ବିନା ଇଣ୍ଟରନେଟ ବିନା ସିମକାର୍ଡରେ ହେବ ଭିଡିଓ ଷ୍ଟ୍ରିମିଂ । ଖୁବଶୀଘ୍ର ଦେଶର ୧୯ଟି ସହରରେ ହେବ ପରୀକ୍ଷଣ

3,316

କନକ ବ୍ୟୁରୋ : ଦେଶରେ ଡିଜିଟାଲ କ୍ଷେତ୍ରରେ ଆସିବାକୁ ଯାଉଛି ବୈପ୍ଳବିକ ପରିବର୍ତନ । ଭବିଷ୍ୟତରେ ବାସ୍ତବ ରୂପ ନେବ ଡାଇରେକ୍ଟ ଟୁ ମୋବାଇଲ ବ୍ରଡକାଷ୍ଟିଂ ସିଷ୍ଟମ । ଏଣିକି ଲୋକମାନେ ବିନା ଇଂଟରନେଟ ବିନା ସିମକାର୍ଡରେ ନିଜ ମୋବାଇଲରେ ଲାଇଭ୍ ଭିଡିଓ ଦେଖିପାରିବେ । ପୂର୍ବରୁ ମୋବାଇଲ ବ୍ୟବହାରକାରୀଙ୍କୁ ଭିଡିଓ ଦେଖିବାକୁ ସିମକାର୍ଡ ଏବଂ ଇଂଟନେଟର ଆବଶ୍ୟକତା ପଡୁଥିବା ବେଳେ ବର୍ତମାନ ଏସବୁରୁ ଆଶ୍ୱସ୍ତି ମିଳିବ । ନେଟୱାର୍କ ଲୋଡ କମାଇବା ସହିତ ଟିଭି ଦେଖା ଅନୁଭୂତିକୁ ନୂଆ ସ୍ତରକୁ ନେବା ପାଇଁ ବିକଶିତ ହୋଇଥିବା ବ୍ରଡକାଷ୍ଟିଂ ସିଷ୍ଟମ ଉପରେ କାମ କରୁଛନ୍ତି କେନ୍ଦ୍ର ସରକାର । ଆଇଆଇଟି କାନପୁର ଏବଂ ସଂଖ୍ୟା ଲ୍ୟାବ୍ସ ପକ୍ଷରୁ ଏହି ନୂଆ ଟେକ୍ନୋଲୋଜିକୁ ବିକଶିତ କରାଯାଇଛି । ଏହାଦ୍ୱାରା ଯୋଗାଯୋଗ ଭିତିଭୂମି, ସାର୍ବଜନୀନ ପ୍ରସାରଣ ବ୍ୟବସ୍ଥାକୁ ବ୍ୟବହାର କରି ଭିଡିଓ, ଅଡିଓ ଏବଂ ଡାଟାକୁ ମୋବାଇଲକୁ ପହଁଚାଯାଇପାରିବ । ଗତବର୍ଷ ଏହି ପ୍ରଯୁକ୍ତିକୁ ବାଙ୍ଗାଲୋର, ନୂଆଦିଲ୍ଲୀ କର୍ତବ୍ୟପଥ ଏବଂ ନୋଏଡାରେ ପରୀକ୍ଷଣ କରାଯାଇଥିଲା । ଆଗକୁ ଦେଶର ୧୯ଟି ସହରରେ ଏହା ଉପରେ ପରୀକ୍ଷଣ କରାଯିବ ବୋଲି କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

ଦେଶରେ ବର୍ତମାନ ୨୧କୋଟି ପରିବାର ରହିଥିବା ବେଳେ ୧୯କୋଟି ପରିବାର ପାଖରେ ଟିଭି ରହିଛି । ସେହିପରି ୮୦କୋଟି ସ୍ମାର୍ଟଫୋନ ରହିଥିବା ବେଳେ ଏମାନଙ୍କ ମଧ୍ୟରୁ ୬୯ ପ୍ରତିଶତ ଲୋକ ମୋବାଇଲରେ ଭିଡିଓ ଦେଖନ୍ତି । ବହୁସଂଖ୍ୟାରେ ଲୋକ ମୋବାଇଲ ମାଧ୍ୟମରେ ଭିଡିଓ ଦେଖିବା କାରଣରୁ ନେଟୱାର୍କ ଉପରେ ମଧ୍ୟ ଏହାର ପ୍ରଭାବ ପଡୁଛି । ଯଦି ଡାଇରେକ୍ଟ ଟୁ ମୋବାଇଲ ବ୍ରଡକାଷ୍ଟିଂ ସିଷ୍ଟମ ଦ୍ୱାରା ୨୫ରୁ ୩୦% ଲୋକ ମୋବାଇଲରେ ଭିଡିଓ ଦେଖିବେ, ତେବେ ନେଟୱାର୍କ ସିଷ୍ଟମ ଉପରେ ଚାପ କମିବା ସହିତ ଡିଜିଟାଲ ବିପଳ୍ପ ଆହୁରି ତ୍ୱରାନ୍ୱିତ ହୋଇପାରିବ । ଏହାଦ୍ୱାରା ଦେଶର ଦୁର୍ଗମ ଏବଂ ଉପାନ୍ତ ଇଲାକାର ଲୋକମାନେ ବିଶେଷ ଭାବେ ଉପକୃତ ହେବେ । ଅନଲାଇନ ଶିକ୍ଷା ଗ୍ରହଣ କରୁଥିବା ପିଲାମାନଙ୍କ ପାଠ ପଢା ସହଜ ହେବା ସହିତ ସ୍ୱାସ୍ଥ୍ୟ, କୃଷି ସମ୍ବନ୍ଧୀୟ ତଥ୍ୟ ମଧ୍ୟ ସହଜରେ ଉପଲବ୍ଧ ହେବ ।

ସଫଳ ପରୀକ୍ଷଣ ହେବା ପରେ ଡାଇରେକ୍ଟ ଟୁ ମୋବାଇଲ ବ୍ରଡକାଷ୍ଟିଂ ସିଷ୍ଟମ ଆଗାମୀ ବର୍ଷ ସୁଦ୍ଧା କାର୍ଯ୍ୟକାରୀ କରାଯିବାର ସମ୍ଭାବନା ରହିଛି । ଯଦି ଏପରି ହୁଏ ତାହେଲେ ଭାରତରେ ଡିଜିଟାଲ ବୈପ୍ଲବ କ୍ଷେତ୍ରରେ ଏହା ଏକ ମାଇଲଖୁଂଟ ସାବ୍ୟସ୍ତ ହେବ ।