ଉମରକୋଟରେ ଛତିଶଗଡ ଉପମୁଖ୍ୟମନ୍ତ୍ରୀ: ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ଚର୍ଚ୍ଚାରେ

110

କନକ ବ୍ୟୁରୋ: ପ୍ରାର୍ଥୀ ଘୋଷଣା ହୋଇନି, କିନ୍ତୁ ପ୍ରଚାର ଆରମ୍ଭ ହେଲାଣି । ଦକ୍ଷିଣ ଓଡିଶାର ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ କସରତ କରୁଛି ବିଜେପି । ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ମତଦାନ ହେବାକୁ ଥିବା ନବରଙ୍ଗପୁରରେ ଚା’ଖଟିରେ ଚର୍ଚ୍ଚା କରିଛନ୍ତି ଛତିଶଗଡ ଉପମୁଖ୍ୟମନ୍ତ୍ରୀ । ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜୟ ଶର୍ମା । ବ୍ୟବସାୟୀଙ୍କୁ ଭେଟି ଛତିଶଗଡ ସହ ସଂପର୍କ ବାବଦରେ ଆଲୋଚନା କରିଛନ୍ତି ।

ନବରଙ୍ଗପୁର ଉମରକୋଟରେ ଛତିଶଗଡ ଉପମୁଖ୍ୟମନ୍ତ୍ରୀ ବିଜୟ ଶର୍ମାଙ୍କ ଶୋଭାଯାତ୍ରା । ସାଧାରଣ ନିର୍ବାଚନ ତାରିଖ ଘୋଷଣା ହେବା ପରେ ପ୍ରଥମ ପର୍ଯ୍ୟାୟରେ ନବରଙ୍ଗପୁରରେ ଭୋଟଗ୍ରହଣ ହେବ । ଆଉ ଏଠାକାର ଭୋଟରଙ୍କୁ ନିଜ ସପକ୍ଷରେ କରିବାକୁ ବିଜେପି ଆପଣାଇଛନ୍ତି ନୂଆ ରଣନୀତି । ଉମରକୋଟରେ ବିଜୟ ଶର୍ମା ଚା ଖଟିରେ ବସି ବିଜେପି କର୍ମୀଙ୍କ ସହ ଚା ପିଇଥିଲେ ଓ ବିଜେପି କର୍ମୀଙ୍କ ସହ ଆଲୋଚନା କରିଥିଲେ । ବିଜେପି-ବିଜେଡି ମେଂଟ ଚର୍ଚ୍ଚା ଭିତରେ ସାମ୍ବାଦିକ ସମ୍ମିଳନୀ କରି ବିଜୟ ଶର୍ମା ରାଜ୍ୟ ସରକାରଙ୍କ ଉପରେ ବର୍ଷିବା ଚର୍ଚ୍ଚାର ବିଷୟ ହୋଇଛି । ଛତିଶଗଡ ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ଜିଲ୍ଲାରେ ରେଳବାଇ ପାଇଁ ଓ ଇଥାନଲ କାରଖାନା ପାଇଁ ରାଜ୍ୟ ସରକାର ଜାଗା ଦେଇପାରିଲେ ନାହିଁ । ଜିଲ୍ଲାରେ ବର୍ତମାନ ସୁଦ୍ଧା ଗୋଟିଏ ହେଲେ ସରକାରୀ କଲେଜ ନଥିବା ଅଭିଯୋଗ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜୟ ଶର୍ମା ।

ଉମରକୋଟ ଓ ନବରଙ୍ଗପୁର ଜିଲ୍ଲାବାସୀଙ୍କ ସହ ଛତିଶଗଡର ସମ୍ପର୍କ ପୁରୁଣା । ବ୍ୟବସାୟ ପାଇଁ ଏହି ଜିଲ୍ଲାର ଲୋକେ ଛତିଶଗଡର ରାୟପୁର ଓ ଜଗଦଲପୁର ଯାଇଥାନ୍ତି । ଏହି ଜିଲ୍ଲାର ଲୋକଙ୍କ ଛତିଶଗଡ ସହ ସାମାଜିକ ସମ୍ପର୍କ ବି ରହିଛି । ତେଣୁ ଏଠାକାର ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଜେପି ଏଭଳି ରଣନୀତି ଆପଣାଇଥିବା କୁହାଯାଉଛି । ଛତିଶଗଡ ଉପମୁଖ୍ୟମନ୍ତ୍ରୀ ସ୍ଥାନୀୟ ବ୍ୟବସାୟୀଙ୍କୁ ଉଦବୋଧନ ଦେବା ସହ କେନ୍ଦ୍ରୀୟ ଯୋଜନାର ହିତାଧିକାରୀଙ୍କୁ ଭେଟିଥିଲେ । ଛତିଶଗଡ ଉପମୁଖ୍ୟମନ୍ତ୍ରୀଙ୍କ ଉମରକୋଟ ଗସ୍ତକୁ ନେଇ ଉତ୍ସାହିତ ହୋଇଛନ୍ତି ବିଜେପି କର୍ମୀ ଓ ନେତା ।

ନବରଙ୍ଗପୁରରେ ବିଜେପିର ଭଲ ପ୍ରଭାବ ରହିଛି । ୧୯୯୯ ଓ ୨୦୦୪ରେ ଏହି ଲୋକସଭା ଆସନରୁ ଜିତିଥିଲା ବିଜେପି । ଏବେ ମୋଦି ଗାରେଂଟି ଆଧାରରେ ପୁଣି ଥରେ ନବରଙ୍ଗପୁରକୁ ନିଜ ଆଡକୁ ଆଣିବାକୁ ଉଦ୍ୟମ ଆରମ୍ଭ କରିଛି ବିଜେପି ।