ଜେଲ ଭିତରେ ଭାଇଗିରି! ନିଶା ପାଇଁ ଗୋଷ୍ଠୀ ସଂଘର୍ଷ!

111

କନକ ବ୍ୟୁରୋ: ଜେଲରେ ହାତାହାତି । ଡାକ୍ତରଖାନାରେ କଏଦୀ । କୌଣସି କାରଣରୁ ଝାରପଡା ଜେଲରେ ମୁହାଁମୁହିଁ ହୋଇଛନ୍ତି ଦୁଇ ଗୋଷ୍ଠୀ । ରକ୍ତାକ୍ତ ସଂଘର୍ଷରେ କଏଦୀ ଆହତ ହୋଇଥିବା ବେଳେ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଛନ୍ତି ଝାରପଡା ଜେଲ୍ ସୁପରିନ୍ଟେଣ୍ଡେଂଟ୍ । ତେବେ ଭାଇଗିରି ଓ ନିଶା କାରବାର ପାଇଁ ଜେଲ ଭିତରେ ଏଭଳି ଗଣ୍ଡଗୋଳ ହୋଇଥିବା ଚର୍ଚ୍ଚା ହେଉଛି ।

ଭୁବନେଶ୍ୱର ଝାରପଡା ଜେଲରେ ଗୋଷ୍ଠି ସଂଘର୍ଷ । ୩ କଏଦୀଙ୍କ ଆକ୍ରମଣରେ ଜଣେ ଗୁରୁତର ଆହତ । ମାଡ ଖାଇ ମୁହଁ ଫୁଲି ଯାଇଛିା ଆଖିରେ ରକ୍ତ ଜମାଟ ବାନ୍ଧିଛି । ଆଖି ପଦା, ଗାଲ, ମୁହଁ ଫୁଲି ରହିଛି । ମୁହଁର ଅବସ୍ଥା ଏତେ ଖରାପ ଯେ, କୋଭିଡ ନଥାଇ ବି ମାସ୍କ ପିନ୍ଧାଇ କଏଦିଙ୍କୁ ଲୁଚାଇ ନେଇଯାଉଛନ୍ତି ପୁଲିସ ବାବୁ ମାନେ । ଜୋର ଯାର ମୁଲକ ତାର ନୀତିରେ ଚାଲିଛି ଝାରପଡା ଜେଲ । ମାଡ ଖାଇ ଲହୁ ଲୁହାଣ ହୋଇଥିବା ଯୁବକ ହେଉଛି ଶମ୍ଭୁନାଥ ବାରିକ । ତାକୁ ମାଡ ମାରିଥିବା ୩ ଅଭିଯୁକ୍ତ ହେଉଛନ୍ତି – ଚକରା ବେହେରା ଓ ତାର ଦୁଇ ସହଯୋଗୀ ଜଗା ଏବଂ ପପୁ । କମିଶନରେଟ ପୁଲିସ ଉପରକୁ ଗୁଳି ଚଳାଇବା ଅଭିଯୋଗରେ ଚକରାକୁ ଏନକାଉଂଟର କରିଥିଲା ପୁଲିସ । ତେବେ ଭାଇଗିରି ଓ ନିଶା କାରବାର ପାଇଁ ଜେଲ ଭିତରେ ଏହି ଗଣ୍ଡଗୋଳ ହୋଇଥିବା ଚର୍ଚ୍ଚା ହେଉଛି । ତେବେ ପୁରା ଘଟଣାର ଅନୁସନ୍ଧାନ ପାଇଁ ଲକ୍ଷ୍ମୀସାଗର ଥାନା ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।

ସେପଟେ ଜେଲ ଭିତରେ କଏଦୀଙ୍କ ଉତ୍ପାତ ଘଟଣା ସମଗ୍ର ରାଜ୍ୟ ଜେଲ ବିଭାଗର କାର୍ଯ୍ୟକଳାପ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଜେଲ ଭିତରେ ଆଉ ଜେଲ ମୁଖିଆଙ୍କୁ କଏଦିମାନେ ମାନୁ ନଥିବା ଚର୍ଚ୍ଚା ହେଉଛି । ଜେଲ ଭିତରେ କଏଦୀମାନେ ଏବେ କାମ କମ କିନ୍ତୁ ଗୋଷ୍ଠି ତିଆରି କରି ଭାଇଗିରି ପାଇଁ ବେଶି କସରତ କରୁଥିବା ଜଣା ପଡିଛି । ତେବେ ଏସବୁ ଘଟଣାକୁ ଘୋର ନିନ୍ଦା କରିଛନ୍ତି ପୁର୍ବତନ ଭୁବନେଶ୍ୱର ସିଟି-ଡିଏସପି ।

ନିର୍ବାଚନକୁ ଆଖି ଆଗରେ ରଖି ଅପରାଧୀଙ୍କୁ ବାନ୍ଧି ଜେଲ ପଠାଉଛି ପୁଲିସ । ହେଲେ ଅପରାଧୀମାନେ ସାବାଡ ହେବେ କଣ ,ଜେଲ ଭିତରେ ଉପରମୁହାଁ ହେଉଛନ୍ତି । ଯାହାକୁ ନେଇ ଖୋର୍ଦ୍ଧା ପରେ, ଭୁବନେଶ୍ୱରର ଝାରପଡା ଜେଲ ଏବେ ଚର୍ଚ୍ଚାରେ ରହିଛି । ଏଠାରେ ପ୍ରଶ୍ନ ଉଠୁଛି-

– ଝାରପଡା ଜେଲରେ ଚାଲିଛି କଣ?
– ଜେଲ ମୁଖିଆ କାହିଁକି ସାଜିଛନ୍ତି ନିରବଦ୍ରଷ୍ଟା?
– ଜେଲ ଭିତରେ କାହିଁକି ଦେଖିବାକୁ ମିଳୁଛି ଗୋଷ୍ଠୀ କନ୍ଦଳ?
– ଜେଲ ବିଭାଗ କେବେ ନେବ ଆଖିଦୃଷ୍ଟିଆ କାର୍ଯ୍ୟାନୁଷ୍ଠାନ?