ନୟାଗଡରୁ ଆସିଲା କନ୍ୟାଭୃଣ ହତ୍ୟାର ସାଂଘାତିକ ଚିତ୍ର । ମୁଖ୍ୟ ଡାକ୍ତରଖାନା ପଛ ପଟେ ଚାଲିଛି ବେଆଇନ୍ ଗର୍ଭପାତ । ରିପୋର୍ଟ କହୁଛି ଝିଅ ଚାହୁଁନାହାନ୍ତି ସହରୀ ଦମ୍ପତ୍ତି?

265

କନକ ବ୍ୟୁରୋ: ନୟାଗଡରୁ ପୁଣିଥରେ ସାମ୍ନାକୁ ଆସିଛି କନ୍ୟାଭୃଣ ହତ୍ୟାର ସାଙ୍ଘାତିକ ଅଭିଯୋଗ । ଶନିବାର ବିଳମ୍ବିତ ରାତିରେ ନୟାଗଡର ଏକ ଅଣ ସ୍ୱୀକୃତି ପ୍ରାପ୍ତ ଲାବୋରୋଟାରୀରେ କନ୍ୟାଭୃଣ ହତ୍ୟା ଉଦ୍ୟମ ଚାଲିଥିବା ବେଳେ ରେଡ କରିଛି ପୁଲିସ ଓ ପ୍ରଶାସନ । ପ୍ରଶାସନର ଚଢାଉ ପରେ ପୁରା ଘଟଣାର ପର୍ଦ୍ଦାଫାଶ ହୋଇଛି ।

କଟକ ନରସିଂହପୁର ଅଂଚଳର ଜଣେ ଦମ୍ପତ୍ତି ଗର୍ଭସ୍ଥ ଶିଶୁକନ୍ୟାକୁ ନଷ୍ଟ କରିବା ପାଇଁ ଉଦ୍ୟମ ଚାଲିଥିଲା । ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଠିକ ପଛପଟେ ଥିବା ଏକ ବେଆଇନ କ୍ଲିନିକରେ ଅପରେସନ ବି ଆରମ୍ଭ ହୋଇସାରିଥିଲା । ହେଲେ ଠିକ ସମୟରେ ପ୍ରଶାସନର ଚଢାଉ ପରେ ପୁରା ଘଟଣାର ପର୍ଦ୍ଦାଫାଶ ହୋଇଛି । ପ୍ରଶାସନ ଚଢାଉ କରିବା ପରେ ମେଡିକାଲରେ ମହିଳାଙ୍କ ଗର୍ଭପାତ ହେବା ସହ ମୃତ ଶିଶୁ କନ୍ୟାର ଶବ ବ୍ୟବଚ୍ଛେଦ ବି ହୋଇଛି । କଟକ ନରସିଂହପୁର ଅଂଚଳର ଏହି ଦମ୍ପତ୍ତିଙ୍କର ପୂର୍ବରୁ ଯାଆଁଳା ଶିଶୁ କନ୍ୟା ଥିବା ଯୋଗୁଁ ସେମାନେ ଗର୍ଭପାତ କରିବା ପାଇଁ ଚାହିଁଥିବା ଜଣାପଡିଛି । ତେବେ ଏଥିରେ ନୟାଗଡ ମେଡିକାଲ ପଛପଟେ ଥିବା ଏହି ବେଆଇନ କ୍ଲିନିକ ସହଯୋଗ କରିଥିବା ଜାଣିବାକୁ ମିଳିଛି । ଶ୍ରୀଧର ପ୍ରଧାନ ନାମକ ଜଣେ ବ୍ୟକ୍ତିଙ୍କ ମାଲିକାନାରେ ଥିବା ଅଣସ୍ୱୀକୃତିପ୍ରାପ୍ତ କ୍ଲିନିକରେ ଭୃଣ ପରୀକ୍ଷା ହେବା ସହ ଗର୍ଭପାତ ପାଇଁ ଉଦ୍ୟମ କରାଯାଇଥିଲା ।

୨୦୦୭ ମସିହାରେ ନୟାଗଡରେ ୧୨ରୁ ଅଧିକ କନ୍ୟାଭୃଣ ହତ୍ୟା ଘଟଣା ସାମ୍ନାକୁ ଆସିଥିଲା, ଯାହା ସାରା ରାଜ୍ୟକୁ ଦୋହଲାଇ ଦେଇଥିଲା । ଏହାରି ଭିତରେ ଅନେକ ଚଢାଉ ଓ ସତର୍କତା ସତ୍ୱେ ମୁଖ୍ୟ ଡାକ୍ତରଖାନା ପଛପଟେ କନ୍ୟାଭୃଣ ହତ୍ୟା କରାଯିବା ଘଟଣାକୁ ସହଜରେ ନେଇପାରୁନାହାନ୍ତି ବୁଦ୍ଧିଜୀବୀ ।

ନୟାଗଡରେ ଶିଶୁ ଲିଙ୍ଗ ଅନୁପାତ ରିପୋର୍ଟ କହୁଛି ୧୦୦୦ ଶିଶୁପୁତ୍ରରେ ୯୦୪ ଶିଶୁ କନ୍ୟା ଜନ୍ମ ନେଇଥିଲେ । ୨୦୧୧ ମସିହା ବେଳକୁ ନୟାଗଡରେ ୧୦୦୦ ଶିଶୁପୁତ୍ରଙ୍କ ତୁଳନାରେ ୮୫୧ ଶିଶୁକନ୍ୟା ଜନ୍ମ ନେଇଛନ୍ତି । କେବଳ ନୟାଗଡ ନୁହେଁ ଗଞ୍ଜାମ, ଯାଜପୁର, ଖୋର୍ଦ୍ଧା, ଢେଙ୍କାନାଳ ଭଳି ଆଗୁଆ ଜିଲ୍ଲାରେ ବି ଶିଶୁଲିଙ୍ଗ ଅନୁପାତ ହାର କହୁଛି ଶିଶୁପୁତ୍ରଙ୍କ ତୁଳନାରେ ଶିଶୁକନ୍ୟାଙ୍କ ଜନ୍ମହାର କମିଛି । ଶିଶୁଲିଙ୍ଗ ଅନୁପାତର ରିପୋର୍ଟ ଅନୁଯାୟୀ ସହରାଂଚଳରେ ଶିଶୁପୁତ୍ରଙ୍କ ଜନ୍ମହାର ତୁଳନାରେ ଶିଶୁକନ୍ୟାଙ୍କ ଜନ୍ମହାର ହ୍ରାସ ପାଉଛି ।