ଲାଇନର ମିଛ ଚାକିରି, ସାଇବର ଠକଙ୍କ ଟାର୍ଗେଟରେ ସରକାରୀ କାର୍ଯ୍ୟାଳୟ । ମୋ ସ୍କୁଲ ନାଁରେ ନକଲି ୱେବସାଇଟ କରି ଦିଆଯାଉଛି ନିଯୁକ୍ତି ବିଜ୍ଞାପନ । ସେପଟେ ନକଲି ୱେବସାଇଟରେ ଦାମି ହୋଟେଲର ନାଁ 

149

କନକ ବ୍ୟୁରୋ: ଅନଲାଇନରେ ମିଛ ଚାକିରି । ସାଇବର ଠକଙ୍କ ଟାର୍ଗେଟରେ ସରକାରୀ କାର୍ଯ୍ୟାଳୟ । ମୋ ସ୍କୁଲ ନାଁରେ ନକଲି ୱେବସାଇଟ୍ କରି ଦିଆଯାଉଛି ମିଛ ନିଯୁକ୍ତି ବିଜ୍ଞାପନ । ସରକାରୀ ଚାକିରି ଆଶାୟୀଙ୍କୁ ଠକିବାଙ୍କୁ ଜାଲ ବିଛାଇଛନ୍ତି କିଛି ସାଇବର ଲୁଟେରା । ଏହାକୁ ନେଇ ଭୁବନେଶ୍ୱର ସାଇବର ଥାନାରେ ଲିଖିତ ଅଭିଯୋଗ କରିଛି ଗଣଶିକ୍ଷା ବିଭାଗ । ସେପଟେ ଦାମୀ ହୋଟେଲରେ କମ୍ ଟଙ୍କାରେ ରୁମ୍ ବୁକ୍ କରିବା ନେଇ ମଧ୍ୟ ଯୋଜନା ପ୍ରସ୍ତୁତ କରିଛନ୍ତି ଅନଲାଇନ୍ ଲୁଟେରା ।

  • ସାଇବର ଠକଙ୍କ ଟାର୍ଗେଟରେ ସରକାରୀ କାର୍ଯ୍ୟାଳୟ
  • ମୋ ସ୍କୁଲ ନାମରେ ନକଲି ୱେବସାଇଟ
  • ପୋଲିସ କମିସନରଙ୍କୁ ଚିଠି ଲେଖିଲେ ଗଣଶିକ୍ଷା ସଚିବ

ବିଭିନ୍ନ ସରକାରୀ ସଂସ୍ଥା କୁ ଟାର୍ଗେଟ କରିଛନ୍ତି ସାଇବର ଲୁଟେରା । ସରକାରୀ ସଂସ୍ଥାର ନକଲି ୱେବସାଇଟ ପ୍ରସ୍ତୁତ କରି ଲୋକଙ୍କୁ ଠକିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି ସାଇବର ଠକ । ଟାର୍ଗେଟରେ ଅଛନ୍ତି ସରକାରୀ ଚାକିରି ଆଶାୟୀ । ମୋ ସ୍କୁଲ ନାଁରେ ନକଲି ୱେବସାଇଟ ପ୍ରସ୍ତୁତ କରି ଦିଆଯାଉଛି ନିଯୁକ୍ତି ପାଇଁ ବିଜ୍ଞାପନ । ପିଅନ,ଡାଟା ଏଂଟ୍ରି ଅପରେଟର,ଅଫିସ ଆଷିଷ୍ଟାଂଟ ଭଳି ବିଭିନ୍ନ ବିଭାଗରେ ମିଛ ନିଯୁକ୍ତି ବିଜ୍ଞାପନ ଦେଇ ଚାକିରି ଆଶାୟୀଙ୍କୁ ଠକିବାର ଜାଲ ବିଛାଇଛନ୍ତି । ଲୋକଙ୍କ ମନରେ ବିଶ୍ୱାସ ଜନ୍ମେଇବା ପାଇଁ ମୋ ସ୍କୁଲର ଅସଲି ୱେବସାଇଟରେ ଯେଉଁ ଯେଉଁ ତଥ୍ୟ ଅଛି ସେହି ସମାନ ତଥ୍ୟକୁ ନକଲି ୱେବସାଇଟ ରେ ଅପଲୋଡ କରାଯାଇଛି । ଯେଉଁମାନେ ଏହି ନକଲି ୱେବସାଇଟରେ ଚାକିରି ପାଇଁ ଆବେଦନ କରୁଛନ୍ତି ସେମାନଙ୍କୁ ମୋଟା ଅଙ୍କର ଟଙ୍କା ଦେବାକୁ କୁହାଯାଉଛି । ଏହି ଘଟଣା ସାମନାକୁ ଆସିବା ପରେ ଭୁବନେଶ୍ୱର ସାଇବର ଥାନାରେ ଲିଖିତ ଅଭିଯୋଗ ହେବା ସହ ପୋଲିସ କମିସନରଙ୍କୁ ଏ ସମ୍ପର୍କରେ ଚିଠି ଲେଖି ଅବଗତ କରିଛନ୍ତି ଗଣଶିକ୍ଷା ବିଭାଗ ସଚିବ ।

