ବାତ୍ୟା ନେଉଛି ଭୀଷଣ ରୂପ । ସିଭିୟର ସାଇକ୍ଲୋନିକ ଷ୍ଟର୍ମର ରୂପ ନେବ ଅସାନି । ଓଡ଼ିଶା ଉପକୂଳ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା 

286

କନକ ବ୍ୟୁରୋ:  ପୁରୀଠାରୁ ପ୍ରାୟ ୯ଶହ କିଲୋମିଟର ଦୂର ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସିଭିୟର ସାଇକ୍ଲୋନିକ ଷ୍ଟର୍ମ ବା ଭୀଷଣ ବାତ୍ୟାର ରୂପ ନେବାକୁ ଯାଉଛି ସାମୁଦ୍ରିକ ଝଡ ଅସାନି । ଏହା ଉତ୍ତର-ପୂର୍ବ ଦିଗରେ ଅର୍ଥାତ ଓଡିଶା ଉପକୂଳ ସମାନ୍ତରାଳ ଭାବେ ସମୁଦ୍ର ଭିତରେ ଗତି କରିବ । ୧୦ ତାରିଖ ସନ୍ଧ୍ୟା ଯାଏଁ ଏହା ଉପକୂଳ ଆଡକୁ ମୁହାଁଇବ, ଏହାପରେ ମୋଡ ବଦଳାଇ ଉତ୍ତର-ପୂର୍ବ ଦିଗରେ ଗତି କରିବ । ଏହି ବାତ୍ୟା ଉପକୂଳ ଛୁଇଁବ ନାହିଁ ବୋଲି କୁହାଯାଉଛି । ତେବେ ପୁରୀଠାରୁ ୯୦ରୁ ଶହେ କିଲୋମିଟର ଭିତରେ ସମୁଦ୍ର ଭିତରେ ଗତି କରିବ । ଏହି ସମୟରେ ପବନର ବେଗ ଘଣ୍ଟାକୁ ପ୍ରାୟ ୫୦ କିଲୋମିଟର ରହିବ । ଏହାର ପ୍ରଭାବରେ ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର,କଟକ, କେନ୍ଦ୍ରାପଡା, ଭଦ୍ରକ ଓ ବାଲେଶ୍ୱର ଜିଲ୍ଳାରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି ।

ଦକ୍ଷିଣ-ପୂର୍ବ ବଙ୍ଗୋପାସାଗରରେ ବାତ୍ୟାର ସାଟେଲାଇଟ୍ ଚିତ୍ର ଦର୍ଶାଉଛି ଯେ ଏହା ବିରାଟ ଆକାରରେ ଉପକୂଳ ଆଡକୁ ମୁହାଁଉଛି । ଯଦି ବାତ୍ୟାର ପୂରା ଆକାରକକୁ ଦେଖିବା, ତାହା ଆମ ଦେଶର ଅଧାରୁ ଅଧିକ ଆକାର ଭଳି ଦେଖାଯାଉଛି । ତେବେ ଆଶ୍ୱସ୍ତିର କଥା ହେଉଛି, ଏହାସ୍ଥଳ ସମୁଦ୍ର ଭିତରେ ଦୁର୍ବଳ ହେବାର ସମ୍ଭାବନା ରହିଛି । ବିଦେଶୀ ପାଣିପାଗ ସଂସ୍ଥା ଚେକ୍ ରିପବ୍ଲିକର ୱିଣ୍ଡି ଡଟ୍ କମ୍ ମଧ୍ୟ ଆକଳନ କରୁଛି, ଯେ ବାତ୍ୟା ଅସାନି ରି-କର୍ଭ କରି ଉତ୍ତର-ପୂର୍ବ ଆଡକୁ ଗତି କରିବ ଏବଂ ସମୁଦ୍ର ଭିତରେ ଦୁର୍ବଳ ହେବାର ଯଥେଷ୍ଟ ସମ୍ଭାବନା ରହିିଛି । ତେବେ ପୁରୀ ନିକଟରେ ଓଡ଼ିଶା ଉପକୂଳ ଛୁଇଁବା ଆଶଙ୍କା କରିଛି ୱିଣ୍ଡି ଡଟ୍ କମ୍ । ଅନ୍ୟପଟେ ବିଦେଶୀ ପାଣିପାଗ ପୂର୍ବାନୁମାନ ସଂସ୍ଥା ନଲ୍ ସ୍କୁଲ, ପବନର ଗତିକୁ ନେଇ ଏକ ଚିତ୍ର ପ୍ରସ୍ତୁତ କରିଛି । ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ବର୍ତ୍ତମାନ ପବନର ବେଗ ଓ ଗତି କିଛି ଏହିପରି ରହିଛି ଯେଉଁଥିରେ ଦର୍ଶାଉଛି ବାତ୍ୟା ଘନିଭୂତ ହେବା ପାଇଁ ପାଗ ଅନୁକୂଳ ରହିଛି ।

