ଠିକାଦାରଙ୍କ ଆତ୍ମହତ୍ୟା ମାମଲା : ଇସ୍ତଫା ଦେଲେ କର୍ଣ୍ଣାଟକ ପଞ୍ଚାୟତିରାଜ ମନ୍ତ୍ରୀ; ମଙ୍ଗଳବାର ଏକ ଲଜରୁ ମିଳିଥିଲା ଠିକାଦାରଙ୍କ ମୃତଦେହ

93

କନକ ବ୍ୟୁରୋ : ଦୁର୍ନୀତି ଅଭିଯୋଗ ଓ ଜଣେ ଠିକାଦାରଙ୍କ ଆତ୍ମହତ୍ୟା ମାମଲାରେ ଇସ୍ତଫା ଦେଲେ କର୍ଣ୍ଣାଟକର ଗ୍ରାମୀଣ ବିକାଶ ଓ ପଞ୍ଚାୟତିରାଜ ମନ୍ତ୍ରୀ କେଏସ୍ ଈଶ୍ୱରପ୍ପା । ରାଜ୍ୟର ମୁଖ୍ୟମନ୍ତ୍ରୀ ବସଭରାଜ ବୋମ୍ମଇଙ୍କୁ ନିଜର ଇସ୍ତଫାପତ୍ର ପ୍ରଦାନ କରିଛନ୍ତି କେଏସ୍ ଈଶ୍ୱରପ୍ପା । ଠିକାଦାରଙ୍କ ଆତ୍ମହତ୍ୟା ମାମଲାରେ ଈଶ୍ୱରପ୍ପାଙ୍କ ନାମ ଉଠିଥିଲା । ଯାହା ପରେ ତାଙ୍କ ଇସ୍ତଫା ଦାବି ଜୋର୍ ଧରିଥିଲା । ଆତ୍ମହତ୍ୟା କରିବା ପୂର୍ବରୁ ଠିକାଦାର ନିଜ ମୃତ୍ୟୁ ପାଇଁ ଈଶ୍ୱରପ୍ପାଙ୍କୁ ଦାୟୀ କରିଥିଲେ । ଯାହା ପରେ ଈଶ୍ୱରପ୍ପାଙ୍କ ଇସ୍ତଫା ଦାବି କରିଥିଲା କଂଗ୍ରେସ ।

ଗୁରୁବାର ଈଶ୍ୱରପ୍ପା ଇସ୍ତଫା ଦେବେ ବୋଲି ଘୋଷଣା କରିଥିଲା । ଆଉ ଶୁକ୍ରବାର ସେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ଇସ୍ତଫା ପତ୍ର ଦେବା ପରେ ଈଶ୍ୱରପ୍ପା କହିଛନ୍ତି, ତଦନ୍ତ ପରେ ସେ ନିର୍ଦ୍ଦୋଷ ପ୍ରମାଣିତ ହେବେ ଏବଂ ପୁଣିଥରେ କ୍ୟାବିନେଟରେ ଯୋଗଦେବେ । ମଙ୍ଗଳବାର ଏକ ଲଜରୁ ଠିକାଦାରଙ୍କ ମୃତଦେହ ମିଳିଥିଲା । ଆତ୍ମହତ୍ୟା ପୂର୍ବରୁ ସେ ଈଶ୍ୱରପ୍ପାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଥିଲେ । ମୃତ୍ୟୁ ପୂର୍ବରୁ ମଧ୍ୟ ଠିକାଦାର ଜଣକ ତାଙ୍କ ସାଙ୍ଗମାନଙ୍କ ପାଖକୁ ହ୍ୱାଟସଆପରେ ଏକ ବାର୍ତ୍ତା ପଠାଇଥିଲେ । ଏଥିରେ ସେ ଆତ୍ମହତ୍ୟା କରିବା ସହ ଏଭଳି ଚରମ ନିଷ୍ପତ୍ତି ପାଇଁ ଈଶ୍ୱରପ୍ପାଙ୍କୁ ଦାୟୀ କରିଥିଲେ ।