଧମ ଜଣେ ଯୁବକ ହେଉଛନ୍ତି ସୁଶାନ୍ତ ମାଝୀ, ଏନଟିପିସି ମେଡିକାଲରେ ଚାକିରି କରନ୍ତି ବୋଲି ପରିଚୟ ଦିଅନ୍ତି, କିନ୍ତୁ ସେ କ’ଣ କରନ୍ତି ସ୍ପଷ୍ଟ ହୋଇନାହିଁ । ତାଙ୍କ ନାଁରେ ମଧ୍ୟ ଠକେଇ ଅଭିଯୋଗ କରିଛନ୍ତି ଚାକିରି ଆଶାୟୀ । ସେହିପରି ସ୍କୁଲ ଶିକ୍ଷକ ବସନ୍ତ ତାଜନଙ୍କ ନାଁରେ ମଧ୍ୟ ଅଭିଯୋଗ ହୋଇଛି । ତେବେ ସେ ଅଭିଯୋଗକୁ ଅସ୍ୱୀକାର କରିଛନ୍ତି । ଏପଟେ ଜାଲ ନିଯୁକ୍ତି ନାଁରେ ଠକେଇ ହୋଇଥିବା ମାନିଛନ୍ତି ମେଡିକାଲ୍ କଲେଜର ଡିନ୍ ।

ଠକେଇରେ ଏକ ର୍ୟାକେଟ୍ ସକ୍ରିୟ ରହିଥିବା ଅଭିଯୋଗ ହୋଇଛି । କିଛି ଅଭିଯୋଗ ଆସିଥିବା ବେଳେ ଏହି ଚେର୍ ବହୁତ ଲମ୍ବା ବୋଲି କୁହାଯାଉଛି । ସଠିକ୍ ତଦନ୍ତ ହେଲେ ପୂରା ମାମଲାର ପର୍ଦ୍ଦାଫାଶ ହୋଇପାରିବ ।