ମକର ସଂକ୍ରାନ୍ତି ପାଇଁ ମୟୂରଭଞ୍ଜରେ ଗାଁଠୁ ସହର ସବୁଠି ଚଳଚଞ୍ଚଳ: ନୂଆ ଲୁଗା, ନୂଆ ହାଣ୍ଡି ଓ ଘରକରଣା ସାମଗ୍ରୀ କିଣିବାକୁ ବଜାରେ ଜମୁଛି ଭିଡ

163

କନକ ବ୍ୟୁରୋ: ମକର ସଂକ୍ରାନ୍ତି ପାଇଁ ଚଳଚଂଚଳ ମୟୂରଭଂଜ ସହର । ଆଉ ମାତ୍ର ଦିନକ ପରେ ମକର ସଂକ୍ରାନ୍ତି । ଏଥିପାଇଁ ସମସ୍ତେ ଉତ୍ସାହିତ ଥିବା ବେଳେ ପ୍ରସ୍ତୁତି ଆରମ୍ଭ ହେଇଯାଇଛି । ନୂଆ ଲୁଗା, ନୂଆ ହାଣ୍ଡି ଓ ଘର କରଣା ସାମଗ୍ରୀ ପାଇଁ ହାଟ ବଜାରରେ ଭିଡ଼ ଦେଖିବାକୁ ମିଳିଲାଣି । ଘରେ ଘରେ ପିଠାପଣା ପାଇଁ ଢ଼ିଙ୍କିରେ ଚୁନା କୁଟା ହେଉଥିବାର ଦେଖିବାକୁ ମିଳିଛି । ମୟୂରଭଂଜ ଜିଲ୍ଲାରେ ଭାଇଚାରା ଓ ବନ୍ଧୁମିଳନର ଅନନ୍ୟ ଉଦାହରଣ ମକର ପର୍ବ । ଯିଏ ଯେଉଁଠି ଥାଆନ୍ତୁ ନା କାହିଁକି ମକର ପର୍ବ ଆସିଲେ ଗାଁକୁ ଆସିଥାଆନ୍ତି । ନିଜ ପରିବାର ଓ ବନ୍ଧୁବାନ୍ଧବଙ୍କ ସହିତ ପର୍ବ ପାଳନ ପାଇଁ କାମଧନ୍ଦାରୁ ଅବସର ନେଇ ଗାଁକୁ ଫେରିଥାଆନ୍ତି । ମୟୂରଭଂଜ ଅଂଚଳରେ ମକର ପର୍ବର ଟୁସୁ ମିଳନ ସବୁଠୁ ଆକର୍ଷଣୀୟ । ଏଥିପାଇଁ ଜୋରସରରେ ତିଆରି ଚାଲିଛି ଟୁସୁ ମେଢ଼ । ଟୁସୁ କାରିଗର ମାନେ ଟୁସୁକୁ ଶେଷ ସ୍ପର୍ଶ ଦେଉଛନ୍ତି । ମକର ଦିନ ନୂଆ ବସ୍ତ୍ର ପିନ୍ଧି ପିଠାପଣା ଖାଇ ଧୁମ୍ ଧାମରେ ପର୍ବ ପାଳନ କରିବା ପରେ ବିଭିନ୍ନ ଅଂଚଳରେ ଟୁସୁ ମେଳା ଲାଗିଥାଏ । ଏହି ମେଳାକୁ ବିଭିନ୍ନ ଅଂଚଳରୁ ସୁସଜ୍ଜିତ ଟୁସୁ ଆସିଥାଏ । ମେଳାରେ ଢ଼ୋଲ ମାଦଳର ତାଳେ ତାଳେ ଟୁସୁ ଗୀତ ଗାଇ ନାଚିବାର ପରମ୍ପରା ରହିଛି ।