ଦୁର୍ନୀତିଗ୍ରସ୍ତ ଓ ଅପାରଗ ବାବୁଙ୍କୁ ନିସ୍ତାର ନାହିଁ । ୯ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ରାଜ୍ୟ ସରକାର, ଜାଣନ୍ତୁ କେଉଁ ଅଧିକାରୀଙ୍କ ବିରୋଧରେ ସରକାର ନେଲେ କାର୍ଯ୍ୟାନୁଷ୍ଠାନ ।

323

କନକ ବ୍ୟୁରୋ :  ଦୁର୍ନୀତି ଓ ଅପାରଗ ଅଧିକାରୀଙ୍କ ବିରୁଦ୍ଧରେ ରାଜ୍ୟ ସରକାରଙ୍କର କଠୋର ଆଭିମୁଖ୍ୟ ଜାରି ରହିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅପାରଗ ତଥା ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୁଦ୍ଧରେ ସବୁବେଳେ ଶୂନ୍ୟ ସହିଷ୍ଣୁତା ଉପରେ ଜୋର ଦେଇଆସିଛନ୍ତି । ସାଧାରଣ ଜୀବନରେ ସାଧୁତା ଓ ନୈତିକତା ବଜାୟ ରଖିବା ସହ ଜନସାଧାରଣଙ୍କୁ ସ୍ୱଚ୍ଛ ଦକ୍ଷ ଏବଂ ଉତ୍ତରଦାୟୀ ପ୍ରଶାସନ ମାଧ୍ୟମରେ ସେବା ଯୋଗାଇ ଦେବା ପାଇଁ ନିରନ୍ତର ପ୍ରଚେଷ୍ଟା ଜାରି ରଖିଛନ୍ତି। ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର ଖଣି ବିଭାଗର ଜଣେ ଉପନିର୍ଦ୍ଦେଶକ ଓ ଶ୍ରମ ବିଭାଗର ଯୁଗ୍ମ କମିଶନରଙ୍କ ସମେତ ଜଙ୍ଗଲ, ଜନସ୍ୱାସ୍ଥ୍ୟ, ଶ୍ରମ ବିଭାଗର ୯ ଜଣଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି। ସେମାନଙ୍କ ମଧ୍ୟରୁ ୭ ଜଣଙ୍କ ବିରୁଦ୍ଧରେ ଦୁର୍ନୀତି ମାମଲା ଥିବାବେଳେ, ୨ ଜଣଙ୍କୁ ଅପାରଗତା ଯୋଗୁଁ ବାଧ୍ୟତାମୂଳକ ଅବସର ଦିଆଯାଇଛି।

ଖଣି ବିଭାଗର ୨ ଜଣ ଅଧିକାରୀ ତଥା ବଲାଙ୍ଗୀର ମୂରିବାହଲ ଫରେଷ୍ଟ ରେଞ୍ଜ ଅଫିସର ଏବଂ ସୁନ୍ଦରଗଡ ଜିଲ୍ଲା ସାଧାରଣ ଜନସ୍ୱାସ୍ଥ୍ୟ ବିଭାଗର ଆସିଷ୍ଟାଣ୍ଟ ଇଂଜିନିୟରଙ୍କୁ ଆଜି ବାଧ୍ୟତାମୂଳକ ଅବସର ଦିଆଯାଇଥିବା ଅନ୍ୟ ୫ ଜଣଙ୍କୁ କିଛି ଦିନ ତଳେ ବାଧ୍ୟତାମୂଳକ ଅବସର ଦିଆଯାଇଥିଲା। ବାଧ୍ୟତାମୂଳକ ଅବସର ଦିଆଯାଇଥିବା ଅଧିକାରୀମାନେ ହେଲେ ଖଣି ବିଭାଗର ଉପନିର୍ଦ୍ଦେଶକ ଶ୍ରୀ ମଦନ ମୋହନ ବିଶ୍ବାଳ। ତାଙ୍କ ବିରୁଦ୍ଧରେ ୯ଟି ଭିଜିଲାନସ କେସ୍‌ ରହିଛି ।

