ହୋଲି ପାଇଁ ଉତ୍ସବ ମୁଖର ସାରା ଦେଶ । ଅଯୋଧ୍ୟାରେ ରାମଲାଲାଙ୍କ ପ୍ରଥମ ହୋଲି । ସାଧାରଣ ଜନତାଙ୍କଠୁ ନେଇ ରାଜନେତା, କଳାକାର ଖେଳିଲେ ରଙ୍ଗର ଉତ୍ସବ

83

କନକ ବ୍ୟୁରୋ:  ପୁଣି ଥରେ ଖୁସିର ରଙ୍ଗରେ, ପାର୍ବଣର ରଙ୍ଗରେ, ପ୍ରେମର ରଙ୍ଗରେ ଉତ୍ସବ ମୁଖର ସାରା ଦେଶ । ସବୁଠୁ ଅଧିକ ଧ୍ୟାନ ଆକର୍ଷଣ କରେ ମଥୁରା ଓ ବୃନ୍ଦାବନ ହୋଲି । କେବଳ ଦେଶ ବିଭିନ୍ନ ପ୍ରାନ୍ତରୁ ନୁହେଁ ବିଦେଶୀ ଶ୍ରଦ୍ଧାଳୁ ମଧ୍ୟ ହୋଲି ଖେଳିବାକୁ ଏଠାକୁ ଛୁଟି ଆସିଛନ୍ତି ।

  • କୃଷ୍ଣଙ୍କ ନଗରୀରେ ରଙ୍ଗର ଉତ୍ସବ
  • ମଥୁରା, ବୃନ୍ଦାବନରେ ଶ୍ରଦ୍ଧାଳୁଙ୍କ ଭିଡ

ରଙ୍ଗ, ଫୁଲ, ନୃତ୍ୟ, ଗୀତ ସହ ଆଧ୍ୟାତ୍ମିକ ଓ ଉତ୍ସାହରେ ବୁଡି ରହିଛି ମଥୁରା ଓ ବୃନ୍ଦାବନ । ପ୍ରତିବର୍ଷ ପରି ଏଥରକ ମଧ୍ୟ ହୋଲିରେ ଝୁମିଛି ମଥୁରା ବୃନ୍ଦାବନ । ସେପଟେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ପରେ ପ୍ରଥମଥର ପାଇଁ ଅଯୋଧ୍ୟାରେ ହୋଲି ଉତ୍ସବର ଆୟୋଜନ କରାଯାଇଛି । ବିଭିନ୍ନ ରାଜ୍ୟରୁ ଶହ ଶହ ଶ୍ରଦ୍ଧାଳୁ ରାମଲାଲାଙ୍କ ଗହଣରେ ହୋଲି ପାଳିବାକୁ ଏଠାକୁ ଧାଇଁ ଆସିଛନ୍ତି ।

  • ରଙ୍ଗ ଉତ୍ସବରେ ମସଗୁଲ ରାଜନେତା
  • ଗାଁରୁ ସହର ସବୁଠି ହୋଲିର ଆନନ୍ଦ

ରଙ୍ଗର ପର୍ବ ହୋଲିରେ ଝୁମିଛନ୍ତି ରାଜନେତା । ବିଭିନ୍ନ ଦଳର ରାଜନେତା, କେନ୍ଦ୍ରମନ୍ତ୍ରୀଙ୍କଠୁ ନେଇ ନେତା, ମନ୍ତ୍ରୀ ସମସ୍ତଙ୍କ ଘରେ ହୋଲି ପାଇଁ ସ୍ୱତନ୍ତ୍ର ଆୟୋଜନ କରାଯାଇଛି । ଅଭିର, ମିଠା, ପିଠା, ଆସର ଜମିବା ସହ ବେଶ ଧୁମଧାମରେ ପାଳିଛନ୍ତି ହୋଲି । ଏଥିସହ ଦେଶବାସୀଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି । ସେପଟେ ବିଦେଶରେ ରହୁଥିବା ପ୍ରବାସୀ ଭାରତୀୟ ମାନେ ମଧ୍ୟ ହୋଲିକୁ ଖୁବ ଧୁମଧାମରେ ପାଳିଛନ୍ତି । ପାରମ୍ପାରିକ ଭାରତୀୟ ପୋଷାକ ପିନ୍ଧି, ମିଠା ଖୁଆଇ, ରଙ୍ଗ ଖେଳି ପାଳିଛନ୍ତି ରଙ୍ଗର ଉତ୍ସବ ।

ହୋଲି ପାଇଁ ବଜାର ଭଳିକି ଭଳି ସୁଆଦିଆ ମିଠାର ଚାହିଦା ଦେଖିବାକୁ ମିଳିଛି । ସେପଟେ ବଜାରରେ ଏଥରକ ମେଡ ଇନ ଇଣ୍ଡିଆ ହୋଲି ରଙ୍ଗ ଧ୍ୟାନ ଆକର୍ଷଣ କରିଛି । ହର୍ବାଲ ରଙ୍ଗ କିଣିବାକୁ ଅଧିକ ଆଗ୍ରହ ପ୍ରକାଶ କରୁଛନ୍ତି ଗ୍ରାହକ । ଆଗକୁ ନିର୍ବାଚନ । ତେଣୁ ନିଜ ନିଜ ପ୍ରିୟ ନେତାଙ୍କ ନାଁରେ ବଜାରକୁ ରଙ୍ଗ ଆଣିଛନ୍ତି ବ୍ୟବସାୟୀ । ଅନ୍ୟପଟେ ଆଇପିଏଲ କ୍ରେଜ ଭିତରେ ବଜାରରେ ମିଳୁଛି କ୍ରିକେଟରଙ୍କ ନାଁ ହୋଲି ରଙ୍ଗ । କିଛି ଯୁବ ବ୍ୟବସାୟୀ ଘରୋଇ ସାମଗ୍ରୀ ଇକୋ ଫ୍ରେଣ୍ଡଲି ରଙ୍ଗ ପ୍ରସ୍ତୁତ ବଜାରରେ ବିକ୍ରି ପାଇଁ ଆଗେଇ ଆସିଛନ୍ତି ।