ସିଭିୟର ସାଇକ୍ଲୋନିକ ଷ୍ଟର୍ମ ବା ଭୀଷଣ ବାତ୍ୟାର ରୂପ ନେଇ ଉପକୂଳ ଆଡକୁ ମୁହାଁଇବ ଅସାନି । ଧୀରେ ଧୀରେ ପବନର ବେଗ ବଢ଼ିବା ସହ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଆଗକୁ ବଢ଼ୁଛି ବାତ୍ୟା । ଏବେ ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି । ୧୦ ତାରିଖରେ ଏହା ରି-କର୍ଭ କରିବା ଆଶଙ୍କା ରହିଛି । ଅର୍ଥାତ୍ ବାତ୍ୟା ମୋଡ଼ ବଦଳାଇ ଉତ୍ତର ଓ ଉତ୍ତର-ପର୍ବ ଦିଗରେ ଗତି କରିବ । ଆଉ ଏହି ସମୟରେ ଓଡ଼ିଶା ଉପକୂଳର ନିକଟବର୍ତ୍ତୀ ହେବ । ଆଶ୍ୱସ୍ତିର କଥା ହେଉଛି, ଭାରତୀୟ ପାଣିପାଗ ବିଭାଗ ଆକଳନ କରୁଛି ଉପକୂଳ ନଛୁଇଁ ସମାନ୍ତରାଳ ଭାବେ ଗତି କରିବ । ଏହାର ଅର୍ଥ ହେଉଛି ସ୍ଥଳଭାଗରେ ବାତ୍ୟା ମାଡ଼ ହେବା ଆଶଙ୍କା କମ୍ ।

ବାତ୍ୟା ପ୍ରଭାବରେ ସମୁଦ୍ର ଅଶାନ୍ତ ହୋଇଉଠିଛି । ପବନର ବେଗ ମଧ୍ୟ ଘଣ୍ଟା ପ୍ରତି ୮୦ରୁ ୯୦ କିଲୋମିଟର ରହିଛି । ଯାହାର ଝଟକା ୧୦୦ କିଲୋମିଟର ପର୍ଯ୍ୟନ୍ତ ଅନୁଭୂତ ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ତେବେ ଏହା ସମୁଦ୍ର ଭିତରେ ହେଉଥିବାରୁ ସ୍ଥଳ ଭାଗରେ ପ୍ରଭାବ ପଡ଼ୁନାହିଁ । କିନ୍ତୁ ବାତ୍ୟା ଯେତିକି ଉପକୂଳର ନିକଟବର୍ତ୍ତୀ ହେବ, ସେତିକି ପ୍ରଭାବ ଅନୁଭୂତ ହେବ ।

ବର୍ତ୍ତମାନର ଆକଳନ ଅନୁସାରେ ସ୍ଥଳ ଭାଗରେ ହୁଏତ ପବନର ବେଗ ଅଧିକ ହୋଇ ନପାରେ । ତେବେ ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା କରାଯାଉଛି । ୧୦ରୁ ୧୨ ତାରିଖ ପର୍ଯ୍ୟନ୍ତ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ୧୦ ତାରିଖରେ ଗଞ୍ଜାମ, ଗଜପତି ଓ ପୁରୀରେ ପ୍ରବଳ ବର୍ଷା ହୋଇପାରେ । ସେହିପରି ୧୧ ତାରିଖରେ ୫ ଜିଲ୍ଲା ଗଞ୍ଜାମ, ପୁରୀ, ଖୋର୍ଦ୍ଧା, କଟକ ଓ ଜଗତସିଂହପୁର ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏସବୁ ଜିଲ୍ଲା ପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୧୨ ତାରିଖରେ ମଧ୍ୟ କିଛି ଜିଲ୍ଲାରେ ବର୍ଷାର ପ୍ରଭାବ ରହିପାରେ । ସମୁଦ୍ର ଅଶାନ୍ତ ଥିବାରୁ ପାରାଦୀପ, ଗୋପାଳପୁର, ଚାନ୍ଦବାଲି ଓ ପୁରୀ ବନ୍ଦର ପାଇଁ ୧ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି ।