ବର୍ଷାକୁ ନେଇ ଚିନ୍ତାରେ ଚାଷୀ ! ତରତର ହୋଇ କାଟୁଛି ପାଚିଲା ଧାନ

133

କନକ ବ୍ୟୁରୋ : ପ୍ରକୃତିର ତାଡନାରେ ହନ୍ତସନ୍ତ ହେଉଛି ଚାଷୀକୂଳ । ଲଗାଣ ବର୍ଷା ଯୋଗୁଁ ହଜାର ହଜାର ହେକ୍ଟର ଜମିରେ ଧାନ, ପନିପରିବା ସହ ରବି ଜାତୀୟ ଫସଲ ବ୍ୟାପକ କ୍ଷୟକ୍ଷତି ଘଟିଛି । ତାହାର ଆକଳନ ନସରୁଣୁ ପୁଣି ଆସିଛି ବର୍ଷା । ପାଣି ବିଲକୁ ପାଚିଲା ଧାନକୁ ଅମଳ କରିବା ସମୟରେ ଚାଷୀ ପାଇଁ ଚିନ୍ତା ପାଲଟିଛି ଏ ବର୍ଷା ।

ଆକାଶରେ ମାଳ ମାଳ ମେଘ । ରାଜ୍ୟର କେତେକ ସ୍ଥାନରେ ବର୍ଷା ଆରମ୍ଭ ହୋଇଗଲାଣି । ଆଉ କେତେକ ଅଂଚଳରେ ବର୍ଷାକୁ ନେଇ ଆଶଙ୍କାରେ ଚାଷୀ । ବିଲରେ ପାଚିଲା ଧାନ ଆଉ ଆକାଶରେ ବର୍ଷା ଦେଖି ଧୈର୍ଯ୍ୟହରା ହୋଇପଡିଛି ଯାଜପୁର ଜିଲ୍ଲାର ଚାଷୀ । ଜିଲ୍ଲାରେ ପ୍ରାୟ ୯୦ ଭାଗ ଜମିରେ ଧାନ ଫସଲ ହୋଇଥିବା ବେଳେ କେଉଁଠି ଧାନ କଟାଯାଇନି ତ କେଉଁଠାରେ କଟା ଯାଇ ଜମିରେ ପଡିଛି । ଢିପ ଜମିଗୁଡିକରେ ତରବରିଆ ଭାବେ ଧାନ କଟା ଚାଲିଥିବା ବେଳେ ଖାଲ ଜମିରେ ଗତ ଅଦିନିଆ ବର୍ଷା କାରଣରୁ ଏବେ ବି ପାଣି ଜମି ରହିଛି । ଜୀବନ ବିକଳେ ଆଶା ଓ ପରିଶ୍ରମର ଫଳକୁ ଅମଳ କରିବା ପାଇଁ ଉଦ୍ୟମ ଚଳାଇଛି ଚଷାପୁଅ । ସେପଟେ ଧାନ ଅମଳ କରି ସୁରକ୍ଷିତ ସ୍ଥାନରେ ରଖିବା ଲାଗି ଚାଷୀଙ୍କୁ ପରାମର୍ଶ ଦେଉଛି ଜିଲ୍ଲା ପ୍ରଶାସନ ।

