୪ ଘଣ୍ଟାର ଅସ୍ତ୍ରୋପଚାର ପରେ ପେଟରୁ ବାହାରିଲା କଣ୍ଟାଲଗା ବାଉଁଶ

ପେଟରେ ପଶିଥିବା କଣ୍ଟାଲଗା ବାଉଁଶକୁ ବାହାର କରାଯାଇଛି

163

କନକ ବ୍ୟୁରୋ : ଦୀର୍ଘ ୧୯ଘଣ୍ଟାର ଯନ୍ତ୍ରଣାରୁ ମୁକ୍ତି ମିଳିଛି ରଙ୍ଗମିସ୍ତ୍ରୀ ପଞ୍ଚାନନ ପ୍ରଧାନ(୨୮)ଙ୍କୁ। ପେଟରେ ପଶିଥିବା ଅଢ଼େଇ ଫୁଟ ଲମ୍ବ, ୩ ଇଞ୍ଚ ଗୋଲେଇର ଏକ କଣ୍ଟାଲଗା ବାଉଁଶକୁ ବାହାର କରାଯାଇଛି। କଟକ ବଡ଼ ଡାକ୍ତରଖାନାରେ ଦୀର୍ଘ ୪ଘଣ୍ଟାର ଅସ୍ତ୍ରୋପଚାର ପରେ ପଞ୍ଚାନନ ପାଇଛନ୍ତି ନୂଆ ଜୀବନ। ରବିବାରଠାରୁ ପେଟରେ ପଶିଥିବା ଏହି କଣ୍ଟାଲଗା ବାଉଁଶକୁ ବାହାର କରିବାରେ ବୁର୍ଲା ମେଡିକାଲ ଅସଫଳ ହେବା ପରେ ସେ କଟକକୁ ଆସିଥିଲେ। ଅସ୍ତ୍ରୋପଚାର ସଫଳ ହୋଇଥିଲେ ବି ଫୁସ୍ଫୁସ୍ ଓ ପାକସ୍ଥଳୀରେ ବଡ଼ ଧରଣର କ୍ଷତ ଥିବାରୁ ତାଙ୍କୁ କେନ୍ଦ୍ରୀୟ ଆଇସିୟୁରେ ରଖାଯାଇଥିବା ମେଡିକାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

 

scb medical collegeସୂଚନାନୁଯାୟୀ, ବରଗଡ଼ ଜିଲ୍ଲା ଅତାବିରା ବ୍ଲକ୍ ଲସ୍ତଲା ଗ୍ରାମର ପଞ୍ଚାନନ ନିଜ ଘରେ ରଙ୍ଗ ଦେଉଥିବା ବେଳେ ଗୋଡ଼ ଖସିଯିବାରୁ ତଳକୁ ଖସି ପଡ଼ିଥିଲେ। ଏହି ସମୟରେ ତଳେ ପଡିଥିବା ଏକ କଣ୍ଟାଲଗା ବାଉଁଶ ତାଙ୍କ ପେଟରେ ପଶି ପିଠି ପଟେ ବାହାରିଥିଲା। ଗତକାଲି ସଂଧ୍ୟା ସାଢ଼େ ୫ଟା ବେଳେ ତାଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ମେଡିକାଲକୁ ନିଆଯାଇଥିଲା। ତେବେ, ପଞ୍ଚାନନଙ୍କ ଅବସ୍ଥା ଗୁରୁତର ଥିବାରୁ ତଥା ବାଉଁଶଟି ତାଙ୍କ ହୃତପିଣ୍ଡ ଓ ପାକସ୍ଥଳୀ ପର୍ଯ୍ୟନ୍ତ ପଶିଥିବାରୁ ସେଠାକାର ଡାକ୍ତରମାନେ ତାଙ୍କୁ ତୁରନ୍ତ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରିଥିଲେ।

