ଲଘୁଚାପ ବର୍ଷାରେ ପାଣିରେ ବୁଡିଲା ଫସଲ । ଚାଷୀଙ୍କୁ ଚିନ୍ତାରେ ପକାଇଲା ଉଜୁଡା କ୍ଷେତର ଚିତ୍ର । କ୍ଷୟକ୍ଷତି ରିପୋର୍ଟ ଦେବାକୁ ଜିଲ୍ଲାପାଳଙ୍କୁ ଏସଆରସିଙ୍କ ନିର୍ଦ୍ଦେଶ ।

450

କନକ ବ୍ୟୁରୋ : ବାତ୍ୟା ଫୋନିରେ ସର୍ବସ୍ୱ ହରାଇସାରିଥିବା ଚାଷୀ ମୁଣ୍ଡରେ ପଡ଼ିଛି ଚଡ଼କ । ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଚାଷ ପ୍ରଭାବିତ ହୋଇଛି । ସବୁଠାରୁ ବେଶି ପ୍ରଭାବିତ ହୋଇଛି ଧାନ ଚାଷ । ବର୍ଷା ପାଣିରେ ଧାନଗଛ ଶୋଇ ରହିଥିବା ଦୃଶ୍ୟ ଆସିଛି ପୁରୀ ଜିଲ୍ଲାର ନିମାପଡା ଓ କଟକ ଜିଲ୍ଲାର ନିଆଳି ଅଂଚଳରୁ । ସେପଟେ ଖୁବଶ୍ରୀଘ୍ର କ୍ଷୟକ୍ଷତିର ଆକଳନ କରି ରିପୋର୍ଟ ଦେବାକୁ ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି ପ୍ରଦୀପ କୁମାର ଜେନା ।

ବର୍ଷା ପାଣିରେ ବୁଡି ରହିଛି ଧାନ ଫସଲ । ଜମିରେ ୩ ରୁ ୪ ଫୁଟ ଉଚ୍ଚର ପାଣି ଜମି ରହିଛି । ଠାଏ ଠାଏ ଧାନ ଗଛର ଅଗ ଦେଖାଯାଉଛି । ସ୍ଥାନେ ସ୍ଥାନେ ପାଣିରେ ଶୋଇ ପଡିଛି ଧାନ ଗଛ । ଯାହାକୁ ଦେଖିଲେ ଚାଷୀର ମୁଣ୍ଡ ଛେଚି ହୋଇଯାଉଛି । ଏହି ଘଟଣା ହେଉଛି, ପୁରୀ ଜିଲ୍ଲା ନିମାପଡା ବ୍ଲକର । ଲଘୁଚାପ ଜନିତ ଲଗାଣ ବର୍ଷା ଛାଡିବା ପରେ ଧାନ ବିଲକୁ ଦେଖି ଚାଷୀ ମୁଣ୍ଡରେ ଚଡକ ପଡିଛି । ନିମାପଡାର କେତେକ ଅଂଚଳରେ ଧାନ-କେଣ୍ଡା ବାହାରି ସାରିଥିବା ବେଳେ ଆଉ କେତେକ ସ୍ଥାନରେ ଧାନ ଗର୍ଭ ଅବସ୍ଥାରେ ରହିଥିଲା । ଦୁଇଦିନ ଧରି ଲଗାଣ ବର୍ଷା ଯୋଗୁଁ ସବୁ କିଛି ନଷ୍ଟ ହୋଇଯାଇଛି । ବର୍ଷା ଯୋଗୁଁ ଧାନ ଫସଲ ନଷ୍ଟ ହେବାର ସମ୍ଭାବନାକୁ ସ୍ୱୀକାର କରିଛି କୃଷି ବିଭାଗ ।

ଦୁଇ ଦିନ ଲଗାଣ ବର୍ଷାରେ କଟକ ଜିଲ୍ଲା ନିଆଳି ବ୍ଲକ କରାଙ୍ଗ ଗାଁରେ ବ୍ୟାପକ ଧାନ ଫସଲ ନଷ୍ଟ ହୋଇଛି । ଦିନ କେଇଟାରେ ଧାନ କଟାହୋଇଥାନ୍ତା, ହେଲେ ଲଘୁଚାପ ବର୍ଷା ସେ ଧାନକୁ ଛଡେଇ ନେବାକୁ ବସିଛି । ପାଚିିଲା ଧାନ ବିଲରେ ପାଣି ଲହଡି ଭାଙ୍ଗୁଛି । ଯାହାକୁ ଦେଖି ଚାଷୀ କହୁଛନ୍ତି, ବର୍ଷକର ଆହାର ଏବେ ପାଣିରେ ଭାସୁଛି । ଶହଶହ ହେକ୍ଟର ପାଚିଲା ଧାନ ପାଣିରେ ଭାସୁଛି । ଚାଷି ହାତ ଉଧାରି କରି ବିଲରେ ସୁୁନା ଫଳେଇ ଥିଲା । ହେଲେ ଏବେ ସେ ସବୁ ଉଜୁଡି ଯିବାକୁ ବସିଛି ।

ଚାଷୀର ବର୍ଷକର ଆହାର ଲଗାଣ ବର୍ଷାରେ ଗଜା ହେବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ତେବେ ବର୍ଷା ଯୋଗୁଁ ପ୍ରଭାବିତ ହୋଇଥିବା ଜିଲ୍ଲାର କ୍ଷୟକ୍ଷତିର ଆକଳନ କରିବା ପାଇଁ ପ୍ରଭାବିତ ଜିଲ୍ଲାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । ନଭେମ୍ବର ୪ ତାରିଖ ସୁଦ୍ଧା କ୍ଷୟକ୍ଷତି ରିପୋର୍ଟ ଦେବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପ୍ରଦୀପ କୁମାର ଜେନା ।