ଭୁବନେଶ୍ୱର କେଶରୀ ମଲରେ ଅଗ୍ନିକାଣ୍ଡ : ଛାରଖାର୍ ହେଲା ୮ ଦୋକାନ, ୧୦ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ପାଉଁଶ

245

କନକ ବ୍ୟୁରୋ : ଭୁବନେଶ୍ୱର ମାର୍କେଟ୍ ବିଲ୍ଡିଂ ନିକଟରେ ଥିବା କେଶରୀ ମଲରେ ଅଗ୍ନିକାଣ୍ଡ । ଶୁକ୍ରବାର ରାତି ପ୍ରାୟ ୧୧ଟା ବେଳେ ଘଟିଛି ଏହି ଅଘଟଣ । ଏହି ଅଘଟଣରେ ପ୍ରାୟ ୮ଟି ଦୋକାନ ନଷ୍ଟ ହୋଇଯାଇଛି ଏବଂ ପାଖାପାଖି ୧୦ ଲକ୍ଷ ଟଙ୍କା ମୂଲ୍ୟର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଛି । ମଲ୍ ବନ୍ଦ ଥିବାରୁ ସେଠାରେ କୌଣସି ଗ୍ରାହକ, ଦୋକାନ ମାଲିକ ଓ କର୍ମଚାରୀ ଉପସ୍ଥିତ ନଥିଲେ । ଯେଉଁ କାରଣରୁ କାହାର କୌଣସି କ୍ଷତି ହୋଇନଥିବା ଜଣାପଡ଼ିଛି । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ନିଆଁ ଲିଭାଇବା କାମ ଆରମ୍ଭ କରିଥିଲା ।

ନିଆଁ ଲିଭାଇବା ପାଇଁ ଭୁବନେଶ୍ୱର ଅଗ୍ନିଶମ କେନ୍ଦ୍ରର ୩ଟି ଗାଡ଼ି ନିୟୋଜିତ ହୋଇଥିଲା । ଅଗ୍ନିଶମ ବିଭାଗ ନିଆଁକୁ ଆୟତ କରି ଏକ ବଡ଼ଧରଣର ବିପଦକୁ ଟାଳି ଦେଇଛି । ମିଳିଥିବା ସୂଚନା ଅନୁସାରେ, ମଲର ଏକ ଗାରମେଂଟ ଦୋକାନରୁ ପ୍ରବଳ ଧୂଆଁ ବାହାରିଥିଲା । ସେହିବାଟ ଦେଇ ଯାଉଥିବା ଲୋକେ ଏହା ଦେଖି ପୁଲିସକୁ ଖବର ଦେଇଥିଲେ । ପୁଲିସ୍ ଓ ଅଗ୍ନିଶମ ବିଭାଗ ପହଂଚିଲା ବେଳକୁ ନିଆଁ ହୁତହୁତ ହୋଇ ଜଳିଉଠିଥିଲା । ଆଉ ଚାହୁଁଚାହୁଁ ୮ଟି ଦୋକାନରେ ନିଆଁ ଲାଗିଯାଇଥିଲା । ତେବେ ନିଆଁ କେମିତି ଲାଗିଲା, ତାହା ଜଣାପଡ଼ିନାହିଁ । ବିଦ୍ୟୁତ ସର୍ଟ ସର୍କିଟରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ଯାଂଚ ପରେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ିବ ।