ଖଣି ଅଧିକାରୀ ଗ୍ରୁପ-କ ପାହ୍ୟାର ଅଧିକାରୀ ରମେଶ ଚନ୍ଦ୍ର ମହାଲିକ ବିରୁଦ୍ଧରେ ୪ଟି ଭିଜିଲାନ୍ସ କେସ୍ ଥିବାବେଳେ ତାଙ୍କର ସାଧୁତା ମଧ୍ୟ ସନ୍ଦେହଜନକ ଥିଲା । ବଲାଙ୍ଗୀର ମୂରିବାହାଲ ଫରେଷ୍ଟ ରେଞ୍ଜ ଅଫିସର ପ୍ରଶାନ୍ତ କୁମାର ନାୟକ ୧ କୋଟି ୪୦ ଲକ୍ଷ ଟଙ୍କାର ଆୟବହିର୍ଭୁତ ସଂପତ୍ତି ସହିତ ବଲାଙ୍ଗୀର ଜିଲ୍ଲାରେ ତାଙ୍କର ୧୦ଟି ପ୍ଲଟ ଓ ୨ଟି କୋଠା ମଧ୍ୟ ଠାବ କରାଯାଇଥିଲା । ସେଥିପାଇଁ ତାଙ୍କ ନାମରେ ଭିଜିଲାନ୍ସ ମାମଲା ରହିଛି । ସେହିପରି ସୁନ୍ଦରଗଡ ଜିଲ୍ଲା ସାଧାରଣ ଜନସ୍ୱାସ୍ଥ୍ୟ ବିଭାଗର ଆସିଷ୍ଟାଣ୍ଟ ଇଂଜିନିୟର ନାରାୟଣ ପ୍ରଧାନଙ୍କ ବିରୁଦ୍ଧରେ ଭିଜିଲାନ୍ସ ମାମଲା ରହିଛି । ତାଙ୍କର ଆୟ ବହିର୍ଭୂତ ୨ କୋଟି ୨୦ ଲକ୍ଷ ଟଙ୍କାର ସଂପତ୍ତି ସହିତ ଦେଓଗଡ ଜିଲ୍ଲାରେ ୪ଟି କୋଠା, ସମ୍ବଲପୁର, ଦେଓଗଡ, ଅନୁଗୁଳ ଓ ଖୋର୍ଦ୍ଧା ଜିଲ୍ଲାରେ ୩୧ଟି ଜମି ମଧ୍ୟ ରହିଛି ।

ଜଙ୍ଗଲ ବିଭାଗର ସହକାରୀ ବନ ସଂରକ୍ଷକ ଲକ୍ଷ୍ଣଣ କୁମାର ପ୍ରଧାନଙ୍କ ବିରୁଦ୍ଧରେ ୨ଟି ଭିଜିଲାନ୍ସ କେସ ରହିଛି । ଜଙ୍ଗଲ ବିଭାଗର ରେଞ୍ଜ ଅଫିସର ଭରତ କୁମାର ଘଡେଇଙ୍କ ବିରୁଦ୍ଧରେ ୩ଟି ଭିଜିଲାନ୍ସ କେସ୍ ରହିଛି । ରାୟଗଡା ଜିଲ୍ଲା ଶ୍ରମ ଅଧିକାରୀ ପ୍ରଦୀପ କୁମାର ଭୋଇଙ୍କ ବିରୁଦ୍ଧରେ ଗୋଟିଏ ଭିଜିଲାନ୍ସ କେସ ରହିଛି । ଏମାନଙ୍କୁ ସମସ୍ତଙ୍କୁ ଦୁର୍ନୀତି ଅଭିଯୋଗରେ ବାଧ୍ୟତାମୂଳକ ଅବସର ଦିଆଯାଇଛି ।

ଭୁବନେଶ୍ୱରର ଯୁଗ୍ମ ଶ୍ରମ କମିଶନର ଶରତ କୁମାର ଚୌଧୁରୀ ଏବଂ ଗଜପତି ଜିଲ୍ଲାର ଡିଭିଜିନାଲ ଶ୍ରମ କମିଶନର ନମିତା ଦାସଙ୍କୁ ଅପାରଗତା ଯୋଗୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ଉପରୋକ୍ତ ୯ ଜଣ ଅଧିକାରୀଙ୍କ ସମେତ ଏପର୍ଯ୍ୟନ୍ତ୧୧୩ ଜଣଙ୍କୁ ଦୁର୍ନୀତି ଓ ଅପାରଗତା ଅଭିଯୋଗରେ ରାଜ୍ୟ ସରକାର ବାଧ୍ୟତାମୂଳକ ଅବସର ଦେଇଛନ୍ତି।