ବନ୍ୟା ପରେ ବିପର୍ଯ୍ୟସ୍ତ ହୋଇ ପଡ଼ିଛି ସ୍ୱାସ୍ଥ୍ୟସେବା : ବିଭିନ୍ନ ରୋଗରେ ପୀଡ଼ିତ ହୋଇ ବନ୍ୟାଞ୍ଚଳର ଲୋକେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି

71

କନକ ବ୍ୟୁରୋ : ବନ୍ୟା ଦୁର୍ଦ୍ଦଶାର ଭିନ୍ନ ଏକ ଚିତ୍ର । ବନ୍ୟା ପରେ ସ୍ୱାସ୍ଥ୍ୟସେବା କିଭଳି ବିପର୍ଯ୍ୟସ୍ତ ହୋଇ ପଡ଼ିଛି ତାହା ଏଥିରୁ ସ୍ପଷ୍ଟ ଜଣାପଡ଼ିବ । କ୍ୟାପିଟାଲ ହସ୍ପିଟାଲରେ ବନ୍ୟା ପ୍ରଭାବିତ ଲୋକେ ବିଭିନ୍ନ ରୋଗରେ ପୀଡ଼ିତ ହୋଇ ଭର୍ତ୍ତି ହୋଇଥିବା ଦେଖିବାକୁ ମିଳିଛି । ଥଣ୍ଡା, ଜ୍ୱର, ଝାଡ଼ାବାନ୍ତି ଭଳି ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ରାଜଧାନୀ ଉପକଣ୍ଠ ବାଲିଅନ୍ତା,ବାଲିପାଟଣା ସମେତ ଖୋର୍ଦ୍ଧା,ନୟାଗଡ଼ ଓ ପୁରୀ ଜିଲ୍ଲାର ରୋଗୀଙ୍କ ସୁଅ ଛୁଟୁଛି ।

ରୋଗୀଙ୍କ ସଂଖ୍ୟା ବଢ଼ୁଥିବାରୁ ହସ୍ପିଟାଲରେ ଦେଖାଦେଇଛି ଅଭାବନୀୟ ପରିସ୍ଥିତି । ଆବଶ୍ୟକୀୟ ସଂଖ୍ୟାରେ ବେଡ଼ ନଥିବାରୁ ହସ୍ପିଟାଲର ବାରଣ୍ଡାରେ ପଡ଼ି ରହି ଚିକିତ୍ସିତ ହେଉଛନ୍ତି ରୋଗୀ । ହଠାତ ରୋଗୀ ସଂଖ୍ୟା ବଢ଼ିଯିବାରୁ କ୍ୟାପିଟାଲ ହସ୍ପିଟାଲ ଉପରେ ଚାପ ମଧ୍ୟ ବଢ଼ିଯାଇଛି । ହସ୍ପିଟାଲରେ ମୋଟ ୫୬୩ ଜଣ ରୋଗୀଙ୍କ ଚିକିତ୍ସା ପାଇଁ ଶଯ୍ୟା ରହିଛି । କିନ୍ତୁ ବର୍ତ୍ତମାନ ଏଠାରେ ୮୦୦ରୁ ଅଧିକ ରୋଗୀ ଚିକିତ୍ସିତ ହେଉଛନ୍ତି । ଯେଉଁଥିପାଇଁ ସାଙ୍ଘାତିକ ପରିସ୍ଥିତି ସୃଷ୍ଟି ହୋଇଛି ।

ବର୍ଷା ଓ ବନ୍ୟା ପାଇଁ ବହୁ ‌ରୋଗୀ ପାଖ ଡାକ୍ତରଖାନା ଉପରେ ଭରସା କରିପାରୁନାହାନ୍ତି । ଡାକ୍ତର ଓ ଅନ୍ୟ କର୍ମଚାରୀଙ୍କ ଅଭାବ ସାଙ୍ଗକୁ ହସ୍ପିଟାଲରେ ଜ୍ବର, ଝାଡ଼ାବାନ୍ତିରେ ପୀଡ଼ିତ ଲୋକଙ୍କ ସଂଖ୍ୟା ଅଧିକ ଥିବାରୁ ସେମାନେ ସେଠାକୁ ଯିବାକୁ ଉଚିତ ମଣୁନାହାନ୍ତି । ତେଣୁ ଆର୍ଥିକ ଦୃଷ୍ଟିରୁ ଟିକିଏ ସ୍ବଚ୍ଛଳ ରୋଗୀ ଓ ସେମାନଙ୍କ ଅଭିଭାବକ ଏବେ ରାଜଧାନୀମୁହାଁ ହୋଇଛନ୍ତି । ଫଳରେ କ୍ୟାପିଟାଲ ହସ୍ପିଟାଲ ଉପରେ ଏବେ ହଠାତ୍‌ ଚାପ ବଢ଼ି ଯାଇଛି ।

ହସ୍ପିଟାଲର‌େ ସୀମିତ ଶଯ୍ୟା ଓ ସୀମିତ କର୍ମଚାରୀ ଥିବାରୁ ସମସ୍ତଙ୍କ ପାଇଁ ଶଯ୍ୟା ଓ ଉତ୍ତମ ଚିକିତ୍ସା ମିଳିବା ସମ୍ଭବ ହୋଇପାରୁ ନାହିଁ । ‌ବହୁ ଶିଶୁ, ସ୍ତ୍ରୀ ଓ ପ୍ରସୂତି ବିଭ‌ାଗ, ମେଡିସିନ୍, ହଇଜା ବିଭାଗରେ ରୋଗୀମା‌ନେ ତଳେ ଶୋ‌ଇଛନ୍ତି ରହିଛନ୍ତି । ଆଉ ‌ରୋଗୀ ରହିବା ସମ୍ଭବ ହେଉନଥିବାରୁ ବାହାରେ ରହୁଛନ୍ତି କିମ୍ବା ରୋଗୀ ମା‌ନେ ଫେରି ଯା‌ଉଛନ୍ତି । ସେହିପରି ପଞ୍ଜିକରଣ ‌କେନ୍ଦ୍ରରେ ମଧ୍ୟ ବହୁ ଭିଡ଼ ପରିଲକ୍ଷିତ ହେଉଛି । ସେହିପରି ପଞ୍ଜୀକରଣ ‌କେନ୍ଦ୍ର ସଂଖ୍ୟା‌ ବଢ଼ାଇବାକୁ ରୋଗୀ କଲ୍ୟାଣ ସମିତି ବ‌ୈଠକରେ ଆଲୋଚନା ହୋଇଥିଲେ ସୁଦ୍ଧା ବର୍ତ୍ତମାନ ପର୍ଯ୍ୟନ୍ତ ବୃଦ୍ଧି କରାଯାଇନାହିଁ ।