ମୁଣ୍ଡ ଗୁଞ୍ଜିବାକୁ ଘର ନାହିଁ, ଖାଇବାକୁ ଖାଦ୍ୟ ନାହିଁ… ଏମିତି ବିତୁଛି ଅସହାୟ ପରିବାର ଦିନ 

114

କନକ ବ୍ୟୁରୋ: ଅବହେଳିତ ଅବସ୍ଥାରେ ବିତୁଛି ବୃଦ୍ଧା ମହିଳାଙ୍କ ଜୀବନ । ନା ରହିବାକୁ ଘର ଖଣ୍ଡିଏ ଅଛି ନା ଖାଇବାକୁ ଦାନା । ଆମେ କହୁଛୁ କେନ୍ଦ୍ରାପଡ଼ା ମାର୍ଶାଘାଇ ବ୍ଲକ ଶିଳୁପୁର ସଂଗ୍ରାମପୁର ଶାସନ ଗାଁରେ ରହୁଥିବା ହରିପ୍ରିୟା ମାଉସୀଙ୍କ ସଂଘର୍ଷର କଥା । ଏହି ନୂଆଣିଆ ଚାଳ ଛପରେ ଘରେ ରୁହନ୍ତି ତାଙ୍କ ପରିବାର । ପୁଅ, ବୋହୂ, ନାତି, ନାତୁଣିଙ୍କୁ ନେଇ ୫ ପ୍ରାଣୀ କୁଟୁମ୍ବ ତାଙ୍କର । ୧୦ ବର୍ଷ ତଳୁ ହରିପ୍ରିୟାଙ୍କ ସ୍ୱାମୀ କ୍ୟାନସର ରୋଗରେ ଆରପାରିକୁ ଚାଲିଗଲେଣି । ଜମିବାଡି ବିଶେଷ ନଥିବାରୁ ପୁଅ ଗୋପବନ୍ଧୁ ମୂଲ ମଜୁରି ଲାଗି ପରିବାର ଚଳାଇଥାନ୍ତି । ଗୋପବନ୍ଧୁଙ୍କ ରୋଜଗାରରେ ବହୁ କଷ୍ଟରେ ଚଳେ ପରିବାର । ଅର୍ଥାଭାବରୁ ମୁଣ୍ଡ ଗୁଂଜିଥିବା ଚାଳଛପର ଘରଟି ଭାଙ୍ଗିରୁଜି ଯିବା ସହିତ ଚାରିପଟ କାନ୍ଥ ଖସି ତଳେ ପଡିଗଲାଣି  ।

ଘରର ଚାରିପଟେ ମୁଶାଗାତ ସହିତ କାନ୍ଥ ଫାଟି ଆଁ କରିଛି  । ଦିର୍ଘଦିନ ହେବ ଘର ଛପର ନହେବା କାରଣରୁ ଦିନରେ ଖରା ଏବଂ ରାତିରେ ତାରା ଦେଖାଦେଉଛି  । ଟୋପାଏ ବର୍ଷା ହେଲେ ଘର ଭିତରକୁ ପାଣି ପଡି ଘରର ସମସ୍ତ ଆସବାବପତ୍ର ଓଦା ହେବା ସହିତ ଘର ଭିତରେ ବର୍ଷାପାଣି ଲହଡି ମାରୁଛି । ଅସହାୟ ବୃଦ୍ଧା ହରିପ୍ରିୟା ଓ ତାଙ୍କର ପରିବାର ଦିର୍ଘଦିନ ହେବ ଭଙ୍ଗା ଦଦରା ଘରେ ବିପଦ ସଙ୍କୁଳ ଅବସ୍ଥାରେ ରହି ଆସୁଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୈାଣସି ସରକାରି ସହାୟତା ମିଳି ପାରିନାହିଁ  । ଶିତୁଆ ରାତିରେ କାନ୍ଥ ନଥିବା ଘରେ ଛୋଟ ପିଲାମାନଙ୍କୁ ନେଇ ଅତି ଦୟନିୟ ଭାବେ ଜିବନ ଯାପନ କରୁଛନ୍ତି ବୃଦ୍ଧା ହରିପ୍ରିୟାଙ୍କ ପରିବାର । ସରକାରି ଯେଜନାରେ ପକ୍କା ଘର ଖଣ୍ଡିଏ ପାଇଁ ବାରମ୍ବାର ଦାବି ପରେ ବି ଏମାନଙ୍କୁ ଘରଟିଏ ମିଳିପାରିନାହିଁ । ତେଣୁ ତୁରନ୍ତି ଏହି ଅସହାୟ ପରିବାରକୁ ଘର ଖଣ୍ଡିଏ ଯୋଗାଇଦେବାକୁ ସାଧାରଣରେ ଦାବି ହୋଇଛି  ।