ପ୍ରକୃତି ଦାଉରେ ଚାଷୀ ହତାସ । କଟକ ଜିଲ୍ଲାର ନିଆଳିର ଚାଷୀ ମୁଣ୍ଡରେ ଚଡକ ହୋଇ ସବାର ହୋଇଛି ପ୍ରକୃତି । ଶହ ଶହ ହେକ୍ଟର ଚାଷ ଜମିରେ ଫସଲ ଉଜୁଡି ଯିବାକୁ ବସିଛି । ଚଳିତ ବର୍ଷ ଚାଷୀର ଧାନ ଫସଲରେ ରୋଗ ପୋକ ଲାଗି କ୍ଷତି ସହିବା ପରେ ଲଘୁଚାପ ଜନିତ ବର୍ଷା ଚାଷୀର ଦୁଃଖକୁ ଦୁଇ ଗୁଣିତ କରିଥିଲା । ଗତ ଅଦିନିଆ ବର୍ଷା ପବନରେ ପାଚିଲା ଧାନ ଭାଂଗି ଜମିରେ ପଟାଳି ହୋଇ ଶୋଇଛି । ଚାଷୀ ଭାଙ୍ଗି ପଡିଥିବା ଧାନଗଛ ଠିଆ କରି ଅମଳ କରିବା ପାଇଁ ଅଂଟା ଭିଡିଥିବା ବେଳେ ଆକାଶରେ ପୁଣି ମେଘ ଚିନ୍ତା ବଢାଇ ଦେଇଛି । ବର୍ଷା ଦାଉରୁ ବଳକା ଫସଲ ଅମଳ ପାଇଁ ଖଳାକୁ ନଆଣି ବିଲମୁଣ୍ଡରେ ହିଁ ମେସିନ ସାହାଯ୍ୟରେ ଅମଳ କରୁଛି ଚାଷୀ ।

ଲଗାତର ଭାବେ ପ୍ରକୃତିର ଦାଉରେ ଅସହ୍ୟ ହୋଇପଡିଥିବା ଚାଷୀ ପୁଣି ଆତଙ୍କିତ ହୋଇପଡିଛି । ଯଦି ପୁଣି ବର୍ଷା ଲାଗିରହେ ତେବେ ପେଟ ପାଇଁ ଦିନକୁ ଦୁଇ ଓଳି ଦାନା ଯୋଗାଡରେ ଅସମର୍ଥ ହୋଇଯିବେ ଚାଷୀ । ବର୍ଷାରେ ଅମଳ ଧାନ ନଷ୍ଟ ଆଶଙ୍କାରେ ଅଧା ପାଚିଲା ଧାନ କାଟି ନେଉଛି ଚାଷୀ । କେନ୍ଦ୍ରାପଡା ଜିଲ୍ଲାରେ ଆଜିଠାରୁ ଝିପଝିପ୍ ବର୍ଷା ଆରମ୍ଭ ହୋଇଯାଇଛି । ବର୍ଷାକୁ ଦେଖି ଚାଷୀ ଭୟଭିତ ହୋଇପଡିଥିବା ବେଳେ ଏକର ଏକର ଚାଷ ଜମିରୁ ଚାଷୀ ଧାନ କାଟି ସୁରକ୍ଷିତ ସ୍ଥାନରେ ରଖିବା ନେଇ ତତ୍ପର ହୋଇପଡିଛି ।

ଲଘୁଚାପ ବର୍ଷା ଦାଉରୁ ଧାନ ଫସଲକୁ ରକ୍ଷା କରିବା ଲାଗି ମାଲକାନଗିରି ଜିଲ୍ଲାରେ ଅଦିବାସୀଙ୍କ ନିଆରା ପ୍ରୟାସ । ଗ୍ରାମବାସୀ ଏକତ୍ରିତ ହୋଇ ପରସ୍ପରର ଧାନକୁ ଖଳାକୁ ନେଉଛନ୍ତି । ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇ ଥିବା ଲଘୁଚାପ ଯୋଗୁ ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷାର ପୂର୍ବାନୁମାନ କରିଛି ପାଣି ପାଗ ବିଭାଗ । ପାଣିପାଗ ବିଭାଗ ଓ ଜିଲ୍ଲା ପ୍ରଶାସନର ଘୋଷଣା ଚାଷୀଙ୍କୁ ଆତଙ୍କିତ କରିଛି । ଗ୍ରାମବାସୀମାନେ ହାତରେ ହାତ ମିଳାଇ ଧାନ କାଟିବା ଓ ଜମିରେ ପଡିଥିବା କଟାଧାନକୁ ଖଳାକୁ ବୋହିବା ପ୍ରକ୍ରିୟା ଆରମ୍ଭ କରି ଦେଇଛନ୍ତି ।