ପୂର୍ବତନ ସାଂସଦ ତ୍ରିଲୋଚନ କାନୁନଗୋଙ୍କ ଦେହାନ୍ତ : ୩ଥର ବିଧାୟକ ଓ ଥରେ ସାଂସଦ ଭାବେ ହୋଇଥିଲେ ନିର୍ବାଚିତ

385

କନକ ବ୍ୟୁରୋ : ଜଗତସିଂହପୁରର ପୂର୍ବତନ ସାଂସଦ ତ୍ରିଲୋଚନ କାନୁନଗୋଙ୍କ ଦେହାନ୍ତ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ୮୩ ବର୍ଷ ବୟସରେ ଦେହାନ୍ତ ହୋଇଛି । ତ୍ରିଲୋଚନ ଓଡ଼ିଶା ରାଜନୀତିରେ ଜନତା ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନିଥର କାର୍ଯ୍ୟ କରିଛନ୍ତି ।

୧୯୭୧ ଓ ୧୯୮୫ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଗୋବିନ୍ଦପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୫ମ ଓ ୯ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ୧୯୭୪ ମସିହାରେ ସେ କଟକ ସଦର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୬ଷ୍ଠ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ୧୯୯୯ ଭାରତୀୟ ସାଧାରଣ ନିର୍ବାଚନରେ ସେ ବିଜୁ ଜନତା ଦଳର ପ୍ରତିନିଧି ଭାବରେ ଜଗତସିଂହପୁର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ୧୩ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।

୧୯୪୦ ମସିହାର ସେପ୍ଟେମ୍ବର ମାସ ୧୨ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ପ୍ରେମାନନ୍ଦ କାନୁନଗୋ ଏବଂ ପତ୍ନୀଙ୍କ ନାମ ଅଗୁସ୍ତୀ କାନୁନଗୋ ।  ତ୍ରିଲୋଚନଙ୍କର ଶିକ୍ଷାଗତ ଯୋଗ୍ୟତା ବିଜ୍ଞାନରେ ସ୍ନାତକୋତ୍ତର ଏବଂ ପରେ ସେ ଓକିଲାତି ପଢ଼ିଥିଲେ । ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ, ବିଜୁ ଜନତା ଦଳ ଓ କଂଗ୍ରେସ (ଆର୍)ର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନିଥର କାର୍ଯ୍ୟ କରିଥିଲେ ଏବଂ ଭାରତୀୟ ସଂସଦ ଲୋକ ସଭାର ଜଣେ ସାଂସଦ ଭାରେ ଥରେ କାର୍ଯ୍ୟ କରିଛନ୍ତି ।