ବିଗୁଡୁଛି ଶ୍ରୀଲଙ୍କା ସ୍ଥିତି, ଚିନ୍ତାରେ ନାଗରିକ । ଖାଇବାକୁ ମିଳୁନି, ଗାଡ଼ି ଚଳାଇବାକୁ ଇନ୍ଧନ ବି ନାହିଁ ।

179

କନକ ବ୍ୟୁରୋ : ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି ଶ୍ରୀଲଙ୍କାର ସମସ୍ୟା । ଆର୍ଥିକ ସଙ୍କଟ ଏଭଳି ଭୟଙ୍କର ହୋଇପଡିଛି ଯେ, ସରକାର ଚଳାଇବାକୁ କୌଣସି ବି ଦଳ ସକ୍ଷମ ହୋଇ ପାରୁନାହାନ୍ତି । ସେପଟେ ଲୋକଙ୍କ ପାଖରେ ଖାଇବାକୁ ସାମଗ୍ରୀ ନାହିଁ । ରୋଷେଇ ପାଇଁ ଗ୍ୟାସ ଓ ଜାଳେଣି ତେଲ ନାହିଁ । ଗାଡି ଚଳାଇବାକୁ ଇନ୍ଧନ ବି ନାହିଁ । ଏପରିକି ସରକାରୀ ପରିବହନ ସେବା ବି ପୁରା ଠପ୍ ହୋଇଯାଇଛି । ଯାହାକୁ ନେଇ ନାଗରିକଙ୍କ ଆକ୍ରୋଶ ବି ବଢିବାରେ ଲାଗିଛି ।

ଦେବାଳିଆ ଶ୍ରୀଲଙ୍କା, ଚିନ୍ତାରେ ନାଗରିକ । ସାର୍ବଜନୀନ ସ୍ୱାସ୍ଥ୍ୟ ବ୍ୟବସ୍ଥା ବାଧାପ୍ରାପ୍ତ । ଶ୍ରୀଲଙ୍କାରେ ସରକାର ବିରୋଧୀ ନାରାବାଜି ବଢିବାରେ ଲାଗିଛି । ଦେଶରେ ଆର୍ଥିକ ମାନ୍ଦାବସ୍ଥା ପାଇଁ ରାଜପକ୍ଷେ ସରକାରଙ୍କୁ ଦାୟୀ କରିବା ସହ ସଂସଦ ଭବନ ଘେରିଛନ୍ତି ସାଧାରଣ ଜନତା । ଦେଶ ଚଳାଇବାରେ ବିଫଳ ରାଜପକ୍ଷେ ସରକାର ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ଦାବି କରୁଛନ୍ତି ଲୋକେ । ଏହାରି ଭିତରେ ରାଜପକ୍ଷେ ସରକାରଙ୍କ ହାତ ଛାଡିଛନ୍ତି ମେଂଟରେ ଥିବା ସହଯୋଗୀ ରାଜନୈତିକ ଦଳ । ପ୍ରାୟ ୪୧ ଜଣ ନେତା ଦଳ ଛାଡିଥିବା ନେଇ ଜଣାପଡିଛି । ସେହିପରି ଦିନକ ପୂର୍ବରୁ ଅର୍ଥମନ୍ତ୍ରୀ ରୂପେ ଶପଥ ନେଇଥିବା ଅଲି ସାବରି ମଧ୍ୟ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି । ଯାହା ଶ୍ରୀଲଙ୍କାରେ ପୁଣି ରାଜନୈତିକ ଅସ୍ତିରତା ସୃଷ୍ଟି କରିଛି ।

ଶ୍ରୀଲଙ୍କାରେ ଦିନକୁ ଦିନ ମାନବୀୟ ସଂକଟ ବଢିବାରେ ଲାଗିଛି । ଦେଶ ଭିଷଣ ଆର୍ଥିକ ମାନ୍ଦାବସ୍ଥା ଦେଇ ଗତିକରୁଛି । ଫଳରେ ସବୁଆଡେ ଶୁଣିବାକୁ ମିଳୁଛି ହାହାକାର । ଦେଶରେ ଅତ୍ୟାବଶ୍ୟକୀୟ ସାମଗ୍ରୀର ଅଭାବ ଦେଖାଦେବା ସହ ଏବେ ଜରୁରୀ ଔଷଧ ମଧ୍ୟ ଅଭାବ ଦେଖାଦେଇଛି । ଫଳରେ ଦେଶରେ ସାର୍ବଜନିକ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ମଧ୍ୟ ଜରୁରୀକାଳିନ ଘୋଷଣା କରାଯାଇଛି । ଅର୍ଥାତ ହସ୍ପିଟାଲ ଗୁଡିକରେ କେବଳ ଏମରଜେନ୍ସି କେସ ଗୁଡିକୁ ହିଁ ପ୍ରାଥମିକତା ଦିଆଯିବ । ସେପଟେ ଫଳମୂଳ ଦାମ ମଧ୍ୟ ଆକାଶଛୁଆଁ ହୋଇଛି । ଗୋଟିଏ କିଲୋ ସେଓ ୧ ହଜାର ଶ୍ରୀଲଙ୍କା ମୁଦ୍ରାରେ ପହଞ୍ଚିଛି । ଦେଶରେ ବଢୁଥିବା ଅବ୍ୟବସ୍ଥାକୁ ନେଇ ସରକାରଙ୍କ ବିରୋଧରେ ଆକ୍ରୋଶ ବଢିବାରେ ଲାଗିଛି ।

ଚୀନ କରଜରେ ବୁଡି ରହିଥିବା ଶ୍ରୀଲଙ୍କାର ଆର୍ଥିକ ପରିସ୍ଥିତି ଏବେ ସାଂଘାତିକ ପରିସ୍ଥିତିରେ ପହଞ୍ଚିସାରିଛି । ଲୋକଙ୍କ ଉପରେ ମହଙ୍ଗା ମାଡ ଏଭଳି ପଡିଛି ଯେ, ଖାଦ୍ୟ, ପାନୀୟ ସାମଗ୍ରୀ କିଣିବାକୁ ବି ସଂଘର୍ଷ କରିବାକୁ ପଡୁଛି । କରୋନା ମହାମାରୀର ସମସ୍ୟା ପରେ ସରକାରୀ ପାଣ୍ଠି ଲଗାତାର ଭାବେ ଖାଲି ହେବାରେ ଲାଗିଛି । ଫରେନ୍ ଏକ୍ସଚେଂଜ୍ ରିଜର୍ବ ୧୦ ବର୍ଷରେ ସବୁଠାରୁ ନ୍ୟୁନତମ ସ୍ତରରେ ପହଞ୍ଚିଗଲାଣି । ଏଭଳି ପରିସ୍ଥିତିରେ ଅନ୍ୟ ଦେଶର ରୁଣ ସୁଝିବା ଶ୍ରୀଲଙ୍କା ସରକାର ପକ୍ଷରେ କଷ୍ଟକର ବ୍ୟାପାର ହୋଇପଡିଛି ।