  • ରୁମ ବୁକିଙ୍ଗ ନାଁରେ ଟଙ୍କା ଲୁଟୁଛନ୍ତି ସାଇବର ଠକ
  • ଦାମି ହୋଟେଲର ତାଲିକା ଦେଇ ନକଲି ୱେବସାଇଟ

କେବଳ ସରକାରୀ ୱେବସାଇଟ ନୁହେ ବିଭିନ୍ନ ନାମୀ ଦାମୀ ହୋଟେଲର ମଧ୍ୟ ନକଲି ୱେବସାଇଟ ପ୍ରସ୍ତୁତ କରିଦେଇଛନ୍ତି ସାଇବର ଲୁଟେରା ମାନେ । ଅନେକ ଲୋକ ଭୁଲ ବଶତଃ ଏହି ନକଲି ୱେବସାଇଟରେ ରୁମ ବୁକିଙ୍ଗ କରି ପେମେଣ୍ଟ କରିଦେଉଛନ୍ତି । ହେଲେ ଟଙ୍କା ହୋଟେଲ କୁ ନଯାଇ ସିଧାସଳଖ ଯାଉଛି ଠକଙ୍କ ଆକାଉଣ୍ଟରେ । ବିଶେଷ କରି ଭୁବନେଶ୍ୱର ଓ ପୁରୀ ରେ ଥିବା ବିଭିନ୍ନ ହୋଟେଲର ନକଲି ୱେବସାଇଟପ୍ରସ୍ତୁତ କରି ଅନେକ ଲୋକଙ୍କୁ ଚୁନା ଲଗେଇଲେଣି ଏହି ଠକ ମାନେ । ଏନେଇ କ୍ରାଇମବ୍ରାଞ୍ଚ ରେ ଦୁଇଟି ମାମଲା ରୁଜୁ ହେବା ସହ ଏହି ମାମଲାର ତଦନ୍ତ ଚାଲିଛି ।

ଲୋକଙ୍କୁ ଠକିବା ପାଇଁ ସାଇବର ଲୁଟେରା ମାନେ ଭିନ୍ନ ଭିନ୍ନ ଉପାୟ ଅବଲମ୍ବନ କରୁଛନ୍ତି । ସାମାନ୍ୟ ଅସାବଧାନତା କାରଣରୁ କ୍ଷଣକରେ ଉଡିଯାଉଛି କଷ୍ଟ ଉପାର୍ଯିତ ଟଙ୍କା । ହେଲେ ଏହି ଲୁଟେରାଙ୍କୁ ଧରିବା ପୁଲିିସ ପାଇଁ ବର୍ତମାନ ସମୟରେ ଏକ ଚ୍ୟାଲେଞ୍ଜ ପାଲଟିଛି ।