ଧରାପଡିଲା ନକଲି ସିଭିଲ ଜଜ୍ । ଗିରଫ କରିବାକୁ ପୋଲିସ ଦେଇଥିଲା ବାହାଘର ବିଜ୍ଞାପନ

377

କନକ ବ୍ୟୁରୋ: ଲକ୍ଷ୍ନୌରେ ଧରାପଡିଲା ନକଲି ଜଜ୍ । ମହିଳାଙ୍କୁ ଟାର୍ଗେଟ କରୁଥିଲା ଅଭିଯୁକ୍ତ ଯାହାକୁ ଗିରଫ କରିବାକୁ ପୋଲିସ ଦେଇଥିଲା ବାହାଘର ବିଜ୍ଞାପନ । ପୋଲିସର ଏପରି ବିଜ୍ଞାପନ ପଛର କାରଣ ଥିଲା କିଛି ଏପରି ।

କୌଣସି ବିଧବା ବା ସ୍ୱାମୀ ପରିତ୍ୟକ୍ତା ମହିଳାଙ୍କୁ ଟାର୍ଗେଟ କରୁଥିଲା ନକଲି ଜଜ୍ । ପୀଡିତାଙ୍କ ମଧ୍ୟରେ ଥିଲେ ଅନେକ ଉଚ୍ଚଶିକ୍ଷିତା ମହିଳା, ଯିଏ ବିବାହ ପାଇଁ ଗଣମାଧ୍ୟମରେ ବିଜ୍ଞାପନ ଦେଉଥିଲେ , ସେମାନଙ୍କର ଫୋନ ନମ୍ବର ଯୋଗାଡ କରି ସେମାନଙ୍କୁ କଲ୍ କରୁଥିଲା । ନିଜକୁ ଜଣେ ସିଭିଲ ଜଜ୍ ବୋଲି ପରିଚୟ ଦେଇ ମହିଳାଙ୍କ ସମ୍ପର୍କରେ ଆସୁଥିଲା । କେବଳ ଏତିକି ନୁହେଁ ଏହି ଆଳରେ ସେମାନଙ୍କ ଠାରୁ ଲକ୍ଷାଧିକ ଟଙ୍କା ନେବା ସହ ସେମାନଙ୍କୁ ଶରୀରିକ ଶୋଷଣ କରୁଥିଲା । ଏହାପରେ ସେମାନଙ୍କ ଠାରୁ ଗହଣା ନେଇ ଫେରାର ହୋଇଯାଉଥିଲା ।

ଜଣଙ୍କୁ ଠକିନେବା ପରେ ତାଙ୍କ ସହ କଥାବାର୍ତ୍ତା କରିଥିବା ମୋବାଇଲ ସିମକୁ କାଢି ଫିଙ୍ଗିଦେଉଥିଲେ । ଏହାପରେ ଆଉ ଜଣେ ଶିକାରକୁ ଅପେକ୍ଷା କରୁଥିଲେ । ଏପରି ଢଙ୍ଗରେ ସେ ଅନେକ ମହିଳାଙ୍କୁ ଠକି ନେଉଥିଲେ । ଜଣେ ମହିଳା ପୋଲିସରେ ଅଭିଯୋଗ କରିବା ପରେ ପୋଲିସ ଅଭିଯୁକ୍ତ ବିଷ୍ଣୁ ଶଙ୍କର ଗୁପ୍ତାଙ୍କୁ ଖୋଜିବାକୁ ଆରମ୍ଭ କରି ବିଫଳ ହୋଇଥିଲା । ଏହାପରେ ବୁଦ୍ଧି ଖଟାଇ ଏକ ବାହାଘର ବିଜ୍ଞାପନ ଦେଇଥିଲା ପୋଲିସ । ଏହି ନମ୍ବରରେ ବିଷ୍ଣୁ ଶଙ୍କର ଫୋନ କରିବାରୁ ଫୋନ୍ ଟ୍ରାକ୍ କରି ତାକୁ ଗିରଫ କରିଛି ପୋଲିସ ।

ପୋଲିସର ସୂଚନା ମୁତାବକ, ବିଷ୍ଣୁ ଶଙ୍କର କାନପୁରର ବାସିନ୍ଦା, ଓକିଲାତି ପଢିଛିି ମଧ୍ୟ । ହେଲେ ଓକିଲାତି ପେସା କରିବାରେ ବିଫଳ ହେବାରୁ ନିଜକୁ ଜଣେ ସିଭିଲ ଜଜ୍ ବୋଲି ପରିଚୟ ଦେଉଥିଲା ଏବଂ ମହିଳାଙ୍କୁ ଲୁଟୁଥିଲା ।