କେନ୍ଦ୍ରାପଡାରେ ବିଜେପି ବନାମ ଅପରାଜିତା । ରୋଡ ସୋ’ରେ ଶକ୍ତି ପ୍ରଦର୍ଶନ କଲେ ଭୁବନେଶ୍ୱର ସାଂସଦ । ହେଲେ ଆସିଲେନି ବରିଷ୍ଠ ନେତା

493

କନକ ବ୍ୟୁରୋ: କେନ୍ଦ୍ରାପଡାରେ ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଶକ୍ତି ପ୍ରଦର୍ଶନ । ବଳଦେବଜୀଉଙ୍କ ଦର୍ଶନ ପାଇଁ ଯାଇଥିବାବେଳେ ଅପରାଜିତାଙ୍କ ରୋଡ ସୋ’ରେ ଶହ ଶହ ସମର୍ଥକ ସାମିଲ ହୋଇଛନ୍ତି । ତେବେ ଏହି ରୋଡ ସୋ’ରେ ଜିଲ୍ଲା ସଭାପତି କିମ୍ବା ଅନ୍ୟ ପଦାଧିକାରୀ ସାମିଲ ହୋଇନାହାନ୍ତି । କେନ୍ଦ୍ରପଡାରେ ଜିଲ୍ଲା କାର୍ଯ୍ୟକାରିଣୀ ଚାଲିଥିବାବେଳେ ଭିନ୍ନ ଭାବେ ଅପରାଜିତାଙ୍କ ରୋଡ ସୋ ରାଜନୈତିକ ଚର୍ଚ୍ଚାର ବିଷୟ ପାଲଟିଛି ।

  • କେନ୍ଦ୍ରାପଡାରେ ବିଜେପି ବନାମ ଅପରାଜିତା
  • ଅପରାଜିତାଙ୍କ ରୋଡ୍-ସୋ
  • କାର୍ଯ୍ୟକାରିଣୀ ବୈଠକରେ ଜିଲ୍ଲା ନେତା

କେନ୍ଦ୍ରାପଡାର ଗୋଟିଏ ପଟେ ତିନି ମୁହାଣି ଛକରୁ ବାଜା ବଜାଇ, ପ୍ରଧାନମନ୍ତ୍ରୀଙ୍କ ଫଟୋ ମାରି ରୋଡ୍ ସୋ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ଶତାଧିକ ସମର୍ଥକଙ୍କ ସହ ଯାଇ କେନ୍ଦ୍ରାପଡାର ଆରାଧ୍ୟ ଦେବତା ବଳଦେବଜୀଉଙ୍କ ଦର୍ଶନ କରିଛନ୍ତି । କିନ୍ତୁ ଅପରାଜିତାଙ୍କ ରୋଡ ସୋରେ ଜିଲ୍ଲା ବିଜେପି ସଭାପତି ଓ ଅନ୍ୟ କୌଣସି ନେତାଙ୍କୁ ଦେଖିବାକୁ ମିଳିନାହିଁ । ଅନ୍ୟପଟେ ଆଉ ଏକ ମଣ୍ଡପରେ ଆୟୋଜିତ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକରେ ଜିଲ୍ଲାର ବିଭିନ୍ନ ବିଧାନସଭା ନିର୍ବାଚନମଣ୍ଡଳୀର ପ୍ରତିନିଧି ଉପସ୍ଥିତ ହୋଇଥିଲେ । ଯାହା ଏବେ ଚର୍ଚ୍ଚାର ବିଷୟ ହୋଇଛି ।

ଦଳର ଜଣେ ବରିଷ୍ଠ ସାଂସଦ ଜିଲ୍ଲାକୁ ଆସୁଥିବାବେଳେ ବିଜେପି ନେତାମାନେ କାହିଁକି ରୋଡ ସୋ’ରେ ସାମିଲ ହେଲେନି ସେ ନେଇ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, ସାଂସଦ ବ୍ୟକ୍ତିଗତ କାମରେ ଆସିଥିବାରୁ କୌଣସି ନେତା ଉପସ୍ଥିତ ନଥିଲେ । ତେବେ ପୂର୍ବରୁ ମଧ୍ୟ ଅପରାଜିତା ବିଭିନ୍ନ ସ୍ଥାନରେ ସ୍ଥାନୀୟ ନେତାଙ୍କୁ ସାଙ୍ଗରେ ନନେଇ ରୋଡ ସୋ’ କରିଛନ୍ତି । ଯାହା ରାଜ୍ୟ ରାଜନୀତିରେ ଆଲୋଚନାର ପ୍ରସଙ୍ଗ ପାଲଟିଛି । ଆଉ ଆଗକୁ ଯେତେବେଳେ ନିର୍ବାଚନ ଆସୁଛି, ଦଳ ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଛି,ସେତିକିବେଳେ କେନ୍ଦ୍ରାପଡାରୁ ଆସିଥିବା ବିଜେପିର ଦୁଇଟି ଦୃଶ୍ୟ, ଦଳୀୟ କନ୍ଦଳକୁ ପଦାରେ ପକାଇଛି ।