ତେବେ ସେ ଏସସିବି ଆଶୁ ଚିକିତ୍ସାକେନ୍ଦ୍ରରେ ପହଞ୍ଚିବା ପରେ ତୁରନ୍ତ ତାଙ୍କୁ ସର୍ଜରି ବିଭାଗକୁ ସ୍ଥାନାନ୍ତରିତ କରାଯାଇଥିଲା। ଏସସିବିର ଡାକ୍ତରମାନେ ଏହାକୁ ଏକ ଚ୍ୟାଲେଞ୍ଜ ଭାବେ ନେଇଥିଲେ। ଆବଶ୍ୟକ ପରୀକ୍ଷଣ ପରେ ଦିନ ୧ଟାରୁ ତାଙ୍କ ଅସ୍ତ୍ରୋପଚାର ଆରମ୍ଭ ହୋଇଥିଲା। ଆସୋସିଏଟ୍ ପ୍ରଫେସର ଡାକ୍ତର ଶ୍ରୀକାନ୍ତ କୁମାର ପଣ୍ଡା, ନିଶ୍ଚେତକ ଡାକ୍ତର ଅଲେଖ ନାୟକ, ଆସିଷ୍ଟାଣ୍ଟ ପ୍ରଫେସର ଡାକ୍ତର ରଞ୍ଜିତ୍ ବେହେରା, ଡାକ୍ତର ଶଶିକାନ୍ତ ବେହେରା, କାଡିଓଥୋରାସିସ୍ ବିଶେଷଜ୍ଞ ଡାକ୍ତର ସମୀର କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଟିମ୍ ଦୀର୍ଘ ୫ଘଣ୍ଟା ଧରି ସଫଳ ଅସ୍ତ୍ରୋପଚାର କରି ପଞ୍ଚାନନଙ୍କ ପେଟରୁ କଣ୍ଟା ଲଗା ବାଉଁଶଟିକୁ ବାହାର କରିବାକୁ ସମର୍ଥ ହୋଇଥିଲେ। ଦିନ ୧ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଏହି ଅପରେସନ୍ ଚାଲିଥିଲା। ତେବେ, ବାଉଁଶରେ ଲାଗିଥିବା କଣ୍ଟା ଯୋଗୁଁ ତାଙ୍କ ପାକସ୍ଥଳୀ, ଫୁସ୍ଫୁସ୍ ଓ ଅନ୍ୟାନ୍ୟ ସ୍ଥାନରେ ଗଭୀର କ୍ଷତ ହୋଇଥିବା ଜଣାପଡିଛି। ଅସ୍ତ୍ରୋପଚାର ପରେ ପଞ୍ଚାନନଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ବୋଲି ଏସସିବି ସୂତ୍ରରୁ ଜଣାପଡିଛି।

ସେପଟେ ଦୀର୍ଘ ୧୬ ଘଣ୍ଟା ଧରି ରୋଗୀ ପେଟରେ ପଶି ରହିଥିବା ଏକ ତୀରକୁ  ଏସସିବି ମେଡିକାଲରେ ଅସ୍ତ୍ରୋପଚାର ଜରିଆରେ ବାହାର କରାଯାଇଛି। ଏକ ଗଣ୍ଡଗୋଳ ସମୟରେ ମୟୂରଭଞ୍ଜ ଜିଲ୍ଲା ଯଶିପୁର ଥାନା ଅନ୍ତର୍ଗତ ମନଦା ଗାଁର ଲକ୍ଷ୍ମଣ ବେଙ୍ଗରା(୩୨) ନାମକ ଜଣେ ବ୍ୟକ୍ତିଙ୍କ ପେଟରେ ତୀର ଗଳି ଯାଇଥିଲା। ତୀରର କାଣ୍ଡଟି ବାହାରି ଯାଇଥିବା ବେଳେ ଅଗ ଭାଗ ତାଙ୍କ ପେଟରେ ରହି ଯାଇଥିଲା। ଏକ୍ସ-ରେ ଦ୍ବାରା ଏହା ଜଣାପଡିବା ପରେ ସର୍ଜରୀ ବିଭାଗରେ ଅଢେଇ ଘଣ୍ଟାର ଅସ୍ତ୍ରୋପଚାର କରାଯାଇ ଲକ୍ଷ୍ମଣଙ୍କ ପେଟରୁ ତୀର ବାହାର କରାଯାଇଥିଲା। ସେ ଏବେ ସୁସ୍ଥ ଥିବା ଜଣାପଡିଛି।